ଅସହ୍ୟ ହେଉଛି ଦରଦାମ ବୃଦ୍ଧି: ମହିଳା କହିଲେ ପିଲାଙ୍କୁ ଖାଇବାକୁ ଦେବି ନା ମାରିଦେବି

ଇସଲାମାବାଦ: ବିଭିନ୍ନ ସାମଗ୍ରୀର ଦାମ ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ସୋଶାଲ ମିଡିଆରେ ଜଣେ ପାକିସ୍ତାନୀ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମହିଳା ଜଣଙ୍କ ଦେଶରେ ମେଡିସିନ, ଖାଦ୍ୟ ସାମଗ୍ରୀ ଓ ବିଜୁଳି ଦର ହୁହୁ ହୋଇ ବଢ଼ୁଥିବା କଥା କହିଛନ୍ତି। ଏଥିସହ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଓ ପିଏମଏଲ-ଏନର ନେତା ମାରୟମ ନୱାଜଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଦରଦାମ ବୃଦ୍ଧି ଯୋଗୁ ସେ ନିଜ ପିଲାମାନଙ୍କୁ ଠିକ […]

woman

  • Published: Thursday, 11 August 2022
  • , Updated: 11 August 2022, 10:04 AM IST

ଇସଲାମାବାଦ: ବିଭିନ୍ନ ସାମଗ୍ରୀର ଦାମ ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ସୋଶାଲ ମିଡିଆରେ ଜଣେ ପାକିସ୍ତାନୀ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମହିଳା ଜଣଙ୍କ ଦେଶରେ ମେଡିସିନ, ଖାଦ୍ୟ ସାମଗ୍ରୀ ଓ ବିଜୁଳି ଦର ହୁହୁ ହୋଇ ବଢ଼ୁଥିବା କଥା କହିଛନ୍ତି। ଏଥିସହ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଓ ପିଏମଏଲ-ଏନର ନେତା ମାରୟମ ନୱାଜଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ଦରଦାମ ବୃଦ୍ଧି ଯୋଗୁ ସେ ନିଜ ପିଲାମାନଙ୍କୁ ଠିକ ଭାବେ ଖାଇବାକୁ ଦେଇ ପାରୁ ନାହାନ୍ତି। ସେ ପିଲାମାନଙ୍କୁ ଖାଇବା ଦେବେ ନା ସେମାନଙ୍କୁ ମାରିଦେବେ ବୋଲି ଭିଡିଓରେ କାନ୍ଦିକାନ୍ଦି ପ୍ରଶ୍ନ ମଧ୍ୟ କରିଛନ୍ତି।

ପାକିସ୍ତାନରେ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡ଼ିକର ମୂଲ୍ୟ ଆକାଶ ଛୁଆଁ ହୋଇଛି। ଦେଶରେ ରାଜନୀତିକ ଅସ୍ଥିରତା ଲାଗି ରହିଥିବାରୁ ସରକାର ନିଜ ଇଚ୍ଛାରେ କୌଣସି ବଡ଼ ନିଷ୍ପତ୍ତି ନେବାକୁ ଭୟ କରୁଛନ୍ତି। ସରକାର ଚୁପ ରହିଥିବା ବେଳେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦରଦାମ ବୃଦ୍ଧି ଯନ୍ତ୍ରଣା ଅସହ୍ୟ ହେଉଥିବାରୁ ଲୋକମାନେ ଏବେ ସୋଶାଲ ମିଡିଆରେ ନିଜର ଅସନ୍ତୋଷ ଜାହିର କରିବା ଆରମ୍ଭ କରିଛନ୍ତି।

ଏହିକ୍ରମରେ ଜଣେ ମହିଳା ସୋଶାଲ ମିଡିଆରେ ଭିଡିଓ ଜାରି କରି ନିଜ ମନର ବ୍ୟଥା ପୂରା ବିଶ୍ୱକୁ ଜଣାଇଛନ୍ତି। ଏହି ଭିଡିଓକୁ ପାକିସ୍ତାନର ସାମ୍ବାଦିକ ହମିଦ ମୀର ଶେୟାର କରିଛନ୍ତି। ଭିଡିଓରେ ଥିବା ମହିଳା ଜଣଙ୍କ କରାଚିରେ ରୁହନ୍ତି। ସେ ଆକାଶଛୁଆଁ ମୁଦ୍ରାସ୍ଫୀତି ଯୋଗୁ ସରକାରଙ୍କୁ ସମାଲୋଚନା କରିଛନ୍ତି। ମହିଳା ଜଣଙ୍କ ନିଜ ପିଲାମାନଙ୍କୁ ଖାଇବାକୁ ନ ଦେଇ କ’ଣ ମାରିଦେବେ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ଦରଦାମ ବୃଦ୍ଧି ଯୋଗୁ ମହିଳା ଜଣଙ୍କ କେମିତି ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେକଥାକୁ କାନ୍ଦିକାନ୍ଦି ସମସ୍ତଙ୍କୁ ଜଣାଇଛନ୍ତି। ଏହି ମହିଳାଙ୍କ ନାଁ ରାବିୟା ଓ ସେ ପରିବାର ସହ କରାଚିରେ ରହୁଛନ୍ତି। ସେ କହିଛନ୍ତି, “ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦର ବୃଦ୍ଧି ଯୋଗୁ ଆମେ କେମିତି ଚଳିବୁ ସେକଥା ଶାସନ ଗାଦିରେ ବସିଥିବା ଲୋକମାନେ କହିବା ଦରକାର।

ମୁଁ ଘର ଭଡ଼ା, ଅହେତୁକ ବିଜୁଳି ବିଲ, କ୍ଷୀର ଓ ମେଡିସିନ ପାଇଁ ଟଙ୍କା କେମିତି ଯୋଗାଡ଼ କରିବି? ମୁଁ ମୋ ପିଲାମାନଙ୍କୁ ଖାଇବାକୁ ଦେବି ନା ସେମାନଙ୍କୁ ମାରିଦେବି? କ’ଣ ମୋ ପିଲାମାନଙ୍କ ମେଡିସିନ କିଣିବି ନାହିଁ। ସରକାର ଗରିବ ଲୋକଙ୍କୁ ମାରି ସାରିଲେଣି। କ’ଣ ଆପଣମାନେ ଈଶ୍ୱରଙ୍କୁ ଡରୁ ନାହାନ୍ତି? ନୀରିହ ଲୋକଙ୍କ ଲୁହ ଆପଣମାନଙ୍କ ଉପରେ ପଡ଼ିବ।”

ରାବିୟାଙ୍କ ଦୁଇ ଜଣ ପିଲା ଅଛନ୍ତି। ତାଙ୍କର ଦୁଇ ପିଲାଙ୍କ ମଧ୍ୟରୁ ଜଣେ ବାତ ରୋଗରେ ଆକ୍ରାନ୍ତ। ୪ ମାସ ହେଲା ମେଡିସିନର ଦାମ ବଢ଼ିଥିବାରୁ ସେ ଠିକ ଭାବେ ଔଷଧ କିଣି ପାରୁ ନାହାନ୍ତି। ସେହିପରି ସେ ଘର ଭଡ଼ା ବାବଦକୁ ୨୦ ହଜାର ଓ ଚଳିତ ମାସରେ ତାଙ୍କ ବିଜୁଳି ବିଲ୍ ୧୫ ହଜାରରୁ ଅଧିକ ଟଙ୍କା ରହିଛି। ଦରଦାମ ବୃଦ୍ଧି ଯୋଗୁ ସେ ଘର ପାଇଁ ଅଟା, ଚାଉଳ ଓ ଘିଅ ଭଳି ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ଘୋର ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି।


ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ଅର୍ଥମନ୍ତ୍ରୀ ମିଫତା ଇସ୍ମାଇଲ ପାକିସ୍ତାନର ଅର୍ଥ ବ୍ୟବସ୍ଥାର ଓକିଲାତି କରିଛନ୍ତି। ସେ କହିଛନ୍ତି, ସରକାର ଜୁନ ମାସରେ ବିଜୁଳି ଉପରେ ଟାରିଫ ବୃଦ୍ଧି କରି ନାହାନ୍ତି। ସେହିପରି ମେଡିସିନ ଉପରେ ଅତିରିକ୍ତ ଟିକସ ମଧ୍ୟ ଲାଗୁ ହୋଇନି।

Related story