ନୂଆଦିଲ୍ଲୀ: କଶ୍ମୀରରୁ କନ୍ୟାକୁମାରୀ, କଟକରୁ ଅଟକ ଯାଏ ଦିନେ ସେ ବାଣ୍ଟୁଥିଲା ଖୁସିଭରା ଶବ୍ଦର ମହକ । ପରଦେଶରେ ଥିବା ପ୍ରେମିକକୁ ମନେ ପକାଇ ଛଳ ଛଳ ପ୍ରେମିକାର ଲୁହକୁ ଚିଠିରେ ଭିଜାଇଛି ଭାରତୀୟ ଡାକସେବା। କାହାର ଚାକିରି ସମ୍ପର୍କିତ ଖବର ତ ପୁଣି ବାପା ନୂଆ ଡ୍ରେସ୍ ପାଇଁ ପଠାଇଥିବା ଟଙ୍କା। ସବୁ ଆଣିଦିଏ ନାଲିଆ ଡାକ ଗାଡ଼ି। ଆଉ ଏବେ କରୋନାର ଲଢ଼େଇରେ ଜୀବନ ରକ୍ଷାକାରୀ ଔଷଧ ବାଣ୍ଟିବାରେ ମଧ୍ୟ ବଡ଼ ଭୂମିକା ନେଇଛି ବିଶ୍ୱର ସବୁଠାରୁ ବୃହତ୍ ଡାକସେବା ନେଟ୍ୱୱର୍କ ଭାରତୀୟ ଡାକ।
ଗାଁକୁ ଗାଁ, ଏଗଳିରୁ ସେଗଳି ଘୁରିବୁଲୁଥାଏ ଚିଠି। ଭାରତରେ ଏଭଳି ୬,୦୦,୦୦୦ଟି ଡାକଘର ରହିଛି। ଏହା କେବଳ ଚିଠି ବା ମନି ଅର୍ଡରରେ ସୀମିତ ରହିନି। ବରଂ ପର ମୁହୂର୍ତ୍ତରେ ଏହା ବ୍ୟାଙ୍କ ସେବା ଯୋଗାଇଛି। ସଞ୍ଚୟ ସୁବିଧା ଯୋଗାଇବା ସହ ପେନସନ୍ ଫଣ୍ଡ ଯୋଗାଇଛି। ଏବେ ଏହା ଡାକ୍ତରୀ ଉପକରଣ ମଧ୍ୟ ନେବା ଆଣିବା କରୁଛି। ପରିବହନ ଏକ ପ୍ରକାର ଠପ୍ ହୋଇଯାଇଥିବା ସମୟରେ ଡାକ ସେବା ଏହା ସମ୍ଭବ କରି ପାରିଛି।
ଏହା ପୂର୍ବରୁ ଗତ ମାର୍ଚ୍ଚ ୨୫ରେ ୨୧ ଦିନିଆ ଲକ୍ଡାଉନ୍ ଲାଗୁ ହୋଇଥିଲା। ଏହାର ଅବଧି ଆଜି ସରିବାକୁ ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଅବଧି ମେ’ ୩ ଯାଏ ବୃଦ୍ଧି କରିଛନ୍ତି। ଏହି ସମୟରେ ବିଭିନ୍ନ ଶିଳ୍ପ ବନ୍ଦ ରହିଛି ଏବଂ ସାଧାରଣ ଲୋକଙ୍କୁ କେବଳ ଜରୁରୀକାଳୀନ ସାମଗ୍ରୀ କିଣାକିଣି ପାଇଁ ଅନୁମତି ମିଳୁଛି, ତା’ପୁଣି ସାମାଜିକ ଦୂରତା ସହ।
ତେବେ ଡାକସେବା ଏଭଳି କ୍ଷେତ୍ରରେ କାମରେ ଲାଗୁଥିବା ନେଇ ଉତ୍ତରପ୍ରଦେଶରେ ଏକ ଘଟଣା ଘଟିଛି। ଭାରତୀୟ ଔଷଧ ଉତ୍ପାଦନକାରୀ ସଂଘ ବା ଆଇଡିଏମ୍ଏ କାର୍ଯ୍ୟକାରୀ ନିର୍ଦ୍ଦେଶକ ଅଶୋକ କୁମାର ମଦନ ଔଷଧ ନ ପହଞ୍ଚିପାରିବା ନେଇ ଚିନ୍ତାରେ ଥିଲେ। ସେ କୁରିଆ ସେବା ଉପରେ ନିର୍ଭର କରୁଥିବାରୁ ଭାବିଥିଲେ ବୋଧହୁଏ କର୍ଫ୍ୟୁ ପାସ୍ ନଥିବାରୁ କେହି ଔଷଧ ନେଇପାରୁନାହାନ୍ତି। ଏହାପରେ ସେ ଉତ୍ତରପ୍ରଦେଶର ଡାକସେବାର ବରିଷ୍ଠ ଅଧିକାରୀଙ୍କ ଅଶୋକ ଓଝାଙ୍କଠାରୁ ଫୋନ୍ ପାଇଥିଲେ।
ସେ ଏହାପରେ ଜାଣିବାକୁ ପାଇଥିଲେ, ଗୁଜରାଟରେ ମଧ୍ୟ ଆଇଡିଏମ୍ଏ ସହ ଡାକସେବା ପାର୍ଟନରସିପ୍ କରିଛି। ଉତ୍ତରପ୍ରଦେଶର ଏହି ଅଧିକାରୀ ମଧ୍ୟ ସମାନ ପ୍ରସ୍ତାବ ନେଇ ଫୋନ୍ କରିଥିଲେ। ଏହାଫଳରେ ଡାକସେବା ମାଧ୍ୟମରେ ଜୀବନ ରକ୍ଷକାରୀ ଔଷଧ ଏବଂ ଡାକ୍ତରୀ ଇକ୍ୟୁପମେଣ୍ଟ ନେବା ଆଣିବା ସମ୍ଭବ ହୋଇପାରିବ। ଅଶୋକ ଓଝା କହିବା ଅନୁଯାୟୀ, ଆମ ପାଖରେ ସବୁଠାରୁ ବୃହତ ଚେନ୍ ରହିଥିବାରୁ ଏହାକୁ କାମରେ ଲଗାଯିବ। ଏଥିସହ କଳା ମହଜୁଦକୁ ବନ୍ଦ କରିହେବ। ଏହି ସେବା ବାବଦରେ ଜାଣିବା ପରେ ବିଭିନ୍ନ ସ୍ଥାନରୁ ଫୋନ୍ ଆସିବାରେ ଲାଗିଛି।
ଏଭଳି ସେବା ପାଇଁ ଲାଲ୍ ଡାକ ଗାଡ଼ି ବ୍ୟବହାର କରାଯାଉଛି। ଏଥିରେ ଜୀବନ ରକ୍ଷାକାରୀ ଔଷଧ, ଏନ୍-୯୫ ମାସ୍କ, ଭେଣ୍ଟିଲେଟର ଏବଂ ଅନ୍ୟ ଇକ୍ୟୁପମେଣ୍ଟ ଏ ସହରରୁ ସେ ସହରକୁ ନିଆଯାଉଛି।