ନୂଆଦିଲ୍ଲୀ: ସାରା ବିଶ୍ୱ ଆଗରେ ଏଭଳି ଏକ ଜଟିଳ ଦ୍ୱନ୍ଦ୍ୱ ସୃଷ୍ଟି କରିଛି କରୋନା। ମହାମାରୀ କରୋନାକୁ ଆୟତ୍ତରେ ରଖିବାକୁ ଲକ୍ଡାଉନ୍ ଓ କର୍ଫ୍ୟୁ ଭଳି ବିଭିନ୍ନ କଟକଣା ଯୋଗୁ ସାରା ବିଶ୍ୱରେ ଶିଳ୍ପ ଓ ବାଣିଜ୍ୟ ଆଦି ଠପ୍ ପଡ଼ିଛି। କଳକାରଖାନା ବନ୍ଦ, ଲୋକେ ଜୀବିକା ହରାଉଛନ୍ତି। ପ୍ରଭାବିତ ହେଉଛନ୍ତି ଉଭୟ ଧନୀ ଓ ଗରିବ। ଚିନ୍ତାର ବିଷୟ ଯେ, ଏହି କରୋନା ବିଭୀଷିକା ବିଶ୍ୱ ଅର୍ଥନୀତିରେ ବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧି ଭଳି ପୁଣି ଥରେ ଏକ ବିରାଟ ମାନ୍ଦାବସ୍ଥା ଆଣିବାକୁ ଯାଉଥିବା ଆଶଙ୍କା କରାଯାଉଛି।
ବିଶ୍ୱ ଅର୍ଥନୀତିର କଳାଯୁଗ, ଗ୍ରେଟ୍ ଡିପ୍ରେସନ୍ ବା ମହା ମାନ୍ଦାବସ୍ଥା ୧୯୨୯ରେ ନ୍ୟୁୟର୍କ ଷ୍ଟକ୍ ଏକ୍ସଚେ୍ଞ୍ଜ କ୍ରାଶ୍ ସାରା ବିଶ୍ୱର ଅର୍ଥନୀତିକୁ ଏଭଳି ଦୋହଲାଇ ଦେଇଥିଲା ଯେ, ବିଶ୍ୱବ୍ୟାପୀ ଅଭିବୃଦ୍ଧି ହାର ୧୫ ପ୍ରତିଶତ ଖସିଥିଲା। ତଳିତଳାନ୍ତ ହୋଇଯାଇଥିଲେ ଶିଳ୍ପ ନିର୍ଭରଶୀଳ ଦେଶ। ୫୦ ପ୍ରତିଶତ ବାଣିଜ୍ୟ କମିବା ସହ ୩୦ ପ୍ରତିଶତ ବେକାରୀ ବଢ଼ିଥିଲା। ଏହି ଦୁର୍ଦ୍ଦିନରୁ ବାହାରିବାକୁ ବିଶ୍ୱକୁ ଲାଗିଥିଲା ପ୍ରାୟ ୧୦ବର୍ଷ ସମୟ।
ଆଶଙ୍କା କରାଯାଉଛି, ବିଶ୍ୱସ୍ତରରେ ପୁଣି ସେହିଭଳି ବୃହତ୍ ଅର୍ଥନୈତିକ ମାନ୍ଦାବସ୍ଥା ଆଣିବାକୁ ଯାଉଛି କରୋନା। ଗ୍ରେଟ୍ ଡିପ୍ରେସନ୍ ପରଠୁ ସବୁଠାରୁ ବଡ଼ ଅର୍ଥନୈତିକ ଦୁଃସ୍ଥିତି ଆସିବ ବୋଲି ଆକଳନ କରିଛନ୍ତି ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ୍ ବା IMF ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭା। ଏହା ଉଭୟ ବିକଶିତ ଓ ବିକାଶଶୀଳ
ଅର୍ଥନୀତିକୁ ପ୍ରଭାବିତ କରିବ। ୧୭୦ଟି ଦେଶରେ ମୁଣ୍ଡପିଛା ଆୟ କମିବ କରୋନା ବିଭୀଷିକା ପୂର୍ବରୁ, ଜାନୁଆରୀ ମାସରେ ୨୦୨୦ ପାଇଁ ୩.୩ ଓ ୨୦୨୧ ପାଇଁ ୩.୪ ପ୍ରତିଶତ ବିଶ୍ୱ ଅଭିବୃଦ୍ଧି ଆକଳନ କରିଥିଲା IMF। ତେବେ ବର୍ତ୍ତମାନର ସ୍ଥିତକୁ ଦେଖି ୨୦୨୦ରେ ଏହି ହାର ଜୋରଦାର ଖସିବ ବୋଲି ଆଶଙ୍କା କରାଯାଉଛି। ଯଦି ଚଳିତ ବର୍ଷ ଶେଷ ସୁଦ୍ଧା ମହାମାରୀ ନିୟନ୍ତ୍ରଣ ଭିତରକୁ ଆସେ, ତେବେ ଆସନ୍ତାବର୍ଷ ଏଥିରେ ଆଂଶିକ ସୁଧାର ଆସିବାର ସମ୍ଭାବନା ରହିଛି।
କେବଳ IMF ନୁହେଁ, ମିଳିତ ଜାତିସଂଘର ମଧ୍ୟ ଆଶଙ୍କା ଯେ, ନୂଆ କରି ପୃଥିବୀର ପ୍ରାୟ ୫୦ କୋଟି ଲୋକଙ୍କୁ ଦାରିଦ୍ର୍ୟ ଭିତରକୁ ଠେଲିଦେବ ଏହି ବିଶ୍ୱସଂକଟ। ମହାମାରୀ ସରିବା ବେଳକୁ ବିଶ୍ୱ ଜନସଂଖ୍ୟାର ଅଧାରୁ ଅଧିକ ଲୋକ ଗରିବ ଶ୍ରେଣୀରେ ଥିବେ। ସେଥିରୁ ପ୍ରାୟ ୪୦ ପ୍ରତିଶତ ନୂଆ ଗରିବ ପୂର୍ବ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏବଂ ୩୩ ପ୍ରତିଶତ ଆଫ୍ରିକା ଓ ଦକ୍ଷିଣ ଏସିଆରେ ସୃଷ୍ଟି ହୋଇଥିବେ। ଏହି ମାନ୍ଦାବସ୍ଥା ଦ୍ୱାରା କ୍ଷୁଦ୍ର ଓ ଅତିକ୍ଷୁଦ୍ର ଶିଳ୍ପଦ୍ୟୋଗୀ, ଛୋଟ ଦୋକାନୀ ଏପରିକି କୃଷି କ୍ଷେତ୍ର ବି ଅତ୍ୟଧିକ ମାତ୍ରାରେ ପ୍ରଭାବିତ ହେବ ବୋଲି ଅର୍ଥନୀତି ବିଷାରଦମାନେ ଆଶଙ୍କା କରିଛନ୍ତି।
ଏଭଳି ଏକ ସମୟରେ ଆସନ୍ତା ସପ୍ତାହରେ ବିଶ୍ୱ ବ୍ୟାଙ୍କ, IMF ଓ ଜି-୨୦ ରାଷ୍ଟ୍ର ସମୂହର ଅର୍ଥମନ୍ତ୍ରୀଙ୍କ ବୈଠକ ହେବାକୁ ଥିବା ବେଳେ, ଏହି ସଂକଟ ସ୍ଥିତି ଉପରେ କଣ ଆଲୋଚନା ହେଉଛି, ତା ଉପରେ ସମସ୍ତଙ୍କର ନଜର ରହିଛି।