ଆଶ୍ଚର୍ଯ୍ୟ: ୮ ବର୍ଷର ପିଲା ନାଁରେ ଲାଗିଲା ଧର୍ମଦ୍ରୋହ ମାମଲା

ନୂଆଦିଲ୍ଲୀ: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ପାକିସ୍ତାନରେ ଏପରି ଘଟଣା ଘଟିଛି। ଜଣେ ୮ ବର୍ଷୀୟ ହିନ୍ଦୁ ବାଳକ ନାଁରେ ପ୍ରଶାସନ ପକ୍ଷରୁ ଧର୍ମଦ୍ରୋହ ଆଇନ ଅନୁସାରେ ମାମଲା କରାଯାଇଛି। ଏତେ କମ ବୟସ୍କ ପିଲା ନାଁରେ ଧର୍ମଦ୍ରୋହ ଲାଗୁ ହେବା ପୂରା ବିଶ୍ୱ ତଥା ପାକିସ୍ତାନରେ ପ୍ରଥମ ଘଟଣା। ଏହି ଦଫା ଲାଗିବା ପରେ ପୁଲିସ୍‌ ତାଙ୍କୁ ଗିରଫ ମଧ୍ୟ କରିଥିଲା। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପଞ୍ଜାବ ପ୍ରଦେଶର ରହିମ ୟାର ଖାନ ଜିଲ୍ଲାରେ […]

Law

Hemant Lenka
  • Published: Monday, 09 August 2021
  • , Updated: 09 August 2021, 06:28 PM IST

ନୂଆଦିଲ୍ଲୀ: ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ପାକିସ୍ତାନରେ ଏପରି ଘଟଣା ଘଟିଛି। ଜଣେ ୮ ବର୍ଷୀୟ ହିନ୍ଦୁ ବାଳକ ନାଁରେ ପ୍ରଶାସନ ପକ୍ଷରୁ ଧର୍ମଦ୍ରୋହ ଆଇନ ଅନୁସାରେ ମାମଲା କରାଯାଇଛି। ଏତେ କମ ବୟସ୍କ ପିଲା ନାଁରେ ଧର୍ମଦ୍ରୋହ ଲାଗୁ ହେବା ପୂରା ବିଶ୍ୱ ତଥା ପାକିସ୍ତାନରେ ପ୍ରଥମ ଘଟଣା। ଏହି ଦଫା ଲାଗିବା ପରେ ପୁଲିସ୍‌ ତାଙ୍କୁ ଗିରଫ ମଧ୍ୟ କରିଥିଲା।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପଞ୍ଜାବ ପ୍ରଦେଶର ରହିମ ୟାର ଖାନ ଜିଲ୍ଲାରେ ପିଲାଟି ପରିବାର ଲୋକଙ୍କ ସହ ରହୁଥିଲେ। ତେବେ ଘଟଣା ପରେ ଏଠାରେ ରହୁଥିବା ତାଙ୍କ ପରିବାର ସଦସ୍ୟ ଓ ହିନ୍ଦୁ ସଂପ୍ରଦାୟର ଲୋକମାନେ ଘର ଛାଡ଼ି ଭୟରେ ଚାଲି ଯାଇଛନ୍ତି।

ଗତ ସପ୍ତାହରେ ୮ ବର୍ଷୀୟ ବାଳକଙ୍କୁ କୋର୍ଟ ଜାମିନ ଦେଇଥିଲେ। ଏହାପରେ ମୁସଲିମ ସଂପ୍ରଦାୟର ଲୋକମାନେ ଗୋଟିଏ ମନ୍ଦିର ଉପରେ ଆକ୍ରମଣ କରିବାକୁ ପୂରା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ହିଂସା ସୃଷ୍ଟି ହେବାର ଆଶଙ୍କା ଥିବାରୁ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ମତୁୟନ କରାଯାଇଛି। ମନ୍ଦିର ଆକ୍ରମଣ ଘଟଣାରେ ଅଗଷ୍ଟ ୭ରେ ୨୦ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତ ମାସରେ ବାଳକ ଜଣଙ୍କ ଗୋଟିଏ ମଦ୍ରାସାର ଲାଇବ୍ରେରୀରେ ଥିବା କାରପେଟ୍‌ରେ ପରିଶ୍ରା କରି ଦେଇଥିଲେ। ଏଠାରେ ଇସଲାମ ଧର୍ମର ପବିତ୍ର ବହି ରହିଥିଲା। ଏହି କାରଣରୁ ପ୍ରବଳ ବିବାଦ ସୃଷ୍ଟି ହୋଇଥିଲା। ଶେଷରେ ଛୋଟ ପିଲା ନାଁରେ ଧର୍ମଦ୍ରୋହ ଦଫା ଲାଗିଥିଲା।

ଏବେ ଭୟରେ ଏକ ଗୁପ୍ତ ସ୍ଥାନରେ ରହିଥିବା ୮ ବର୍ଷୀୟ ପିଲାଟିର ପରିବାର ଲୋକ କହିଛନ୍ତି, ଆମ ପିଲା ଧର୍ମଦ୍ରୋହ ବା କୌଣସି ଧର୍ମକୁ ଅପମାନିତ କରିବା ବିଷୟରେ କିଛି ବି ଜାଣିନି। ତାକୁ ଏହି ଘଟଣାରେ ଫସାଇ ଦିଆଯାଇଛି। ଏପରି କି ସେ ତା’ର ଅପରାଧ କ’ଣ ଓ କାହିଁକି ତା’କୁ ଗୋଟିଏ ସପ୍ତାହ ଜେଲରେ ରଖାଗଲା, ସେକଥା ବି ଠିକ୍‌ ଭାବେ ଜାଣିନି। ଆମେ ଘଟଣା ପରେ ଆମ ଦୋକାନ ଓ ଘର ଛାଡ଼ି ପଳାଇ ଆସିଛୁ। ଆମ ହିନ୍ଦୁ ସଂକ୍ରଦାୟର ଲୋକମାନେ ବି ଏବେ ଭୟଭୀତ। ଆମେ ଉକ୍ତ ସ୍ଥାନକୁ ଆଉ ଫେରିବାକୁ ଚାହୁଁନାହୁଁ ବୋଲି ପରିବାରର ଜଣେ ସଦସ୍ୟ କହିଛନ୍ତି।

ଏତେ କମ ବୟସରେ ପିଲା ନାଁରେ ଧର୍ମଦ୍ରୋହ ଦଫା ଲାଗିବାକରୁ ଆଇନ ବିଶେଷଜ୍ଞମାନେ ମଧ୍ୟ ଚକିତ ହୋଇଛନ୍ତି। ପାକିସ୍ତାନରେ ପୂର୍ବରୁ କେବେ ହେଲେ ଏତେ କମ ବୟସ୍କଙ୍କ ନାଁରେ ଏପରି ଦଫା ଲାଗି ନଥିବା ସେମାନେ କହିଛନ୍ତି।

ଅନ୍ୟପକ୍ଷରେ ମନ୍ଦିର ଭଙ୍ଗା ଯିବା ଘଟଣାକୁ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିନ୍ଦା କରିଛନ୍ତି। ଏଥିସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଏହାବାଦ ଉକ୍ତ ସ୍ଥାନରେ ମନ୍ଦିର ସରକାର ପୁଣି ତିଆରି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Related story