ସୋମବାର ମହା-ହରିଆଣା ଭାଗ୍ୟ ନିର୍ଣ୍ଣୟ

ମୁମ୍ବାଇ: ସୋମବାର ମହାରାଷ୍ଟ୍ର ଏବଂ ହରିଆଣାରେ ବିଧାନସଭା ନିର୍ବାଚନ। ଲୋକସଭା ନିର୍ବାଚନରେ ବୃହତ ସଫଳତା ପରେ ବିଜେପି ଏବଂ ଏହାର ମେଣ୍ଟ ସହଯୋଗୀ ଏଠାରେ କ୍ଷମତା ବଜାୟ ରଖିବାର ଅଙ୍କ କଷିଛନ୍ତି। ଅନ୍ୟପକ୍ଷରେ ସତ୍ତା ବିରୋଧୀ ସ୍ୱରରୁ ଭୋଟ୍‌ର ରୁଟି ସେକିବାକୁ ସମସ୍ତ ପ୍ରୟାସ କରିଛନ୍ତି କଂଗ୍ରେସ ଓ ଏନ୍‌ସିପି ପରି ବିରୋଧୀ ଦଳ। ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ବ୍ୟତୀତ ୧୮ଟି ରାଜ୍ୟର ୫୧ଟି ବିଧାନସଭା କ୍ଷେତ୍ର ଏବଂ ୨ଟି ଲୋକସଭା କ୍ଷେତ୍ରରେ ମଧ୍ୟ […]

vote

Subrat Kumar Nayak
  • Published: Sunday, 20 October 2019
  • , Updated: 20 October 2019, 10:05 PM IST

ମୁମ୍ବାଇ: ସୋମବାର ମହାରାଷ୍ଟ୍ର ଏବଂ ହରିଆଣାରେ ବିଧାନସଭା ନିର୍ବାଚନ। ଲୋକସଭା ନିର୍ବାଚନରେ ବୃହତ ସଫଳତା ପରେ ବିଜେପି ଏବଂ ଏହାର ମେଣ୍ଟ ସହଯୋଗୀ ଏଠାରେ କ୍ଷମତା ବଜାୟ ରଖିବାର ଅଙ୍କ କଷିଛନ୍ତି। ଅନ୍ୟପକ୍ଷରେ ସତ୍ତା ବିରୋଧୀ ସ୍ୱରରୁ ଭୋଟ୍‌ର ରୁଟି ସେକିବାକୁ ସମସ୍ତ ପ୍ରୟାସ କରିଛନ୍ତି କଂଗ୍ରେସ ଓ ଏନ୍‌ସିପି ପରି ବିରୋଧୀ ଦଳ। ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ବ୍ୟତୀତ ୧୮ଟି ରାଜ୍ୟର ୫୧ଟି ବିଧାନସଭା କ୍ଷେତ୍ର ଏବଂ ୨ଟି ଲୋକସଭା କ୍ଷେତ୍ରରେ ମଧ୍ୟ ଉପନିର୍ବାଚନ ହେବାର ଅଛି।

ମହାରାଷ୍ଟ୍ରରରେ ୨ ମହାମେଣ୍ଟ ‘ମହାୟୁତି’ ଏବଂ ‘ମହା-ଅଗାଧି’ ମଧ୍ୟରେ ଲଢ଼େଇ ହେବ। ପାରମ୍ପରିକ ମେଣ୍ଟ ସହଯୋଗୀ ବିଜେପି ଓ ଶିବସେନା ସହ ବେଶ କିଛି ଛୋଟ ଦଳ ‘ମହାୟୁତି’ ମେଣ୍ଟରେ ଅଛନ୍ତି। ଏତଦ୍‌ବ୍ୟତୀତ ‘ମହା-ଅଗାଧି’ରେ କଂଗ୍ରେସ ଓ ଏନ୍‌ସିପି ଆଦି ଦଳ ଅଛନ୍ତି। ୪,୨୮,୪୩,୬୩୫ ମହିଳାଙ୍କ ସମେତ ମୋଟ ୮,୯୮,୩୯,୬୦୦ ଲୋକଙ୍କୁ କେଉଁ ସରକାର ପ୍ରତିନିଧିତ୍ୱ କରିବ ତାକୁ ନେଇ ରାଜନୀତିକ ବିଶ୍ଲେଷକମାନେ ମଧ୍ୟ ହିସାବ କରିବା ଆରମ୍ଭ କରିସାରିଛନ୍ତି।

ଏହି ନିର୍ବାଚନରେ ୨୮୮ ଆସନ ପାଇଁ ୯୬,୬୬୧ ପୋଲିଂ ବୁଥ୍‌ରେ ୨୩୫ ମହିଳାଙ୍କ ସମେତ ପ୍ରାୟ ୩,୨୩୭ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ ଭିତରେ ଫ୍ରିଜ୍‌ ହେବ। ସେହିଭଳି ହରିଆଣାରେ ୮୫ ଲକ୍ଷ ମହିଳା ଏବଂ ୨୫୨ ତୃତୀୟ ଲିଙ୍ଗଙ୍କ ସମେତ ୧.୮୩ କୋଟି ଭୋଟର ୧୯,୫୭୮ ପୋଲିଂ ବୁଥ୍‌ରେ ଭୋଟ୍‌ ଦେବେ। ଆସନ୍ତା ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଭୋଟ୍‌ ଗ୍ରହଣ ହେବ। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମହାରାଷ୍ଟ୍ରରେ ୩ ଲକ୍ଷ ରାଜ୍ୟ ପୁଲିସ୍‌ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ନିୟୋଜିତ କରାଯାଇଛି। ସେହିଭଳି ହରିଆଣାରେ ୭୫ ହଜାର ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି। ଅକ୍ଟୋବା ୨୪ ତାରିଖରେ ଭୋଟ୍‌ ଗଣନା ହେବାର ଅଛି।

ଏହି ନିର୍ବାଚନ ପାଇଁ ହାଇ-ଭୋଲଟେଜ୍‌ ପ୍ରଚାର ଦେଖିବାକୁ ମିଳିଥିଲା। ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସମେତ ବହୁ ବଡ଼ବଡ଼ ନେତା ପ୍ରଚାର କରିଥିଲେ। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ଅନ୍ୟ ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ୍‌ କରିବା ସହ ନିଜ ସରକାରର ସଫଳତା ଗାନ କରିଥିଲେ ବିଜେପି ନେତା।

ସେହିଭଳି ବିରୋଧୀ କେନ୍ଦ୍ର ସରକାରଙ୍କ ଅର୍ଥନୀତିକ ସ୍ଥିତି ନେଇ ଟାର୍ଗେଟ୍‌ କରିଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧି ବିଜେପିକ ଅର୍ଥନୀତିକ ମାନ୍ଦାବସ୍ଥା ଏବଂ ବେକାରୀ ଆଦି ପ୍ରସଙ୍ଗରେ ଟାର୍ଗେଟ୍‌ କରିଥିଲେ। ନୋଟ୍‌ବନ୍ଦୀ ଏବଂ ଜିଏସ୍‌ଟି ଆଦି ପ୍ରସଙ୍ଗରେ ମଧ୍ୟ ସେ ଟାର୍ଗେଟ୍‌ କରିଥିଲେ। ମହାରାଷ୍ଟ୍ରରେ ବିଜେପି ୧୬୪ ଆସନରେ ଏବଂ ଶିବସେନା ୧୨୬ଟି ଆସନରେ ଲଢ଼ୁଛି। ଅନ୍ୟପକ୍ଷରେ କଂଗ୍ରେସ ଓ ଏନ୍‌ସିପି ଯଥାକ୍ରମେ ୧୪୭ ଓ ୧୨୧ଆସନରେ ଲଢ଼ୁଛନ୍ତି। ବିଜେପି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କ ନେତୃତ୍ୱରେ ଲଢ଼ୁଥିବାବେଳେ ପ୍ରଥମ ଥର ପାଇଁ ଠାକ୍‌ରେ ପରିବାରରୁ ଯୁବସେନା ମୁଖ୍ୟ ଆଦିତ୍ୟ ଠାକ୍‌ରେ ନିର୍ବାଚନ ଲଢ଼ୁଛନ୍ତି।

ହରିଆଣାରେ ୯୦ଟି ଆସନରେ ୧,୧୬୯ ପ୍ରାର୍ଥୀ ଲଢ଼ୁଛନ୍ତି। ମନୋହରଲାଲ ଖଟ୍ଟରଙ୍କ ନେତୃତ୍ୱରେ ବିଜେପି ୭୫ଟି ଆସନ ହାସଲ କରିବାକୁ ଟାର୍ଗେଟ୍‌ କରିଛି। ଅନ୍ୟପକ୍ଷରେ କଂଗ୍ରେସ ଏଠାରେ କ୍ଷମତା ଦଖଲ କରିବାକୁ ପୁରା ଦମ୍‌ ଲାଗିଦେଇଛି। ବର୍ତ୍ତମାନ ବିଜେପିର ଏଠାରେ ୪୮ ଜଣ ବିଧାୟକ ଅଛନ୍ତି ସହ ଗତ ଲୋକସଭା ନିର୍ବାଚନରେ ୧୦ଟି ଯାକ ଆସନ ଦଖଲ କରିନେଇଛି।

Related story