ତେଲେଙ୍ଗାନା-ରାଜସ୍ଥାନରେ ନିର୍ବାଚନ: କେସିଆର୍‌ ଏବଂ ବସୁନ୍ଧରାଙ୍କ ଭାଗ୍ୟ ପରୀକ୍ଷା

ହାଇଦ୍ରାବାଦ/ଜୟପୁର: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ବିଧାନସଭା ନିର୍ବାଚନ କ୍ରମରେ ଆଜି ତେଲେଙ୍ଗନା ଏବଂ ରାଜସ୍ଥାନରେ ଭୋଟଗ୍ରହଣ। ସବୁଠାରୁ କମ୍‌ ବୟସର ରାଜ୍ୟ ଏବଂ ସର୍ବବୃହତ୍‌ ରାଜ୍ୟରେ ସକାଳ ୭ଟାରୁ ମତଦାନ। ଏହି ନିର୍ବାଚନ ୨୦୧୯ ପାଇଁ ପ୍ରଭାବ ପକାଇବା ନେଇ ଚର୍ଚ୍ଚା ହେଉଥିବାବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍) ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଅନ୍ୟତମ ବରିଷ୍ଠ ନେତା ବସୁନ୍ଧରା ରାଜେଙ୍କର […]

election-telengana

Subrat Kumar Nayak
  • Published: Friday, 07 December 2018
  • , Updated: 07 December 2018, 09:34 AM IST

ହାଇଦ୍ରାବାଦ/ଜୟପୁର: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ବିଧାନସଭା ନିର୍ବାଚନ କ୍ରମରେ ଆଜି ତେଲେଙ୍ଗନା ଏବଂ ରାଜସ୍ଥାନରେ ଭୋଟଗ୍ରହଣ। ସବୁଠାରୁ କମ୍‌ ବୟସର ରାଜ୍ୟ ଏବଂ ସର୍ବବୃହତ୍‌ ରାଜ୍ୟରେ ସକାଳ ୭ଟାରୁ ମତଦାନ। ଏହି ନିର୍ବାଚନ ୨୦୧୯ ପାଇଁ ପ୍ରଭାବ ପକାଇବା ନେଇ ଚର୍ଚ୍ଚା ହେଉଥିବାବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍) ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଅନ୍ୟତମ ବରିଷ୍ଠ ନେତା ବସୁନ୍ଧରା ରାଜେଙ୍କର ଭବିଷ୍ୟତ ମଧ୍ୟ ଏହା ନିର୍ଦ୍ଧାରଣ କରିବ।

ତେଲେଙ୍ଗାନା

୨୦୧୪ରେ ଜନ୍ମ ନେଇଥିବା ତେଲେଙ୍ଗାନାରେ ଲଢ଼େଇ ଏଥର ୩ମୁଖୀ। ଏହି ସିଂହାସନ ଦୌଡ଼ରେ ଅଛନ୍ତି ତେଲେଙ୍ଗାନା ରାଷ୍ଟ୍ର ସମିତି, ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ଓ ଟିଡିପି ନେତୃତ୍ୱରେ ଗଠିତ ବୃହତ ମେଣ୍ଟ। ଏତଦ୍‌ବ୍ୟତୀତ ଅସାଦ୍‌ଉଦ୍ଦୀନ୍‌ ଓୱେସିଙ୍କ ଏଆଇଏମ୍‌ଆଇଏମ୍‌ ମଧ୍ୟ କିଛି ସ୍ଥାନରେ ପ୍ରାର୍ଥୀ ଦେଇଛି।

ଏହି ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ ସେପ୍ଟେମ୍ବର ମାସରେ ବିଧାନସଭା ଭାଙ୍ଗିଦିଆଯାଇଥିଲା। ବିଜେପି ଏବଂ ଓୱେସିଙ୍କ ଏଆଇଏମ୍ଆଇଏମ୍ କେବଳ ଆସନ ବୃଦ୍ଧି କରିବା ପ୍ରୟାସରେ ରହିବାକୁ ଥିଲାବେଳେ ମେଣ୍ଟ ପ୍ରମୁଖ ଭୁମିକା ନେବାନେଇ ଚର୍ଚ୍ଚା ହେଉଛି। ୨୦୧୪ରେ ହୋଥିବା ନିର୍ବାଚନରେ ଟିଆର୍‌ଏସ୍‌ ୧୧୯ରୁ ୬୩ଟି ଆସନ ଦଖଲ କରିନେଇଥିଲା ଏବଂ ମୋଟ ଭୋଟର ୩୪ ପ୍ରତିଶତ ହାସଲ କରିଥିଲା। ବର୍ତ୍ତମାନ ସମସ୍ତ ଆସନରେ ଟିଆରଏସ୍‌ ପ୍ରାର୍ଥୀ ଦେଇଛି।

ତେଲେଙ୍ଗାନାରେ ୧.୬ ଲକ୍ଷ ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହାର ମତଦାନ ଚାଲିବାକୁ ଥିବାବେଳେ ୨.୮ କୋଟି ଭୋଟର ଭୋଟ୍‌ ଦେବାର ସମ୍ଭାବନା ରହିଛି। ରାଜ୍ୟର ୩୧ଟି ଜିଲ୍ଲାରେ ୩୩ ହଜାର ପୁଲିଂ ଷ୍ଟେସନ୍‌ରେ ଏହି ଭୋଟ୍‌ଦାନ ପ୍ରକ୍ରିୟା ଚାଲୁ ରହିବ। ଏଥିରେ ୧୩୫ ମହିଳା ପ୍ରାର୍ଥୀଙ୍କ ସମେତ ୧୮୨୧ ଜଣଙ୍କର ଭାଗ୍ୟ ପରୀକ୍ଷା ହେବ ଏବଂ ଡିସେମ୍ବର ୧୧ ତାରିଖରେ ଏହାର ଫଳାଫଳ ଘୋଷିତ ହେବ।

ରାଜସ୍ଥାନ
ସେହି ସମାନ ତାରିଖରେ ମଧ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଫଳାଫଳ ଘୋଷଣା ହେବାକୁ ଅଛି। ରାଜସ୍ଥାନର ଲଢ଼େଇ କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିବ। ବହୁଦିନ ଧରି ବିଜେପିର ଗଡ଼ ହୋଇ ଆସିଥିବା ଏହି ରାଜ୍ୟରେ ଗତ କିଛି ଦିନ ଧରି ଚାଲୁ ରହିଥିଲା ହେଭିୱେଟ୍‌ ପ୍ରଚାର। ବିଜେପିର ବସୁନ୍ଧରା ରାଜେଙ୍କ ବ୍ୟତୀତ କଂଗ୍ରେସର ଅଶୋକ ଗେହଲଟ୍‌ ଏବଂ ସଚିନ୍‌ ପାଇଲଟ୍‌ଙ୍କର ଭବିଷ୍ୟତ ମଧ୍ୟ ଆଜିର ମତଦାନ ନିଶ୍ଚିତ କରିବ। କାରଣ ନିର୍ବାଚନ ପୂର୍ବରୁ ହିଁ ଏହି ଦୁଇ କଂଗ୍ରେସ ନେତାଙ୍କ ମଧ୍ୟ ରେ ମୁଖ୍ୟମନ୍ତ୍ରୀ ହେବାକୁ ବା ନିଜର ଦବ୍‌ଦବା ଜାହିର କରିବାକୁ ପ୍ରୟାସ ଆରମ୍ଭ ହୋଇସାରିଥିଲା।

କିନ୍ତୁ ଉଭୟ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ କିଛି ବରିଷ୍ଠ ନେତାଙ୍କ ଅସନ୍ତୁଷ୍ଟି। ପୂର୍ବତନ ବିଜେପି ନେତା ଘନଶ୍ୟାମ ତିୱାରୀ ଏବଂ ହନୁମାନ୍‌ ବେନିୱାଲ୍‌ ଏଥର ବିଜେପି ଭୋଟ୍‌ ଭାଙ୍ଗିବାପାଇଁ ୫୫ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି।

ଦୁଇ ରାଜ୍ୟରେ ହେବାକୁ ଥିବା ଜନାଦେଶ ସାଧାରଣ ନିର୍ବାଚନ ବେଳରେ ବୋହିବାକୁ ଥିବା ରାଜନୀତିକ ହାୱାର ଗତି ନିର୍ଦ୍ଧାରଣ କରିବ ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି।

Related story