କୋଲକାତା: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତାକାଲି କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦି ବୈଠକ କରିବେ। ଏହି ତାଲିକାରେ ପଶ୍ଚିମବଙ୍ଗ ମଧ୍ୟ ରହିଛି। ତେଣୁ ଆସନ୍ତାକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମୋଦି ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିଥଆନ୍ତେ।
ହେଲେ ମୋଦିଙ୍କ ବୈଠକରେ ମମତା ଯୋଗଦେବେ ନାହିଁ ବୋଲି ଜଣାପଡ଼ିଛି। ବୈଠକରେ ମୋଦି ସବୁ ରାଜ୍ୟ ଭଳି ମମତାଙ୍କୁ ମଧ୍ୟ କରୋନା ଲଢ଼େଇରେ ଆଗକୁ କ’ଣ କରାଯିବ, ସେ ପ୍ରସ୍ତାବ ମାଗିଥାଆନ୍ତେ। ହେଲେ ମମତା ମୂଳରୁ ହିଁ ବୈଠକରେ ଯୋଗଦେବେ ନାହିଁ।
ଏହାର ପୂର୍ବ ବୈଠକରେ ବି ମମତା ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ର ସରକାରଙ୍କୁ ମୋଦି ଆଗରେ ତୀବ୍ର ସମାଲୋଚନା କରିଥିଲେ। କେନ୍ଦ୍ର କୌଣସି ପ୍ରକାରରେ ରାଜ୍ୟକୁ ସହଯୋଗ କରୁନାହିଁ ବୋଲି ମଧ୍ୟ ମମତା ବାରମ୍ବାର ଅଭିଯୋଗ କରି ଆସୁଛନ୍ତି।
ଆସନ୍ତାକାଲି ପଶ୍ଚିମବଙ୍ଗ ବ୍ୟତୀତ ମୋଦି ଓଡ଼ିଶା, ବିହାର, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡୁ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।