ସୀମା ଲଂଘୁଛି ପଶ୍ଚିମବଙ୍ଗ ହିଂସା, ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟପାଳ

କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକତାରେ ବିଜେପି କର୍ମୀ ଏବଂ କୋଲକାତା ପୁଲିସ୍‌ ମଧ୍ୟରେ ଖଣ୍ଡଯୁଦ୍ଧ ପରେ ଗୁରୁବାର ରାଜଭବନଠାରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀ। ପଶ୍ଚିମବଙ୍ଗ ବିଧାନସଭାରେ ପ୍ରତିନିଧିତ୍ୱ ଥିବା ସମସ୍ତ ପ୍ରମୁଖ ଦଳଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇଛି। ଏଥିରେ ସିପିଏମ୍‌, ଟିଏମ୍‌ସି ଏବଂ ବିଜେପି ଆଦି ଦଳ ସାମିଲ ଅଛନ୍ତି। ସାଧାରଣ ନିର୍ବାଚନ ସରିବା ପରେ ମଧ୍ୟ ହିଂସା ଥମିବା ବଦଳରେ ବଢ଼ିବାରେ ଲାଗିଥିବାରୁ ରାଜ୍ୟପାଳ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। […]

bjp

Subrat Kumar Nayak
  • Published: Wednesday, 12 June 2019
  • , Updated: 12 June 2019, 06:10 PM IST

କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକତାରେ ବିଜେପି କର୍ମୀ ଏବଂ କୋଲକାତା ପୁଲିସ୍‌ ମଧ୍ୟରେ ଖଣ୍ଡଯୁଦ୍ଧ ପରେ ଗୁରୁବାର ରାଜଭବନଠାରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀ। ପଶ୍ଚିମବଙ୍ଗ ବିଧାନସଭାରେ ପ୍ରତିନିଧିତ୍ୱ ଥିବା ସମସ୍ତ ପ୍ରମୁଖ ଦଳଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇଛି। ଏଥିରେ ସିପିଏମ୍‌, ଟିଏମ୍‌ସି ଏବଂ ବିଜେପି ଆଦି ଦଳ ସାମିଲ ଅଛନ୍ତି। ସାଧାରଣ ନିର୍ବାଚନ ସରିବା ପରେ ମଧ୍ୟ ହିଂସା ଥମିବା ବଦଳରେ ବଢ଼ିବାରେ ଲାଗିଥିବାରୁ ରାଜ୍ୟପାଳ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ରାଜ୍ୟପାଳ ତ୍ରିପାଠୀ ନିଜ କ୍ଷମତା ଅନୁଯାୟୀ ଗୋଟିଏ ପ୍ଲାଟଫର୍ମରେ ରାଜନୀତିକ ଦଳମାନଙ୍କ ମଧ୍ୟରେ ରହିଥିବା ଅସହମତି ଦୂର କରିବାକୁ ଚେଷ୍ଟା କରିବେ, ଫଳରେ ରାଜ୍ୟରେ ଶାନ୍ତି ପୁନର୍ବାର ପ୍ରତିଷ୍ଠା ହୋଇପାରିବ। ମିଳିଥିବା ସୂଚନା ଅନୁଯାୟୀ, ଶାସକ ଟିଏମ୍‌ସି ଏଥିପାଇଁ ସହମତି ପ୍ରକାଶ କରିବା ସହ ବୈଠକକୁ ପ୍ରତିନିଧି ପଠାଇବ ବୋଲି କୁହାଯାଇଛି।

ଟିଏମ୍‌ସିର ପାର୍ଥୋ ଚାଟାର୍ଜୀ, ବିଜେପିର ଦିଲ୍ଲୀପ ଘୋଷ, ସିପିଏମ୍‌ର ଏସ୍‌କେ ମିଶ୍ର ଏବଂ କଂଗ୍ରେସର ଏସ୍‌ଏନ୍‌ ମିତ୍ର ଏଥିରେ ଯୋଗ ଦେବେ। ଦିଲ୍ଲୀପ ଏହି ବୈଠକକୁ ନେଇ କହିଛନ୍ତି, ଏହା ନିଶ୍ଚିତ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଆମେ ଏନେଇ ରାଜ୍ୟପାଳ ତ୍ରିପାଠୀଙ୍କ ଚିଠି ପାଇଛୁ। ଆମେ ଏଥିରେ ଆସନ୍ତାକାଲି ନିଶ୍ଚୟ ଯୋଗଦେବୁ। ରାଜ୍ୟ ସରକାର ମଧ୍ୟ ଏହି ପଦକ୍ଷେପ ନେଇପାରିଥାନ୍ତେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିର ସଫଳତା ପରେ ବିଜେପିର କର୍ମୀ ଏବଂ ସମର୍ଥକଙ୍କ ଉପରେ ଆକ୍ରମଣ ହେଉଥିବା ଅଭିଯୋଗ ହୋଇଆସୁଛି। ବିରୋଧରେ କୋଲକତାରେ ବିଜେପି ପକ୍ଷରୁ ବିକ୍ଷୋଭ ରାଲି ଆୟୋଜନ କରାଯାଇଥିଲା। ତେବେ କୋଲକତା ପୁଲିସ୍‌ ଏହାକୁ ଦମନ କରିବାର ପ୍ରୟାସ କରିବାର ମାତ୍ରା ଏତେ ବଢ଼ିଯାଇଥିଲା ଯେ ପୁଲିସ୍‌ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ୍‌ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବା ସହ ପାଣି ମାଡ଼ କରିଥିଲା। ଏହାର ପ୍ରତିକ୍ରିୟାରେ ବିଜେପି କର୍ମୀମାନେ ନାରାବାଜି କରିବା ସହ ଢେଲା ଏବଂ ବୋତଲ ମାଡ଼ କରିଥିଲେ।

କିଛି ବିକ୍ଷୋଭକାରୀ ଏହି ସ୍ଥାନରେ ଧାରଣା ମଧ୍ୟ ଦେଇଥିବା ଦେଖିବାକୁ ମିଳିଥିଲା। ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷଙ୍କ ନେତୃତ୍ୱରେ ନବନିର୍ବାଚିତ ୧୮ ଜଣ ସାଂସଦ ୱେଲିଂଟନ୍‌ ଅଞ୍ଚଳରୁ ଲାଲବଜାର ଆଡ଼କୁ ଯାଉଥିବା ସମୟରେ ଏଭଳି ଘଟଣା ଘଟିଥିଲା। ଦଳର ବରିଷ୍ଠ ନେତା ମୁକୁଲ ରୟ ମଧ୍ୟ ଏଥିରେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ଉତ୍ତର ୨୪ ପ୍ରଗଣାରେ ହୋଇଥିବା ହିଂସାରେ ୩ ଜଣଙ୍କ ହତ୍ୟାକୁ ନେଇ ମୁକୁଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଦାୟୀ କରିଥିଲେ। ଏହାର ଏନ୍‌ଆଇଏ ତଦନ୍ତ ହେଉ ବୋଲି ସେ ଦାବି କରିଥିଲେ। ଅନ୍ୟପକ୍ଷରେ ମମତା ଏସବୁକୁ ବିଜେପିର ଷଡ଼ଯନ୍ତ୍ର କହିବା ସହ ତାଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଏହା ଗେମ୍‌ପ୍ଲାନ୍‌ ବୋଲି ସେ କହିଛନ୍ତି।

Related story