ୱାଶିଂଟନ: ମହାମାରୀ କରୋନା ଭାଇରସ ଏବେ ବିଶ୍ୱର ୧୯୯ଟି ଦେଶରେ ନିଜର କାୟା ବିସ୍ତାର କରିଛି। ଚାଇନାରୁ ସୃଷ୍ଟି ହୋଇଥିବା ଏହି ଭାଇରସ ଯୋଗୁ ଆମେରିକା, ଇଟାଲୀ ଓ ସ୍ପେନ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରତିଦିନ ଏଠାରେ ଶହଶହ ଲୋକଙ୍କ ମୁଣ୍ଡ ଗଡ଼ୁଥିବା ବେଳେ ହଜାର ହଜାର ଲୋକ କରୋନା ଯୋଗୁ ଆକ୍ରାନ୍ତ ହେଉଛନ୍ତି।
ଆମେରିକା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ହୋଇଥିଲେ ହେଁ ଏଠାରେ ବିଶ୍ୱର ସର୍ବାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେହିପରି ବିଶ୍ୱରେ ଇଟାଲୀ ସ୍ୱାସ୍ଥ୍ୟ ସେବାରେ ୨ନଂ ସ୍ଥାନରେ ରହିଛି। କିନ୍ତୁ ଏଠାରେ ମୃତ୍ୟୁସଂଖ୍ୟା ବିଶ୍ୱରେ ସର୍ବାଧିକ। ସ୍ପେନରେ ବି ମୃତ୍ୟୁସଂଖ୍ୟା ୭ ହଜାର ପାର କରିସାରିଲାଣି। ଆଜି ଏଠାରେ ୫୩୭ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।
ସାରା ବିଶ୍ୱ କଥାକୁ ଦୃଷ୍ଟିକୁ ନେଲେ ଏଯାଏ କରୋନାରେ ୭ ଲକ୍ଷ ୩୮ ହଜାର ୫୬୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୫,୦୦୬ ଜଣ ପ୍ରାଣ ହରାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧,୫୬,୩୧୭ ଜଣ କରୋନାରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଭାରତ କରୋନା ଦ୍ୱାରା ପ୍ରଭାବିତ ହୋଇଥିବା ରାଷ୍ଟ୍ରଙ୍କ ତାଲିକାର ୪୧ ନଂ ସ୍ଥାନରେ ରହିଛି। ଦ୍ୱିତୀୟରେ ଇଟାଲୀ, ତୃତୀୟରେ ସ୍ପେନ ଓ ୪ର୍ଥରେ ଚାଇନା ରହିଛି।
ଆମେରିକାରେ ଏଯାଏ ୧,୪୨,୭୯୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୨,୪୯୦ ଜଣ ପ୍ରାଣ ହରାଇଛନ୍ତି। ଏଠାରେ ୪,୫୬୨ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସ୍ଥିତି ଦିନକୁ ଦିନ ବିଗୁଡ଼ୁ ଥିବାରୁ ଏପ୍ରିଲ ଶେଷ ଯାଏ ଟ୍ରମ୍ପ ପ୍ରଶାସନ ସାରା ଦେଶରେ କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଇଟାଲୀରେ ୧୦,୭୭୯ ଜଣ ଲୋକ କରୋନା ଯୋଗୁ ପ୍ରାଣ ହରାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୯୭,୬୮୯ ରହିଛି।
ସ୍ପେନରେ ୭,୩୪୦, ଚାଇନାରେ ୩,୩୦୪, ଜର୍ମାନୀରେ ୫୪୧, ଇରାନରେ ୨,୭୫୭, ଫ୍ରାନ୍ସରେ ୨,୬୦୬, ବ୍ରିଟେନରେ ୧,୨୨୮, ସ୍ୱିଜରଲ୍ୟାଣ୍ଡରେ ୩୨୭, ବେଲଜିୟରେ ୫୧୩, ନେଦରଲ୍ୟାଣ୍ଡ୍ସରେ ୮୬୪, ଦକ୍ଷିଣ କୋରିଆରେ ୧୫୮, ତୁର୍କୀରେ ୧୩୧, ଅଷ୍ଟ୍ରିଆରେ ୧୦୮, ପର୍ତ୍ତୁଗାଲରେ ୧୪୦,ବ୍ରାଜିଲ ୧୩୯, ସ୍ୱିଡେନ ୧୧୦, ଜାପାନ ୫୪, ପାକିସ୍ତାନରେ ୨୦ ଓ ଭାରତରେ ୩୦ରୁ ଅଧିକ ଲୋକ କରୋନା ଯୋଗୁ ପ୍ରାଣ ହରାଇଛନ୍ତି।