ଇସଲାମାବାଦ: ଫସିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ। ଇମ୍ରାନଙ୍କ ନାମରେ ରୁଜୁ ହୋଇଛି ସଙ୍ଗିନ ମାମଲା। ଆତଙ୍କବାଦ ନିରୋଧୀ ଆଇନ (ଏଟିଏ) ଅନୁଯାୟୀ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଏତଲା ଦାୟର ହୋଇଛି। ଇସଲାମାବାଦରେ ଏକ ରାଲିରେ ଭାଷଣ ଦେଲା ବେଳେ ଇମ୍ରାନ ଜଣେ ବିଚାରପତି ଏବଂ ଦୁଇ ବରିଷ୍ଠ ଅଧିକାରୀଙ୍କୁ ଧମକ ଦେବା ଅଭିଯୋଗର ତାଙ୍କ ନାମରେ ମାମଲା ରୁଜୁ ହୋଇଛି। ଏହାପୂର୍ବରୁ ପାକିସ୍ତାନର ବୈଦ୍ୟୁତିକ ଗଣମାଦ୍ୟମ ‘ୱାଚଡଗ୍ ’ ଇମ୍ରାନଙ୍କ ଲାଇଭ ଭାଷଣକୁ ପ୍ରସାରଣ ବନ୍ଦ କରିଥିଲା। ଇମ୍ରାନ ରାଷ୍ଟ୍ରୀୟ ଅନୁଷ୍ଠାନକୁ ଖୋଲା ଧମକ ଦେଇଥିବାରୁ ଏହି ଚାନେଲ ତାଙ୍କ ଭାଷଣ ପ୍ରସାରଣ ବନ୍ଦ କରିଥିଲା।
ଏଥିସହ ଉକ୍ତ ଜନସଭାରେ ଇମ୍ରାନ ଉତ୍ତେଜନାମୂଳକ ଭାଷଣ ଦେଇଥିଲେ। ପାକିସ୍ତାନ ବୈଦ୍ୟୁତିକ ମିଡିଆ ନିୟାମକ ପ୍ରାଧିକରଣ କହିଛି ଯେ, ଇମ୍ରାନଙ୍କ ଭାଷଣ ଯାଞ୍ଚ ହେବା ପରେ ତାଙ୍କ ରେକର୍ଡ଼ ଭାଷଣ ପ୍ରସାରଣ କରାଯିବ। ଇସଲାମବାଦରେ ଇମ୍ରାନ ଭାଷଣ ଦେଉଥିଲା ବେଳେ ଶନିବାର ଦେଶର ପୁଲିସ ଉପରେ ବର୍ଷିଥିଲେ।
ଏମିତି କି ଟପ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଧମକ ଦେଇଥିଲେ। ସେହିପରି ଜଣେ ମହିଳା ବିଚାରପତି ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ଏତଲା ପାଇଁ ସେ ଧମକ ଦେଇଥିଲେ। ଗତ ସପ୍ତାହରେ ଇମ୍ରାନଙ୍କ ସହଯୋଗୀ ସେହବାଜ ଗିଲଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଛି। ଫଳରେ ଏହାକୁ ନେଇ ଇମ୍ରାନ ରାଗରେ ଖଡ଼ଗହସ୍ତ ହୋଇଛନ୍ତି।