ବେଙ୍ଗାଲୁରୁ: ଡ୍ରାଇଭର ସିଟରେ ମହିଳା ଆଇଏଏସ। ବେଙ୍ଗାଲୁରୁ ମେଟ୍ରୋପଲିଟନ ଟ୍ରାନ୍ସପୋର୍ଟ କର୍ପୋରେଶନ (ବିଏମଟିସି)ର ଏମଡି ତଥା ମହିଳା ଆଇଏଏସ ଅଫିସର ସି. ଶିଖା ମଙ୍ଗଳବାର ବସ୍ ଚଳାଇଛନ୍ତି। ଶିଖା ହଠାତ୍ ବସ ଡ୍ରାଇଭିଂ ସିଟରେ ବସିବା ପରେ ବିଏମଟିସିର କର୍ମଚାରୀ ହତବାକ୍ ହୋଇଯାଇଥିଲେ। ହେଲେ ସୂଚନା ଅନୁଯାୟୀ ସେ ବିଏମଟିସିର ଏମଡି ହୋଇଥିବାରୁ ବସର ଇଞ୍ଜିନ ସାଙ୍ଗକୁ ଅନ୍ୟାନ୍ୟ ଯନ୍ତ୍ରାଂଶ ଠିକ୍ ଅଛି କି ନାହିଁ ସମୀକ୍ଷା କରିବା ପାଇଁ ଏଭଳି ବସ ଚଳାଇଛନ୍ତି।
ବସ୍ ପରୀକ୍ଷା କରିବାକୁ ଯାଇ ସି. ଶିଖା ନିଜେ ଭୋଲଭୋ ବସ୍ ଚଳାଇଥିଲେ। ଶିଖା ବସ ଷ୍ଟିୟରିଂ ଧରିବା ପୂର୍ବରୁ ବିଏମଟିସିର କର୍ମଚାରୀ ଭୟଭୀତ ହୋଇଯାଇଥିଲେ। ହେଲେ ଶିଖ ଜଣେ ଅଭିଜ୍ଞ ଡ୍ରାଇଭରଙ୍କ ଭଳି ଷ୍ଟିୟରିଂ ଧରି କିଛି ବାଟ ଚଳାଇବା ପରେ ବିଏମଟିସି କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜଣେ ମହିଳା ଆଇଏଏସଙ୍କର ଏଭଳି ଦକ୍ଷତା ଦେଖି ଅନେକ ଉତ୍ସାହିତ ମଧ୍ୟ ହୋଇଯାଇଥିଲେ। ଏମିତିକି ପାଖରେ ଥିବା ମହିଳା ଡ୍ରାଇଭର ପ୍ରେମା ରମପ୍ପା ମଧ୍ୟ ଶିଖାଙ୍କ ବସ୍ ଚଳାଇବାକୁ ଦେଖି ଅନୁପ୍ରାଣିତ ହୋଇଛନ୍ତି ବୋଲି ସେ କହିଛନ୍ତି।
ବେଙ୍ଗାଲୁରୁରେ ପ୍ରତିଦିନ ୩୬ ଲକ୍ଷ ଯାତ୍ରୀ ବସ୍ ଉପରେ ନିର୍ଭର କରିଥାନ୍ତି। ଏଥିପାଇଁ ମୋଟ୍ ୬୪୦୦ଟି ବସ ରହିଥିବା ବେଳେ ୧୪ ହଜାର ଡ୍ରାଇଭର ରହିଛନ୍ତି। ୨୦୦୪ ବ୍ୟାଚର ସି.ଶିଖା ସେପ୍ଟେମ୍ୱର ୨୦୧୯ରେ ବିଏମଟିସିର ଏମଡି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ନିକଟରେ ଅନେକ ବସ୍ ଦୁର୍ଘଟଣାର ଶିକାର ହୋଇଥିଲା। ଏହାପରେ କର୍ମଚାରୀଙ୍କ ମନୋବଳ ବୃଦ୍ଧି କରିବାକୁ ଯାଇ ନିଜେ ଏମଡି ବସ୍ ଚଳାଇଛନ୍ତି। ଏହି ସମୟରେ ଆଇଏଏସ ସି. ଶିଖା ଡ୍ରାଇଭରଙ୍କ ସହ ମଧ୍ୟ କଥା ହୋଇ ଅନେକ କଥା ବୁଝିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।