ନାଗରିକତା ବିଲକୁ ନେଇ କାହିଁକି ଜଳୁଛି ଆସାମ?

ନୂଆଦିଲ୍ଲୀ: ବୁଧବାର ସଂଶୋଧିତ ନାଗରିକତା ବିଧେୟକ ରାଜ୍ୟସଭାରେ ଗୃହୀତ ହୋଇଛି। ସୋମବାର ଏହି ବିଧେୟକ ପ୍ରଥମେ ଲୋକସଭାରେ ଗୃହୀତ ହୋଇଥିଲା। ବିଲ୍ ଗୃହରେ ଆସିବା ନେଇ ଗତ ସପ୍ତାହରେ ଜଣାପଡ଼ିବା ପରେ ଉତ୍ତର ପୂର୍ବ ଭାରତରେ ଅସନ୍ତୋଷ ପ୍ରକାଶ ପାଇଛି। ସଂସଦରେ ବିଲ୍ ଗୃହୀତ ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସ୍ପଷ୍ଚ କରିଛନ୍ତି, ଏହି ବିଲ୍ କାହାରି ନାଗରିକତ୍ୱ ନେବନି ବରଂ ପଡ଼ୋଶୀ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନ ଅଣ ମୁସଲିମ ଶରଣାର୍ଥୀଙ୍କୁ ନାଗରିକତ୍ୱ ଦେବ।

ତେବେ ଆସାମ, ମଣିପୁର, ସିକ୍କିମ, ତ୍ରିପୁରା ଆଦିରେ ଏହି ବିଲକୁ ଜୋରଦାର ବିରୋଧ କରିଛନ୍ତି ବିରୋଧୀ ଦଳ ସମେତ ସାଧାରଣ ଜନତା। ଟାୟାର ଜାଳି ଲୋକମାନେ ରାସ୍ତା ଅବରୋଧ କରିବା ସହିତ ଅନେକ ସ୍ଥାନରେ ପୋଡ଼ାଜଳା ମଧ୍ୟ ହୋଇଛି।

ଆସାମରେ କାହିଁକି ବିରୋଧ?
ଏହି ବିଲ ସଂସଦର ପାରିତ ହେବା ପରେ ଆଶଙ୍କା କରିଛନ୍ତି, ବାଂଲାଦେଶରୁ ଆସିଥିବା ହିନ୍ଦୁମାନେ ଏହି ନାଗରିକ ସଂଶୋଧନ ଆଇନ ମାଧ୍ୟମରେ ଦେଶର ନାଗରିକତ୍ୱ ଗ୍ରହଣ କରିବେ। ଏହାପରେ ସେମାନେ ଆସାମର ମୂଳବାସିନ୍ଦାଙ୍କ ପାଇଁ ସମସ୍ୟା କରିପାରନ୍ତି। ଏହି ବାଂଲାଦେଶୀ ହିନ୍ଦୁମାନଙ୍କ ପାଇଁ ରାଜ୍ୟର ସଂସ୍କୃତି, ଭାଷା, ପରମ୍ପରା, ରୀତି ନୀତି ଉପରେ ପ୍ରଭାବ ପଡ଼ିବ ବୋଲି ଆସାମର ମୂଳବାସିନ୍ଦା ଆକଳନ କରିଛନ୍ତି। ନୂଆ ନିୟମ ଅନୁଯାୟୀ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଭାରତକୁ ଶରଣାର୍ଥୀ ହୋଇ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ହିନ୍ଦୁ, ଶିଖ, ପାର୍ସୀ, ବୌଦ୍ଧ ଓ ଜୈନ ଧର୍ମରୁ ଲୋକଙ୍କୁ ଭାରତ ସରକାର ନାଗରିକତା ପ୍ରଦାନ କରିବେ। ଆନ୍ଦୋଳନକାରୀଙ୍କ ଯୁକ୍ତି ହେଉଛି ଆସାମ ୧୯୫୧ରୁ ୧୯୭୧ ଯାଏ ଶରଣାର୍ଥୀଙ୍କ ବୋଝ ସମ୍ଭାଳିଛି। ଦେଶର ଅନ୍ୟ କୌଣସି ରାଜ୍ୟରେ ଏତେ ସଂଖ୍ୟାରେ ଶରଣାର୍ଥୀ ନାହାନ୍ତି। ତେଣୁ ରାଜ୍ୟରେ ଆଉ ଶରଣାର୍ଥୀଙ୍କୁ ଜାଗା ନଦିଆଯାଉ। କେନ୍ଦ୍ର ସରକାର ଉପରେ ଭରସା ନାହିଁ। ଆସାମ ରାଜିନାମା ସର୍ତ୍ତରେ କେନ୍ଦ୍ର ସରକାର ପରିବର୍ତ୍ତନ କରିପାରନ୍ତି ବୋଲି ଆନ୍ଦୋଳନକାରୀ ଆଶଙ୍କା କରିଛନ୍ତି।

ଆସାମ ରାଜିନାମା କ’ଣ?
୧୯୭୯ରେ ଆସାମର ମୂଳ ବାସିନ୍ଦା ମଙ୍ଗଲଦୋଇ ଲୋକସଭା ଉପନିର୍ବାଚନ ବେଳେ ଜାଣିବାକୁ ପାଇଥିଲେ ରାଜ୍ୟରେ ଭୋଟର ସଂଖ୍ୟା ବଢ଼ିଛି। ଏହାର କାରଣ ଅପ୍ରତ୍ୟାଶିତ ଭାବରେ ଶରଣାର୍ଥୀ ରାଜ୍ୟରେ ପ୍ରବେଶ କରିବା। ଏହାପରେ ଆସାମର ମୂଳ ବାସିନ୍ଦା ଏବଂ ଶରଣାର୍ଥୀଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଏହି ବିବାଦ ହିଂସାର ରୂପ ନେଇଥିଲା। ଦୀର୍ଘ ୬ ବର୍ଷ ଧରି ଏହି ହଂସା ଚାଲିଥିଲା। ଏଥିରେ ୮୮୫ ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ୧୯୮୫ରେ ରାଜୀବ ଗାନ୍ଧି ସରକାର ଆସାମ ରାଜିନାମାରେ ହସ୍ତାକ୍ଷର କରିବା ପରେ ହିଂସା ଶାନ୍ତ ପଡ଼ିଥିଲା। ଏହି ହସ୍ତାକ୍ଷର ଅନୁଯାୟୀ ୨୫ ମାର୍ଚ୍ଚ, ୧୯୭୧ ପରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଦେଶରୁ ବାହାର କରାଯିବ। ଅନ୍ୟ ରାଜ୍ୟମାନଙ୍କ ପାଇଁ ଏହାର ସମୟ ସୀମା ୧୯୫୧ ଥିଲା। ଏବେ କିନ୍ତୁ ସରକାର ଏହାକୁ ୨୦୧୪ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଆନ୍ଦୋଳନକାରୀଙ୍କୁ ଯୁକ୍ତି ହେଉଛି ଏହି ଅବଧି ବଢ଼ାଇବା ଫଳରେ ଆସାମ ରାଜିନାମା ଦୁର୍ବଳ ହୋଇଛି।

ଏନଆରସି କ’ଣ?
ଆସାମ ରାଜିନାମା ଅନୁଯାୟୀ ଏନଆରସି ଲାଗୁ ହେବା ବୋଲି ନିୟମ ରହିଛି। ଫଳରେ ଦେଶର ସମସ୍ତ ଶରଣାର୍ଥୀ ବିଦେଶୀଙ୍କୁ ଚିହ୍ନଟ କରାଯାଇ ବାହାର କରାଯିବ। ତେବେ ଆସାମ ରାଜିନାମାର ୩୫ ବର୍ଷ ଯାଏ ଏନଆରସି ଲାଗୁ ହୋଇନଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୩୧ ଅଗଷ୍ଟ ୨୦୧୯ରେ ଏନଆରସି ତାଲିକା ପ୍ରକାଶ ପାଇଥିଲା। ଯେଉଁଥିରେ ଆସାମର ୧୯ ଲକ୍ଷ ମୂଳ ବାସିନ୍ଦା ବିଦେଶୀ ବୋଲି ପ୍ରକାଶ ପାଇଥିଲା। ଏହି ତାଲିକାରୁ ଅଧିକାଂଶ ହିନ୍ଦୁ ଏବଂ ଆଦିବାସୀ ବାଦ୍ ପଡ଼ିଥିଲେ। ତେଣୁ ଏବେ ଆସାମର ମୂଳ ବାସିନ୍ଦା କହିଛନ୍ତି, ନାଗରିକ ସଂଶୋଧନ ବିଧେୟକ ମାଧ୍ୟମରେ କେନ୍ଦ୍ର ସରକାର ଏନଆରସିକୁ ଦୁର୍ବଳ କରିଦେଉଛନ୍ତି। ଫଳରେ ଶରଣାର୍ଥୀମାନେ ଏଠାରେ ନାଗରିକତ୍ୱ ପାଇବେ। ତେବେ ଆସାମରେ କେନ୍ଦ୍ରର ସହଯୋଗୀ ଦଳ ଆସାମ ଗଣ ପରିଷଦ କହିଛି ରାଜିନାମାର ଧାରା ୬ ଅନୁଯାୟୀ ନଗରିକ ସଂଶୋଧନ ବିଲ୍‌ରେ ଦୁର୍ବଳତା ଥିଲେ ବହୁ ଲୋକ ବର୍ତ୍ତିଯିବେ।

ଆସାମ ରାଜିନାମାର ଧାରା ୬ କ’ଣ?
ଆସାମର ରାଜିନାମାର ଧାରା ୬ରେ ଆସାମର ମୂଳ ବାସିନ୍ଦାଙ୍କର ସାମାଜିକ, ସାଂସ୍କୃତିକ ଏବଂ ଭାଷା ଚିହ୍ନଟ ଏବଂ ଏହାର ସଂରକ୍ଷଣ ପାଇଁ ସାମ୍ବିଧାନିକ, କାର୍ଯ୍ୟକାରୀ ଏବଂ ପ୍ରଶାସନିକ ବ୍ୟବସ୍ଥା ରହିଛି।

ଇନର୍‌ ଲାଇନ୍ ପରମିଟ କ’ଣ?
ବଂଗାଲ ଇଷ୍ଟର୍ଣ୍ଣ ଫ୍ରଣ୍ଟିୟର ରେଗୁଲେଶନ, ୧୮୭୩ ଅନୁଯାୟୀ ସୀମାବର୍ତ୍ତୀ ଅଞ୍ଚଳରେ ଇନର ଲାଇନ୍ ଅଫ ପରମିଟ୍ (ଆଇଏଲପି) ନିୟମ ଲାଗୁ ରହିଛି। ଏହି ଆଇନ ଅନୁଯାୟୀ ବାହାର ଲୋକଙ୍କୁ ଭାରତରେ ପ୍ରବେଶ କରିବା ପାଇଁ ଆଇଏଲ୍‌ପି ଜରିଆରେ ପ୍ରବେଶ କରିବା ପାଇଁ ଅନମୁତି ଦିଆଯାଇଥାଏ। ଏହି ଆଇନ ଅନୁଯାୟୀ କିନ୍ତୁ ଜଣେ ବାହାର ଦେଶର ନାଗରିକ ଭାରତରେ ବସତି ସ୍ଥାପନ କରିପାରିବ ନାହିଁ। ଏବେ ନାଗରିକ ସଂଶୋଧନ ଆଇନ ଅନୁଯାୟୀ ଆଇଏଲପି ଅଧୀନରେ ଥିବା କିଛି ଅଞ୍ଚଳକୁ ବାହାର କରାଯାଇଛି। ଆଦିବାସୀଙ୍କ ସଂରକ୍ଷଣ ପାଇଁ ସମ୍ୱିଧାନର ଷଷ୍ଠ ଧାରା ଅନୁଯାୟୀ ବିଜ୍ଞପିତ ଅଞ୍ଚଳରେ ନାଗରିକ ସଂଶୋଧିତ ବିଲରୁ ବାହାର ରଖିବା ପାଇଁ ନିୟମ ରହିଛି। ପୂର୍ବୋତ୍ତର ରାଜ୍ୟର ଅଧିକାଂଶ ସ୍ଥାନରେ ଆଇଏଲପି ସିଷ୍ଟମ ରହିଛି। ଆସାମ, ଆଙ୍ଗଲଂଗ, ଦିମା ହାସୋ ଏବଂ ବୋଡ଼ୋଲ୍ୟାଣ୍ଡର ଷଷ୍ଠ ଅନୁଚ୍ଛେଦ ଅନୁୟାୟୀ ସଂରକ୍ଷିତ ରଖାଯାଇଛି। ଏହି ଆଇଏଲପି ନିୟମ ଅଧୀନରେ ଆସାମର ୩୩ଟି ଜିଲ୍ଲାରୁ ମାତ୍ର ୭ଟି ଜିଲ୍ଲା ରହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।