ଆମେରିକା ଇତିହାସରେ ସବୁଠାରୁ ଭୟଙ୍କର ସ୍ଥିତି ସୃଷ୍ଟି କରିଛି କରୋନା, ମୃତ୍ୟୁସଂଖ୍ୟା ୫ ଲକ୍ଷ ଟପିଲା

ୱାଶିଂଟନ: ୨୦୨୦ ମସିହା ଫେବୃଆରୀ ୬ରେ ଆମେରିକାରେ ପ୍ରଥମ କରୋନା ଜନିତ ମୃତ୍ୟୁ ସାମ୍ନାକୁ ଆସିଥିଲା। ମାତ୍ର ବର୍ଷକ ମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ଅତିକ୍ରମ କରିସାରିଛି। କରୋନାର ମୃତ୍ୟୁସଂଖ୍ୟା ହିଁ ବୟାନ କରୁଛି ଯେ ଆମେରିକା ସ୍ଥିତି କେତେ ଦୟନୀୟ ହୋଇପଡ଼ିଛି। ଆମେରିକା ଇତିହାସରେ କେବେ ହେଲେ କୌଣସି ଘଟଣାରେ ଏତେ ଲୋକ ପ୍ରାଣ ହରାଇ ନଥିଲେ। ୯/୧୧ ୱାର୍ଲଡ ସେଣ୍ଟର ଉପରେ ଆକ୍ରମଣ ହେଉ କିମ୍ବା ଦ୍ୱିତୀୟ ବିଶ୍ୱଯୁଦ୍ଧ, କେବେ […]

covid Death

Hemant Lenka
  • Published: Wednesday, 24 February 2021
  • , Updated: 24 February 2021, 09:40 AM IST

ୱାଶିଂଟନ: ୨୦୨୦ ମସିହା ଫେବୃଆରୀ ୬ରେ ଆମେରିକାରେ ପ୍ରଥମ କରୋନା ଜନିତ ମୃତ୍ୟୁ ସାମ୍ନାକୁ ଆସିଥିଲା। ମାତ୍ର ବର୍ଷକ ମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫ ଲକ୍ଷ ଅତିକ୍ରମ କରିସାରିଛି। କରୋନାର ମୃତ୍ୟୁସଂଖ୍ୟା ହିଁ ବୟାନ କରୁଛି ଯେ ଆମେରିକା ସ୍ଥିତି କେତେ ଦୟନୀୟ ହୋଇପଡ଼ିଛି।

ଆମେରିକା ଇତିହାସରେ କେବେ ହେଲେ କୌଣସି ଘଟଣାରେ ଏତେ ଲୋକ ପ୍ରାଣ ହରାଇ ନଥିଲେ। ୯/୧୧ ୱାର୍ଲଡ ସେଣ୍ଟର ଉପରେ ଆକ୍ରମଣ ହେଉ କିମ୍ବା ଦ୍ୱିତୀୟ ବିଶ୍ୱଯୁଦ୍ଧ, କେବେ ହେଲେ ଏତେ ଲୋକଙ୍କୁ ଦେଶ ହରାଇ ନଥିଲା। କିନ୍ତୁ କରୋନା ସବୁ କିଛି ଓଲଟ ପାଲଟ କରି ଦେଇଛି।

କରୋନା ମୃତ୍ୟୁ ଏମିତି ସ୍ଥିତି ସୃଷ୍ଟି କରିଥିଲା ଯେ ଆମେରିକାରେ ୬ ମାସ ଯାଏ ଦୈନିକ ୯/୧୧ ହମଲାର ସ୍ଥିତି ଦେଖିବାକୁ ମିଳିଥିଲା। କାରଣ ପ୍ରତିଦିନ କରୋନାରେ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଉଥିଲେ। ୨୦୦୧ ମସିହା ୯/୧୧ ହମଲାରେ ଆମେରିକା ୨୯୭୭ ଜଣ ଲୋକଙ୍କୁ ହରାଇଥିଲା। ହମଲାରେ ୧୯ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ।

ଆମେରିକାରେ ଦେଖାଯାଇଥିବା ବିଭିନ୍ନ ଘଟଣାରେ ମୃତ୍ୟୁସଂଖ୍ୟାକୁ ବିସ୍ତୃତ ଭାବେ ଜାଣନ୍ତୁ

ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ୪୦୫,୦୦୦ ଆମେରିକାବାସୀ ପ୍ରାଣ ହରାଇଥିଲେ। ସେହିପରି କୋରିଆ ସହ ଯୁଦ୍ଧରେ ୩୬ ହଜାର ଓ ଭିଏତନାମ ସହ ଲଢ଼େଇରେ ୫୮ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ହେଲେ କରୋନା ମହାମାରୀ ୫୦୦କେ ବା ୫ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଛି।

ଫେବୃଆରୀ ୨୩ ସୁଦ୍ଧା ଆମେରିକାରେ କରୋନା ମୋଟ ୫,୦୦,୩୧୦ ଜଣଙ୍କ ମୁଣ୍ଡ ନେଇ ସାରିଲାଣି। ଏବେ ବି ସେଠାରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ଯଦି ପ୍ରତିଟି ମୃତ୍ୟୁ ପାଇଁ ଆମେ ନୀରବ ପ୍ରାର୍ଥନା କରିବା। ତା’ହେଲେ ଏଥିପାଇଁ ଗୋଟିଏ ବର୍ଷ ୩୪୭ ଦିନ ଲାଗିବ।

ଏଥିରୁ ଅନୁମାନ କରାଯାଇ ପାରୁଛି ଯେ କରୋନା ଆମେରିକାରେ କେଉଁଭଳି ସ୍ଥିତି ସୃଷ୍ଟି କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶୀତ ଦିନରେ ହିଁ ଅଧିକ ସଂଖ୍ୟକ ଲୋକ ଆମେରିକାରେ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ତଥ୍ୟ ଅନୁସାରେ, ଥଣ୍ଡା ଦିନେ କରୋନା ମୋଟ ୨,୩୨,୦୯୯ ଜଣଙ୍କ ମୁଣ୍ଡ ନେଇଛି। ଖରା ଦିନେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୯,୦୦୦ରେ ସୀମିତ ରହିଛି।

ଗତବର୍ଷ ଫେବୃଆର ୬ ତାରିଖରେ କାର୍ଲିଫର୍ଣ୍ଣିଆର ସାନ୍ତା କ୍ଲାରା କାଉଣ୍ଟିରେ ପ୍ରଥମ କରୋନା ମୃତ୍ୟୁ ସାମ୍ନାକୁ ଆସିଥିଲା। ମେ’ ମାସ ସୁଦ୍ଧା ଏହା ୧ ଲକ୍ଷରେ ପହଞ୍ଚି ଯାଇଥିଲା। ଆଉ ଏକ ଲକ୍ଷ ମୃତ୍ୟୁ ପାଇଁ ୪ ମାସ ସମୟ ଲାଗିଥିଲା। ଆଉ ଲକ୍ଷେ ପାଇଁ ୩ ମାସ ଓ ପରବର୍ତ୍ତୀ ଏକ ଲକ୍ଷ ମୃତ୍ୟୁ ମାତ୍ର ୫ ସପ୍ତାହ ମଧ୍ୟରେ ଘଟିଥିଲା।

ଆମେରିକାର ପ୍ରତିଟି କୋଣରେ କରୋନା ଭାଇରସ ପ୍ରବେଶ କରି ସାଧାରଣ ଲୋକଙ୍କ ଜୀବନକୁ ଦୁର୍ବିସହ କରିପକାଇଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳ ଯାଏ କେହି ବି ଏହି କୋପରୁ ବର୍ତ୍ତି ପାରିନାହାନ୍ତି। ଆମେରିକାର ଜନସଂଖ୍ୟା ବିଶ୍ୱ ଜନସଂଖ୍ୟାର ୪.୨୫%। ହେଲେ ବିଶ୍ୱର କରୋନା ଜନିତ ମୃତ୍ୟୁସଂଖ୍ୟାରେ ଆମେରିକାର ଯୋଗଦାନ ୨୦% ରହିଛି।

କରୋନା ଯୋଗୁ ଆମେରିକାର ପ୍ରତି ୬୭୦ ଜଣଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଉଛନ୍ତି। ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରେ ଆମେରିକାରେ କରୋନା ୧୫୨ ଜଣଙ୍କ ମୁଣ୍ଡ ନେଇଛି। ଅବଶ୍ୟ ବ୍ରିଟେନରେ ଏହା ୧୮୨ ଓ ଇଟାଲୀରେ ୧୫୮ ରହିଛି। ନ୍ୟୁ ଜର୍ସି ଓ ନ୍ୟୁୟର୍କ କରୋନା ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ଦୁଇ ସ୍ଥାନରେ ପ୍ରତି ୧ ଲକ୍ଷ ଲୋକରେ ଯଥାକ୍ରମେ ୨୫୮ ଜଣ ଓ ୨୩୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି।

Related story