ଅଧିକ ମଦ ପିଇବାକୁ ଯୁବଗୋଷ୍ଠୀଙ୍କୁ କହିଲେ ସରକାର, ଆରମ୍ଭ ହେଲା ସ୍ୱତନ୍ତ୍ର ଅଭିଯାନ

ଟୋକିଓ: ମଦ ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ। ଏହାକୁ ନ ପିଇବାକୁ ସମସ୍ତେ ପରାମର୍ଶ ଦିଅନ୍ତି। ମଦ ଯୋଗୁ କେତେ କ’ଣ ଅଘଟଣ ଘଟୁଛି। ଦୁଷ୍କର୍ମ ଠାରୁ ଆରମ୍ଭ କରି ଦୁର୍ଘଟଣା ଓ ହତ୍ୟା ଭଳି ସଂଗୀନ ଘଟଣା ପାଇଁ ମଦକୁ ଦାୟୀ କରାଯାଉଛି। ଏସବୁ ସତ୍ତ୍ୱେ ସରକାର ଅଧିକରୁ ଅଧିକ ମଦ ପିଇବା ପାଇଁ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି। ଯୁବଗୋଷ୍ଠୀଙ୍କୁ ମଦ ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ସ୍ୱତନ୍ତ୍ର ପ୍ରଚାର ଅଭିଯାନ ମଧ୍ୟ ଆରମ୍ଭ […]

Liquor

  • Published: Saturday, 20 August 2022
  • , Updated: 20 August 2022, 04:11 PM IST

ଟୋକିଓ: ମଦ ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ। ଏହାକୁ ନ ପିଇବାକୁ ସମସ୍ତେ ପରାମର୍ଶ ଦିଅନ୍ତି। ମଦ ଯୋଗୁ କେତେ କ’ଣ ଅଘଟଣ ଘଟୁଛି। ଦୁଷ୍କର୍ମ ଠାରୁ ଆରମ୍ଭ କରି ଦୁର୍ଘଟଣା ଓ ହତ୍ୟା ଭଳି ସଂଗୀନ ଘଟଣା ପାଇଁ ମଦକୁ ଦାୟୀ କରାଯାଉଛି। ଏସବୁ ସତ୍ତ୍ୱେ ସରକାର ଅଧିକରୁ ଅଧିକ ମଦ ପିଇବା ପାଇଁ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି।

ଯୁବଗୋଷ୍ଠୀଙ୍କୁ ମଦ ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ସ୍ୱତନ୍ତ୍ର ପ୍ରଚାର ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି। ଦେଶର ରାଜସ୍ୱ ହ୍ରାସ ପାଉଥିବାରୁ ଜାପାନ ସରକାର ନିଜର ଦେଶର ଯୁବଗୋଷ୍ଠୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଅଧିକ ମଦ ପିଇବା ପାଇଁ ଆହ୍ୱାନ ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି।

ଯୁବଗୋଷ୍ଠୀଙ୍କ ମଧ୍ୟରେ ମଦ ପିଇବାର ଚାହିଦା ବୃଦ୍ଧି କରିବା ପାଇଁ ଜାପାନ ସରକାରଙ୍କ ନ୍ୟାଶନାଲ ଟ୍ୟାକ୍ସ ଏଜେନ୍ସି(ଏନଟିଏ) ଜାତୀୟ ବ୍ୟବସାୟିକ ପ୍ରତିଯୋଗିତା ଆରମ୍ଭ କରିଛି। ଏହାର ନାଁ ‘ସେକ ଭିଭା’ ରଖାଯାଇଛି। ଏହି ପ୍ରତିଯୋଗିତା ମାଧ୍ୟମରେ ଯୁଗୋଷ୍ଠୀଙ୍କୁ ମଦ ପିଇବାକୁ ଉତ୍ସାହିତ କରାଯିବ।

ଜାପାନିଜମାନଙ୍କ ମଦ ପିଇବା ପରିମାଣକୁ କେମିତି ବୃଦ୍ଧି କରାଯିବ, ତା’ର ବ୍ୟବସାୟିକ ଯୋଜନା ନେଇ ଯୁବଗୋଷ୍ଠୀମାନେ ଏହି ପ୍ରତିଯୋଗିତାରେ ସାମିଲ ହେବେ। ସେକ, ସ୍କଚ, ଆୱାମୋରି, ବିୟର, ହ୍ୱିସ୍କି ଓ ୱାଇନକୁ ଅଧିକ ଲୋକପ୍ରିୟ କରିବା ପାଇଁ କାର୍ଯ୍ୟକ୍ରମ ଜରିଆରେ ପ୍ରୟାସ କରାଯିବ।

ମହାମାରୀ କରୋନା ଯୋଗୁ ଅବକାରୀ ଇଣ୍ଡଷ୍ଟ୍ରୀ କ୍ଷତି ସହିଛି। ସେହିପରି ରାଜସ୍ୱ ଆଦାୟ କମି ଯାଇଛି। ଏଥିଯୋଗୁ ନାନା ପ୍ରକାରର ସମସ୍ୟା ସୃଷ୍ଟି ହେଉଛି। ଏହାର ସମାଧାନ ପାଇଁ ସେକ ଭିଭା କାର୍ଯ୍ୟକ୍ରମ କରାଯାଉଥିବା ଟ୍ୟାକ୍ସ ଏଜେନ୍ସି କହିଛି।

ଏହି ପ୍ରତିଯୋଗିତାରେ ୨୦ରୁ ୩୯ ବର୍ଷ ବୟସ ମଧ୍ୟରେ ଥିବା ଯୁବକ ଓ ଲୋକମାନେ ମଦ ବ୍ୟବସାୟକୁ ବୃଦ୍ଧି ପାଇଁ ନିଜ ନିଜର ପ୍ରସ୍ତାବ ରଖିବେ। ମଦର ଟେଷ୍ଟ ଠାରୁ ଆରମ୍ଭ କରି ଡିଜାଇନ ଓ ମାର୍କେଟିଂ ଆଦି ସମ୍ପର୍କରେ ମଧ୍ୟ ସେମାନେ ପ୍ରସ୍ତାବ ଦେଇ ପାରିବେ।

ଏହି ପ୍ରତିଯୋଗିତାରେ ଭାଗନେବା ପାଇଁ କୌଣସି ପ୍ରକାରର ପ୍ରବେଶ ଫି’ ଦେବାକୁ ପଡ଼ିବ ନାହିଁ। ପ୍ରତିଯୋଗୀମାନେ କେବଳ ମଦ କେମିତି ଅଧିକ ଲୋକଙ୍କ ପାଖରେ ପହଞ୍ଚିବ, ତା’ର ଉପରେ ନିଜର ମତାମତ ରଖିବେ। ପ୍ରତିଯୋଗିତାର ଚୂଡ଼ାନ୍ତ ପ୍ରାର୍ଥୀମାନଙ୍କୁ ସେପ୍ଟେମ୍ବର ୨୭ ସୁଦ୍ଧା ଚୟନ କରାଯିବ। ଏହାପରେ ଅକ୍ଟୋବର ମାସରେ ଆଉ ଗୋଟିଏ ରାଉଣ୍ଡ ପ୍ରତିଯୋଗିତା ହେବ। ଏହି ଅଭିନବ ପ୍ରତିଯୋଗିତାର ଚୂଡ଼ାନ୍ତ ରେଜଲ୍ଟ ନଭେମ୍ବର ୧୦ରେ ଟୋକିଓ ଠାରେ ଘୋଷଣା କରାଯିବ।

ଏନଟିଏର ତଥ୍ୟ ଅନୁଯାୟୀ, ଜାପାନାରେ ମଦ ପିଇବା ପରିମାଣ ଆଶାତୀତ ଭାବେ ହ୍ରାସ ପାଉଛି। ୨୦୨୦ କରୋନା ବେଳେ ଜାପାନିଜମାନେ ସବୁଠାରୁ କମ ମଦ ପିଇଥିଲା। ୨୦୨୦ ଆର୍ଥିକ ବର୍ଷରେ ମୋଟ ରାଜସ୍ୱ ମଧ୍ୟରୁ ମଦ ଉପରେ ଲାଗୁଥିବା ଟ୍ୟାକ୍ସରୁ ମାତ୍ର ୧.୯% ଅର୍ଥ ସଂଗ୍ରହ ହୋଇଥିଲା। ୨୦୧୦ରେ ଏହା ୩.୩% ଓ ୨୦୦୦ ମସିହାରେ ୩.୬% ଟିକସ ବାବଦ ଅର୍ଥ ଆଦାୟ ହୋଇଥିଲା। ୧୯୯୪ରେ ମଦ ବିକ୍ରି କରି ସରକାର ୪.୧%  ଅର୍ଥ ପାଇଥିଲେ। ୨୦୦୦ରୁ ୨୦୨୦ ମଧ୍ୟରେ ମଦରୁ ଆଦାୟ କରାଯାଉଥିବା ଅର୍ଥ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ୨୦୦୦ ମସିହାରେ ସରକାର ୧,୭୫୮,୮୦୦ ମିଲିୟନ ୟେନ ଆଦାୟ କରିଥିଲେ। କିନ୍ତୁ ୨୦୨୦ରେ ଏହା ୧,୦୬୮,୧୦୦ ମିଲିୟନକୁ ଖସି ଆସିଛି।

Related story