ସମଲିଙ୍ଗୀ ବାର୍‌ରେ ଆଖିବୁଜା ଗୁଳିମାଡ଼, ୨ ଜଣଙ୍କ ଜୀବନ ଗଲା

ଓସଲୋ: ନରୱେର ରାଜଧାନୀ ଓସଲୋରେ ଥିବା ଗୋଟିଏ ସମଲିଙ୍ଗୀ ବାର ଓ ନିକଟସ୍ଥ ରାସ୍ତାରେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ହୋଇଥିବା ୧୪ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ଜଣେ ବନ୍ଧୁକଧାରୀ ସାଧାରଣ ଲୋକଙ୍କୁ ଗୁଳିମାଡ଼ କରିଥିବା କୁହାଯାଉଛି। ସେହିପରି ପୁଲିସ୍‌ ମଧ୍ୟ ଆକ୍ରମଣକାରୀକୁ ଗିରଫ କରି ଅଧିକ ତଦନ୍ତ କରୁଛି। ପୁଲିସ୍‌ ମୁଖପାତ୍ର ଟୋର […]

Norway

Hemant Lenka
  • Published: Saturday, 25 June 2022
  • , Updated: 25 June 2022, 09:25 AM IST

ଓସଲୋ: ନରୱେର ରାଜଧାନୀ ଓସଲୋରେ ଥିବା ଗୋଟିଏ ସମଲିଙ୍ଗୀ ବାର ଓ ନିକଟସ୍ଥ ରାସ୍ତାରେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ହୋଇଥିବା ୧୪ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ଜଣେ ବନ୍ଧୁକଧାରୀ ସାଧାରଣ ଲୋକଙ୍କୁ ଗୁଳିମାଡ଼ କରିଥିବା କୁହାଯାଉଛି। ସେହିପରି ପୁଲିସ୍‌ ମଧ୍ୟ ଆକ୍ରମଣକାରୀକୁ ଗିରଫ କରି ଅଧିକ ତଦନ୍ତ କରୁଛି।

ପୁଲିସ୍‌ ମୁଖପାତ୍ର ଟୋର ବାରଷ୍ଟାଡ କହିଛନ୍ତି, ଲଣ୍ଡନ ପବ ଦେଇ ନିକଟସ୍ଥ କ୍ଲବ ଓ ଏହାର ଆଖପାଖ ଅଞ୍ଚଳରେ ଗୁଳିମାଡ଼ ଯୋଗୁ ଆତଙ୍କ ସୃଷ୍ଟି ହୋଇଥିଲା। ଜଣେ ବନ୍ଧୁକଧାରୀ ହଠାତ୍‌ ଏଠାରେ ଥିବା ବାର୍‌ ଓ ନିକଟସ୍ଥ ରାସ୍ଥାରେ ଗୁଳିମାଡ଼ କରିଥିଲା। ଖବର ପାଇ ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ଏଥିସହ କ୍ଲବ ନିକଟସ୍ଥ ରାସ୍ତାରୁ ଆକ୍ରମଣକାରୀକୁ ଗିରଫ କରିଯାଇଛି। ଗୁଳିମାଡ଼ରେ ଆହତ ଲୋକମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଲଣ୍ଡନ ପବଟି କେନ୍ଦ୍ରୀୟ ଓସଲୋର ସମଲିଙ୍ଗୀ(ଗେ) ବାର ଓ ନାଇଟ କ୍ଲବ ପାଇଁ ବେଶ ପରିଚିତ। ଏହାକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଥିବା ସେ କହିଛନ୍ତି।

ସ୍ଥାନୀୟ ସାମ୍ବାଦିକଙ୍କ ମତରେ ଜଣେ ବ୍ୟକ୍ତି ଗୋଟିଏ ବ୍ୟାଗ ଧରି ଗେ’ ବାରରେ ପହଞ୍ଚିଥିଲେ। ଏହାପରେ ସେ ବ୍ୟାଗ ଭିତରୁ ବନ୍ଧୁକ ବାହାର କରି ବାର ଓ ଆଖପାଖ ଅଞ୍ଚଳରେ ଗୁଳିମାଡ଼ କରିଥିଲେ। ତେବେ ଆକ୍ରମଣ ପଛର କାରଣ ଜଣାପଡ଼ିନାହିଁ। ଘଟଣା ପରେ ଲୋକମାନେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ଜରୁରୀ ସେବାରେ ନିୟୋଜିତ କର୍ମଚାରୀ ଓ ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଓସଲୋର ଲଣ୍ଡନ ପବ ଉପରେ ହେଲିକପ୍ଟର ବୁଲିବା ସହ ପୁଲିସ୍‌ ସାଇରନ ବଜାଇ ସହରବାସୀଙ୍କୁ ସତର୍କ କରାଇଥିଲା। ଆକ୍ରମଣର କିଛି ସମୟ ମଧ୍ୟରେ ହିଁ ଆକ୍ରମଣକାରୀକୁ ଗିରଫ କରାଯାଇଥିବା ସାମ୍ବାଦିକ ଜଣଙ୍କ କହିଛନ୍ତି।

Related story