ହାଇଦ୍ରାବାଦ: ଟୋଲ୍ ପ୍ଲାଜାରେ ଟୋଲ୍ ଫି'କୁ ନେଇ ହୋହଲ୍ଲା କରି ଚର୍ଚ୍ଚାକୁ ଆସିଛନ୍ତି ଆନ୍ଧ୍ରପ୍ରଦେଶର ଜଣେ ମନ୍ତ୍ରୀଙ୍କ ପତ୍ନୀ। ତାଙ୍କର ଏପରି ଆଚରଣ ପାଇଁ ବେଶ୍ କିଛି ସମୟ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ହୋଇଯାଇଥିଲା। ଆଉ ଟୋଲ ଫି'ର ପରିମାଣ ଥିଲା ମାତ୍ର ୫୬ ଟଙ୍କା।
ଏହି ମହିଳା ଆନ୍ଧ୍ର ସିଭିଲ ସପ୍ଲାଇଜ ମନ୍ତ୍ରୀ ପ୍ରତିପଥି ପୁଲ୍ଲା ରାଓଙ୍କ ପତ୍ନୀ ପି ଭେଙ୍କଟ କୁମାରୀ ବୋଲି ଜଣାପଡ଼ିଛି। ସେ ହାଇଦ୍ରାବାଦରୁ ଗୁଣ୍ଟୁର ଯାଉଥିବା ସମୟରେ ଏଭଳି ଘଟଣା ଘଟିଥିଲା। ମଡଗୁଲାପାଲି ସ୍ଥିତ ଟୋଲ୍ ପ୍ଲାଜାରେ ତାଙ୍କୁ ୫୬ ଟଙ୍କାର ଟୋଲ ଫି' ମଗାଯିବାରୁ ସେ ରାଗି ଯାଇଥିଲେ। ଏହାର ଏକ ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ବେଶ ଭାଇରାଲ ହେଉଛି। ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ସେ ଟୋଲପ୍ଲାଜା କର୍ମଚାରୀଙ୍କ ସହ ଯୁକ୍ତିତର୍କ କରୁଛନ୍ତି। ମୁଁ ମନ୍ତ୍ରୀଙ୍କ ପତ୍ନୀ ବୋଲି କହିବା ସହ ମୋତେ ସବୁ ଟୋଲ ପ୍ଲାଜା ଫ୍ରି ବୋଲି ଦାବି କରୁଛନ୍ତି। ଏପରିକି ଗାଡ଼ିରେ ଲାଗିଥିବା ଷ୍ଟିକର ଦେଖାଇ ମନ୍ତ୍ରୀଙ୍କ ଗାଡ଼ି ବୋଲି ପ୍ରମାଣିତ କରିବାକୁ ଚେଷ୍ଟା ମଧ୍ୟ କରୁଥିବା ଏଥିରେ ଦେଖାଯାଉଛି।
ଯୁକ୍ତିତର୍କ ସମୟରେ ଟୋଲ ପ୍ଲାଜା କର୍ମଚାରୀ ଜଣଙ୍କ ସ୍ପଷ୍ଟ କରିଦେଇଥିଲେ ଯେ ଯଦି ବିଧାୟକ କିମ୍ବା ମନ୍ତ୍ରୀ ଏ ଗାଡ଼ିରେ ଯାଉଥାନ୍ତେ ତେବେ କୌଣସି ଫି ଦେବାକୁ ପଡ଼ିନଥାନ୍ତା। ସେ ଆହୁରି ମଧ୍ୟ ଦର୍ଶାଇଥିଲେ ଯେ ବିଧାୟକଙ୍କ ଷ୍ଟିକରର ବୈଧତା ଡିସେମ୍ବର ମାସରୁ ସରିଗଲାଣି।