ଡବଲ ନୁହେଁ, ସିଙ୍ଗଲ ଡୋଜ୍‌ ସ୍ପୁଟନିକ କରୋନା ଟିକାକୁ ମିଳିଲା ଅନୁମତି

ମସ୍କୋ: ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ରୁଷ ସିଙ୍ଗଲ ଡୋଜ୍‌ ସ୍ପୁଟନିକ ଲାଇଟ୍‌ କରୋନା ଟିକାର ବ୍ୟବହାର ଉପରେ ମୋହର ମାରିଛି। ଏହାର ଅର୍ଥ ଏବେ ଡବଲ ଡୋଜ୍‌ ବଦଳରେ ସ୍ପୁଟନିକ ଲାଇଟ୍‌ର ସିଙ୍ଗଲ ଡୋଜ୍‌ ଲୋକମାନେ ନେବେ। ଏହି ସିଙ୍ଗଲ ଡୋଜ୍‌ର ଟିକାର ଟ୍ରାଏଲ ସମଗ୍ର ଦେଶରେ କରାଯାଇଥିଲା। ଏହା କରୋନାକୁ ମାତ୍‌ ଦେବାରେ ୭୯.୪% ସଫଳ ବୋଲି ଜଣାପଡ଼ିବା ପରେ ସରକାର ଏହାର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ପୂର୍ବଭଳି ଗାମେଲିୟା ଇନଷ୍ଟିଚ୍ୟୁଟ ସ୍ପୁଟନିକ […]

Vaccine

Hemant Lenka
  • Published: Thursday, 06 May 2021
  • , Updated: 06 May 2021, 08:04 PM IST

ମସ୍କୋ: ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ରୁଷ ସିଙ୍ଗଲ ଡୋଜ୍‌ ସ୍ପୁଟନିକ ଲାଇଟ୍‌ କରୋନା ଟିକାର ବ୍ୟବହାର ଉପରେ ମୋହର ମାରିଛି। ଏହାର ଅର୍ଥ ଏବେ ଡବଲ ଡୋଜ୍‌ ବଦଳରେ ସ୍ପୁଟନିକ ଲାଇଟ୍‌ର ସିଙ୍ଗଲ ଡୋଜ୍‌ ଲୋକମାନେ ନେବେ। ଏହି ସିଙ୍ଗଲ ଡୋଜ୍‌ର ଟିକାର ଟ୍ରାଏଲ ସମଗ୍ର ଦେଶରେ କରାଯାଇଥିଲା।

ଏହା କରୋନାକୁ ମାତ୍‌ ଦେବାରେ ୭୯.୪% ସଫଳ ବୋଲି ଜଣାପଡ଼ିବା ପରେ ସରକାର ଏହାର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ପୂର୍ବଭଳି ଗାମେଲିୟା ଇନଷ୍ଟିଚ୍ୟୁଟ ସ୍ପୁଟନିକ ଲାଇଟ ଟିକାକୁ ତିଆରି କରିଛି। ପୂର୍ବରୁ କମ୍ପାନୀ ସ୍ପୁଟନିକ ଭି କରୋନା ଟିକା ତିଆରି କରିଥିଲା।

ଗତବର୍ଷ ଅଗଷ୍ଟରୁ ରୁଷରେ ଏହାର ବ୍ୟବହାର କରାଯାଉଛି। ଏହି ଟିକାର ଡବଲ ଡୋଜ୍‌ ନେଲେ ଜଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହା କରୋନାକୁ ମାତ୍‌ ଦେବାରେ ୯୭.୬% ଫଳପ୍ରଦ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ରୁଷ ସମେତ ବିଶ୍ୱର ଏକାଧିକ ରାଷ୍ଟ୍ରରେ ଏହାର ଜରୁରୀ କାଳୀନ ବ୍ୟବହାର କରାଯାଉଛି। ଭାରତରେ ମଧ୍ୟ ଏହାର ବ୍ୟବହାର ପାଇଁ ଅନୁମତି ମିଳିଛି।

ଏବେ ସିଙ୍ଗଲ ଡୋଜ୍‌ ସ୍ପୁଟନିକ ଲାଇଟ କରୋନା ଟିକା ଆସିଥିବାରୁ ସମସ୍ତେ ଆହୁରି ଉତ୍ସାହିତ ହୋଇଛନ୍ତି। ଏହି ସିଙ୍ଗଲ ଡୋଜ୍‌ ଟିକାର ଦାମ ପ୍ରାୟ ୧୦ ଡଲାର ରହିଛି। ରୁଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ(ଆରଡିଆଇଏଫ) କହିଛି, ସିଙ୍ଗଲ ଡୋଜ୍‌ ସ୍ପୁଟନିକ ଲାଇଟ କରୋନା ଟିକା ନେବାର ୨୮ ଦିନ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି।

ଏହା କରୋନାକୁ ମାତ୍‌ ଦେବାରେ ୭୯.୪% ସଫଳ। ୨୦୨୦ ଡିସେମ୍ବର ୫ରୁ ୨୦୨୧ ଏପ୍ରିଲ ୨୧ ମଧ୍ୟରେ ଲୋକଙ୍କୁ ଟିକାର ସିଙ୍ଗଲ ଡୋଜ୍‌ ଦିଆଯାଇ ପରୀକ୍ଷା କରାଯାଇଥିଲା। ରୁଷରେ ଟିକାର ୩ୟ ପର୍ଯ୍ୟାୟ ଟ୍ରାଏଲରେ ୭ ହଜାର ଲୋକ ସାମିଲ ହୋଇଥିଲେ। ଏହାବାଦ ୟୁଏଇ, ଘାନା ଓ ଅନ୍ୟାନ୍ୟ ଦେଶରେ ମଧ୍ୟ ଏହାର ଟ୍ରାଏଲ କରାଯାଇଛି। ଟ୍ରାଏଲ ବେଳେ ସକାରାତ୍ମକ ଫଳାଫଳ ମିଳିଥିବାରୁ ଏହାର ବ୍ୟବହାର ପାଇଁ ଅନୁମତି ମିଳିଛି।

ଅନ୍ୟପକ୍ଷରେ ରୁଷରେ ଏଯାଏ ଡବଲ ଡୋଜ୍‌ ସ୍ପୁଟନିକ ଭି କରୋନା ଟିକା ପ୍ରାୟ ୮ ମିଲିୟନ ଲୋକ ନେଇ ସାରିଛନ୍ତି। ଏହା କରୋନା ବିରୋଧରେ ୯୭.୬% ସଫଳ ବୋଲି ୩.୮ ମିଲିୟନ ଲୋକଙ୍କ ପରୀକ୍ଷା ରିପୋର୍ଟରୁ ଜଣାପଡ଼ିଛି। ରୁଷ ବ୍ୟବତୀତ ଏକାଧିକ ରାଷ୍ଟ୍ର ସ୍ପୁଟନିକ ଭିର ବ୍ୟବହାର କରୁଥିଲେ ହେଁ ୟୁରୋପିଆନ ମେଡିସନ ଏଜେନ୍ସି ଏଯାଏ ଏହାର ବ୍ୟବହାର ପାଇଁ ଅନୁମତି ଦେଇନାହିଁ।

Related story