ନୂଆଦିଲ୍ଲୀ: ଭକ୍ଷକ ସାଜିଲା ରକ୍ଷକ। ନାଳରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କଲେ କିଛି ବୁଲା କୁକୁର। ବିଶ୍ୱାସ ହେଉ ନଥିଲେ ବି କଥାଟା ସତ। ଗୁରୁବାର ସକାଳେ ହରିଆନାର କଇଥଲ ସହରରେ ଏହି ଶିଶୁଟି ଜନ୍ମ ହୋଇଥିଲା। ଜନ୍ମ ହେବାର ମାତ୍ର କେଇଘଣ୍ଟା ପରେ ତାକୁ ପଲିଥିନ୍ରେ ଗୁଡ଼ାଇ ଏକ ନାଳରେ ଫିଙ୍ଗି ଦିଆଯାଇଥିଲା। ଜଣେ ମହିଳା ତାକୁ ନାଳରେ ଫୋପାଡ଼ିଥିବା ସିସିଟିଭି ଫୁଟେଜ୍ରୁ ଜଣାପଡ଼ିଛି। ତେବେ ସେ ତା’ ମା’ ନା ଆଉ କିଏ, ତାହା ସ୍ପଷ୍ଟ ହୋଇନି। ପୁଲିସ୍ ଏନେଇ ଜଣେ ଅଜଣା ମହିଳାଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଉକ୍ତ ଅଜଣା ମହିଳା ଜଣଙ୍କ ପଲିଥିନ୍ରେ ଗୁଡ଼ାଇ ଛୁଆଟିକୁ ନାଳରେ ଫିଙ୍ଗି ଦେବା ପରେ ସେଠାରେ ଥିବା କିଛି ବୁଲା କୁକୁର ଏହାକୁ ନାଳରୁ ଟାଣି ବାହାରକୁ ନେଇ ଆସିଥିଲେ ଓ ଜୋରରେ ଭୁକିଥିଲେ। ଫଳରେ ସେହି ବାଟ ଦେଇ ଯିବାଆସିବା କରୁଥିବା ଲୋକଙ୍କର ଛୁଆଟି ଉପରେ ନଜର ପଡ଼ିଥିଲା। ସେମାନେ ତାକୁ ଉଦ୍ଧାର କରିବା ସହିତ ପୁଲିସ୍କୁ ଖବର ଦେଇଥିଲେ। ଛୁଆଟିକୁ କଇଥଲ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତା’ ମୁଣ୍ଡରେ ଆଘାତ ଲାଗିଛି।
ଗତକାଲି ଡାକ୍ତର ଦେଇଥିବା ସୂଚନା ଅନୁଯାୟୀ, ଝିଅଟି ସମୟ ପୂର୍ବରୁ ଜନ୍ମ ହୋଇଛି। ପ୍ରାୟ ୭ ମାସରେ ସେ ଜନ୍ମ ହୋଇଛି। ତା’ର ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ତା’ର ଅବସ୍ଥା ଏମିତି ଅଛି ଯେ, ତାକୁ କୌଣସି ବଡ଼ ଡାକ୍ତରଖାନାକୁ ବି ପଠାଇ ହେବ ନାହିଁ। ତା’ଉପରେ ନଜର ରଖାଯାଇଛି।
ସୂଚନାଯୋଗ୍ୟ, ନବଜାତ ଶିଶୁମାନଙ୍କୁ ନାଳରେ ଫିଙ୍ଗି ଦିଆଯିବା ଘଟଣା ନୂଆ ନୁହେଁ। କିନ୍ତୁ ନବଜାତ ଶିଶୁଟିଏକୁ କୁକୁରମାନେ ଉଦ୍ଧାର କରିବା ଏକ ବିରଳ ଘଟଣା। କାରଣ ସାଧାରଣତଃ ଏମିତି ସ୍ଥିତିରେ କୁକୁରମାନେ ଶିଶୁମାନଙ୍କୁ ଖାଇ ଯାଆନ୍ତି। ଏହାର ଅନେକ ନଜିର ରହିଛି।