ନୂଆଦିଲ୍ଲୀ: ତିନି ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଇ-କମର୍ସ ପୋର୍ଟାଲ ଓ୍ୱେବସାଇଟ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ। ବିଶ୍ୱର ଧନୀ ତାଲିକାର ଶୀର୍ଷରେ ଥିବା ଏହି ବ୍ୟକ୍ତିତ୍ୱ କିନ୍ତୁ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି। ହେଲେ କୌଣସି ମନ୍ତ୍ରୀ ଦେଖାକରିବାକୁ ଇଚ୍ଛା ପ୍ରକାଶ ନକରିବାରୁ ସାକ୍ଷାତ ହୋଇପାରିନଥିବା ସୂଚନା ରହିଛି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ର ମୁଖପାତ୍ର କହିଛନ୍ତି, ଜେଫ୍ ବେଜୋସ ଆସିବେ ବୋଲି ସେ ଜାଣିନଥିଲେ। ତେଣୁ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସମ୍ଭବ ପର ହୋଇପାରି ନାହିଁ।
ଦେଶରେ ପୁଞ୍ଜି ନିବେଶ ଏବଂ ମେକ୍ ଇନ୍ ଇଣ୍ଡିଆରେ ନିବେଶ ପାଇଁ ଆହ୍ୱାନ କରୁଛନ୍ତି ମୋଦି ସରକାର। ଏହି ଆଧାରରେ ଅନେକ ବିଦେଶୀ କମ୍ପାନୀ ଭାରତରେ ପୁଞ୍ଜି ନିବେଶ ପାଇଁ ଆସୁଛନ୍ତି। ଆମାଜନ ମଧ୍ୟ ଭାରତରେ ୧୦୦ କୋଟି ଡଲାର ପୁଞ୍ଜି ନିବେଶ କରିବ ବୋଲି ବୁଧବାର ଜେଫ୍ ବେଜୋସ ଘୋଷଣା କରିଛନ୍ତି। ଏହାଦ୍ୱାରା ଦେଶର ଅନେକ ଛୋଟ ଓ ଲଘୁ ଉଦ୍ୟୋଗ କମ୍ପାନୀ ଅନ୍ ଲାଇନ୍ ବିଜନେସ ପ୍ଲାଟଫର୍ମରେ ସାମିଲ୍ ହୋଇପାରିବେ ବୋଲି ଆମାଜନର ପ୍ରତିଷ୍ଠାତା କହିଛନ୍ତି। ଏମିତିକି ଏହି ୨୧ ଦଶକରେ ଭାରତ ଆଗକୁ ବଢ଼ିବ ସେ ଆକଳନ କରିଛନ୍ତି। ଦେଶର ଅଭିବୃଦ୍ଧି ହାର ଦୀର୍ଘ ୧୧ ବର୍ଷ ତଳକୁ ଯାଇଛି। ଏହି ସମୟରେ ଆମାଜନ ୧୦୦ କୋଟି ଡଲାର ଦେଶରେ ନିବେଶ କରିବ ବୋଲି ଘୋଷଣା କରିଛି।
Dynamism. Energy. Democracy. #IndianCentury pic.twitter.com/U6cKJO60Rz
— Jeff Bezos (@JeffBezos) January 15, 2020
୨୦୧୪ରେ ଦେଶରେ ମୋଦି ସରକାର ଆରମ୍ଭ ହୋଇଥିଲା। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଆମାଜନର ପ୍ରତିଷ୍ଠାତା ଭାରତ ଗସ୍ତରେ ଆସି ତାଙ୍କୁ ଭେଟିଥିଲେ। ଏହି ସମୟରେ ଭାରତରେ ଆମାଜନ ୨୦୦ କୋଟି ଡଲାର ଭାରତରେ ନିବେଶ କରିବ ବୋଲି ଜେଫ ବେଜୋସ ଘୋଷଣା କରିଥିଲେ। ସେହିପରି ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଯାଇଥିଲେ। ଏହି ସମୟରେ ମୋଦିଙ୍କୁ ଭେଟି ବେଜୋସ ଭାରତରେ ୩୦୦ କୋଟି ଡଲାର ପୁଞ୍ଜି ନିବେଶ କରିବେ ବୋଲି ଘୋଷଣା କରିଥିଲେ। ଏମିତିକି ୨୦୧୭ରେ ମୋଦିଙ୍କ ଆମେରିକାରେ ୨୦ ଶୀର୍ଷ ବିଜେନସ ଲିଡରଙ୍କୁ ଭେଟିଥିଲେ। ଏହି ଶୀର୍ଷ ୨୦ ବିଜନେସ ଲିଡରଙ୍କ ମଧ୍ୟରେ ଆମାଜନର ପ୍ରତିଷ୍ଠାତା ଥିଲେ।
ସୂଚନାଯୋଗ୍ୟ, ମୋଦି ସରକାରରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ମଧ୍ୟ ଦେଶର ଦୁଇ ଲୋକପ୍ରିୟ ବିଦେଶୀ ଇ-କମର୍ସ ସାଇଟ ଫ୍ଲିପକାର୍ଟ (ଓ୍ୱାଲମାର୍ଟ) ଏବଂ ଆମାଜନ ଅନେକ ନିବେଶ କରୁଛନ୍ତି। ହେଲେ ଏହା ଭାରତକୁ ସୁହାଉ ନାହିଁ। ଏମିତିକି ଆମାଜନ ଏବଂ ଫ୍ଲିପକାର୍ଟକୁ ନାଲିଆଖି ଦେଖାଇବାକୁ ଯାଇ ଦେଶର ବାଣିଜ୍ୟ ଆଇନର ଗଳାବାଟ ଦେଖିବା ପରିବର୍ତ୍ତେ ନିୟମ ମାନିବାକୁ କହିଥିଲେ।