ନୂଆଦିଲ୍ଲୀ: ଚାରିଆଡେ ମହାମାରୀ କରୋନା ତାର କାୟା ବିସ୍ତାର କରିସାରିଛି। ଏଥିରୁ ବର୍ତ୍ତିବା ପାଇଁ ଲୋକେ ଅନେକ ଉପାୟ ଆପଣାଉଛନ୍ତି। ମାସ୍କ ପିନ୍ଧିବା ସହ ମଉକା ମିଳିଲେ ଟିକା ମଧ୍ୟ ନେଉଛନ୍ତି। ଚାରିଆଡେ ବର୍ତ୍ତମାନ ଟିକାକରଣ ଚାଲିଛି। ଭାରତରେ ପ୍ରାୟ ୬୨ କୋଟି ଲୋକ ଟିକା ନେଇସାରିଲେଣି। ଜଣେ ବ୍ୟକ୍ତିଙ୍କ ପିଛା କରୋନା ଟିକାର ଦୁଇଟି ଡୋଜ ନିର୍ଦ୍ଧାରିତ କରାଯାଇଛି। କିନ୍ତୁ ଏହାରି ଭତରେ ଜଣେ ବ୍ୟକ୍ତି ଟିକା ପାଇଁ ବିକଳ ହୋଇ ୫ଟି ଡୋଜ ନେଇସାରିଲେଣି।
ରିପୋର୍ଟ ଅନୁସାରେ ବ୍ରାଜିଲ ରିୟୋ ଡି ଜେନେରିଓରେ ରହୁଥିବା ଜଣେ ବ୍ୟକ୍ତି କରୋନାରୁ ବର୍ତ୍ତିବା ପାଇଁ ନୂଆ ଟେକ୍ନିକ୍ ଆପଣାଇଛନ୍ତି। ସେ ଦେଢ଼ ମାସ ଅର୍ଥାତ ୧୦ ସପ୍ତାହ ଭିତରେ ୩ଟି କମ୍ପାନୀର କରୋନା ଟିକାର ୫ଟି ଡୋଜ ନେଇସାରିଛନ୍ତି। ଏହି ଖବର ଏବେ ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ସେପଟେ ଏନେଇ ପ୍ରଶାସନ ଜାଣିବା ପରେ ତଦନ୍ତ ଆରମ୍ଭ କରିଛି। ପ୍ରଥମେ ୱେବସାଇଟ୍ରେ କିଛି ଗଡବଡ ଥିବା ଜଣାପଡିଥିଲା କିନ୍ତୁ ଯାଞ୍ଚ ପରେ ପୂରା ସତ ସାମ୍ନାକୁ ଆସିଥିଲା। ତଦନ୍ତରୁ ଜଣାପଡିଥିଲା ଯେ, ଉକ୍ତ ବ୍ୟକ୍ତି ଜଣକ ଜାଣିଶୁଣି କରୋନାରୁ ବର୍ତ୍ତିବା ପାଇଁ ଏଭଳି କାରନାମା କରିଛନ୍ତି। ସେ ଜାଳିଆତି କରି ୫ଟି ଡୋଜ ଲଗାଇଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଉକ୍ତ ବ୍ୟକ୍ତି ଜଣକ କରୋନା ଟିକାର ୫ଟି ଡୋଜ ନେଇଥିଲେ ସୁଦ୍ଧ ପୂରିପୁରି ଠିକ୍ ଅଛନ୍ତି। ତାଙ୍କ ଠାରେ କୌଣସି ପ୍ରକାରର ସମସ୍ୟା ଦେଖା ଦେଇନାହିଁ କି କୌଣସି ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ଦେଖାଦେଇନି।
ସୂଚନା ମୁତାବକ ବ୍ରାଜିଲରେ ତାଣ୍ଡବ ରଚିଥିଲା ମହାମାରୀ କରୋନା। ପ୍ରଥମ ଏବଂ ଦ୍ୱିତୀୟ ଲହରରେ ବ୍ରାଜିଲରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେବି ସେଠି ପ୍ରତିଦିନ ପାଖାପାଖି ୩୦,୦୦୦ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ହାରାହାରି ୮ଶହ ରହିଛି। ଅଗଷ୍ଟ ୨୩ ରେ ସେଠାରେ ଦୈନିକ ସଂକ୍ରମିତ ସଂଖ୍ୟା ୧୩,୦୦୦ ରହିଥିବା ବେଳେ ୨୪ ପାଖରୁ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ବଢ଼ି ୩୦,୦୦୦ ଛୁଇଁଛି। ସେହିପରି ମୃତ୍ୟୁ ସଂଖ୍ୟା ୩୦୦ରୁ ଆସି ୯୦୦ରେ ପହଞ୍ଚିଛି। ଅନ୍ୟପକ୍ଷରେ କରୋନାକୁ ମାତ୍ ଦେବା ପାଇଁ ଟିକକରଣ ମଧ୍ୟ ଜାରି ରହିଛି।