ଇସଲାମାବାଦ: ନିକଟରେ ଇସ୍ରାଏଲ ପାଲେଷ୍ଟାଇନର ଗାଜା ଉପରେ ଘନ ଘନ ଏୟାର ଷ୍ଟ୍ରାଇକ କରିଥିଲା। ଏଥିରେ ଅନେକ ପାଲେଷ୍ଟାଇନବାସୀଙ୍କର ମୃତ୍ୟୁ ହେବା ସହ ଅନେକ କ୍ଷତି ମଧ୍ୟ ଘଟିଛି। ଏହାକୁ ବିରୋଧ କରି ପାକିସ୍ତାନ ଇସ୍ରାଏଲ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିଲା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଧ୍ୟ ଏହି ମାମଲାରେ ବେଶ୍ ସକ୍ରିୟତା ଦେଖାଇଥିଲେ। ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରିବା ଦ୍ୱାରା ଅନେକ ମୁସଲମାନଙ୍କର ମୃତ୍ୟୁ ଘଟିଛି। ଏହା ମାନବିକତା ବିରୋଧୀ କାମ। ଏଥିପାଇଁ ଇସ୍ରାଏଲ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଅନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ପାକିସ୍ତାନ ସମାନ ପ୍ରସଙ୍ଗ ଉଠାଇଥିଲା।
କିନ୍ତୁ ଏବେ ଇମ୍ରାନ ଖାନଙ୍କ ଏପରି ମନ୍ତବ୍ୟ ନିଜ ପାଇଁ ବୁମେରାଂ ହୋଇଛି। କାରଣ ଇମ୍ରାନ ଖାନଙ୍କ ପରାମର୍ଶଦାତା ସୟଦ ଜୁଲିଫକାର ବୁଖାରୀ ଗତ ନଭେମ୍ୱରରେ ଇସ୍ରାଏଲ ଯାଇଥିଲେ ବୋଲି ଜଣାପଡ଼ିଛି। ଏହି ସମୟରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ତତ୍କାଳୀନ ମୁଖ୍ୟଙ୍କୁ ମଧ୍ୟ ସେ ଭେଟିଥିବା ଜଣାପଡ଼ିଛି। ଯାହାକି ସମ୍ପୂର୍ଣ୍ଣ ଭାବରେ ଗୋପନୀୟ ରହିଥିଲା। ଏବେ କିନ୍ତୁ ଏହି ସୟଦଙ୍କ ଇସ୍ରାଏଲ ଗସ୍ତ ବାବଦରେ ସମସ୍ତ ପ୍ରମାଣ ସାର୍ବଜନୀନ କରିଛନ୍ତି ଡକ୍ଚର ଆରସଲନ ଖିଲାଡି। ଯିଏକି ଇମ୍ରାନଙ୍କ ଦଳ ସହିତ ଥିଲେ ଏବେ କିନ୍ତୁ ଆଉ ଏକ ଦଳରେ ଯୋଗ ଦେଇଛନ୍ତି। ଇସ୍ରାଏଲ ମିଡିଆରେ ସୟଙ୍କ ଗସ୍ତ ବାବଦରେ ପ୍ରକାଶିତ ରିପୋର୍ଟକୁ ଦେଖାଇଛନ୍ତି ଅରଶଲନ। ଯାହାକୁ ନେଇ ପାକିସ୍ତାନ ସରକାର ହରଡଘଣାରେ।
ତେବେ ଏଏନଆଇର ରିପୋର୍ଟ ଅନୁଯାୟୀ ସୟଦ ଇସ୍ରାଏଲ ଯାଇ ଅନେକ ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। ଏଥିସହ ପାକିସ୍ତାନ ସେନାର ମୁଖ୍ୟ ବାଜଓ୍ୱାଙ୍କ ବାର୍ତ୍ତାକୁ ଇସ୍ରାଏଲ ସରକାରଙ୍କ ପାଖରେ ପହଞ୍ଚାଇଥିଲେ। ଏମିତିକି ସମୁଦ୍ରରେ ସମରଭ୍ୟାସ କରିବାକୁ ପ୍ରସ୍ତାବ ଦେଇଥିବା ସୂଚନା ରହିଛି।
https://twitter.com/sayedzbukhari/status/1409429544579129345?s=20
ତେବେ ଡକ୍ଟର ଅରଶଲନ ଖିଲାଡିଙ୍କ ଟ୍ୱିଟ୍ ପାକିସ୍ତାନ ରାଜନୀତିରେ ହଟଚମଟ କରିବା ପରେ ସଫେଇ ଦେଇଛନ୍ତି ସୟଦ। ସେ ଏଭଳି ଖବରକୁ ଖଣ୍ଡନ କରିଛନ୍ତି। ଇସ୍ରାଏଲ ମିଡିଆ ପାକିସ୍ତାନର ସୂଚନା ଅନୁଯାୟୀ ତାଙ୍କ ଗସ୍ତର ରିପୋର୍ଟ ପ୍ରକାଶ କରିଥିବା ବେଳେ ପାକିସ୍ତାନର ନେତା ଇସ୍ରାଏଲ ଖବରକାଗଜରେ ପ୍ରକାଶ ପାଇଥିବା ଖବରକୁ ଆଧାର କରି ତାଙ୍କ ବିରୋଧରେ ଅଭିଯୋଗ ଆଣୁଛନ୍ତି। ଏହି ଖବର ସମ୍ପୂର୍ଣ୍ଣ ଭାବରେ ଗୁଜବ ବୋଲି ସୟଦ କହିଛନ୍ତି।
https://twitter.com/dahrinoor2/status/1338772863768268801?s=20
ତେବେ ଇସ୍ରାଏଲ ମିଡିଆରେ ସୟଦଙ୍କ ଗସ୍ତ ବାବଦରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ସେଥିରେ ଉଲ୍ଲେଖ ରହିଛି ଭାୟା ଲଣ୍ଡନ ସୟଦ ଇସ୍ରାଏଲ ଆସିଥିଲେ। ଇସ୍ରାଏଲ ମିଡିଆ ସୟଦଙ୍କ ଗସ୍ତ ନେଇ ଇସ୍ରାଏଲ ବୈଦେଶିକ ମନ୍ତ୍ରାଳୟର ଅଧିକାରୀଙ୍କ ମନ୍ତବ୍ୟକୁ ଆଧାର କରି ଖବର ପ୍ରକାଶ କରିଥିଲା। ୟୁଏଇର ଚାପରେ ପାକିସ୍ତାନ ଇସ୍ରାଏଲ ସହିତ ସମ୍ପର୍କ ବଢ଼ାଇବାକୁ ଯୋଜନା କରୁଥିଲା ବୋଲି ସୂଚନା ରହିଛି।