‘ଅପରାଧୀଙ୍କୁ ରାଜନୀତିକ ସଂରକ୍ଷଣ ଦେଇଛି ଯୋଗୀ ସରକାର’

ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଛି ରାଜନୀତି। ଯୋଗୀ ସରକାର ଝିଅ-ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ। ଦିନେ ବିଧାନସଭାରେ ଯୋଗୀ କହୁଥିଲେ ଦୁଷ୍କର୍ମକାରୀଙ୍କୁ ଠୁକି ଦେବୁ, ହେଲେ ଏବେ କାହିଁକି ସେ ନିଜ ଜବାବ ପାଳନ କରୁନାହାନ୍ତି ମୁଖ୍ୟମନ୍ତ୍ରୀ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି। ଅନ୍ୟପଟେ ମୃତ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ଗତକାଲି ରାତିରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ଘଟିଛି। […]

PRIYANKA MEET UNNAO VICTIM

Subhransu Sekhar
  • Published: Saturday, 07 December 2019
  • , Updated: 07 December 2019, 04:57 PM IST

ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଛି ରାଜନୀତି। ଯୋଗୀ ସରକାର ଝିଅ-ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ। ଦିନେ ବିଧାନସଭାରେ ଯୋଗୀ କହୁଥିଲେ ଦୁଷ୍କର୍ମକାରୀଙ୍କୁ ଠୁକି ଦେବୁ, ହେଲେ ଏବେ କାହିଁକି ସେ ନିଜ ଜବାବ ପାଳନ କରୁନାହାନ୍ତି ମୁଖ୍ୟମନ୍ତ୍ରୀ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି। ଅନ୍ୟପଟେ ମୃତ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି। ଗତକାଲି ରାତିରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ଘଟିଛି। ପୀଡିତାଙ୍କ ଶରୀର ଅଧିକାଂଶ ପୋଡ଼ି ହୋଇଯିବାରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି। ଦିଲ୍ଲୀରୁ ପୀଡିତାଙ୍କ ମର ଶରୀର ତାଙ୍କ ଘରକୁ ସଡ଼କପଥ ମାଧ୍ୟମରେ ଆସୁଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଫାଷ୍ଟ୍ର ଟ୍ରାକ କୋର୍ଟରେ ମାମଲାର ବିଚାର କରାଯାଇ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଆଜି ଉନ୍ନାଓ ପୀଡିତାଙ୍କ ପରିବାର ଲୋକଙ୍କୁ ତାଙ୍କ ଘରେ ଭେଟିଥିଲେ ପ୍ରିୟଙ୍କା। ଏକ ବନ୍ଦ କୋଠରୀରେ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ ପ୍ରିୟଙ୍କା। ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଯାଇ କହିଥିଲେ, ଉତ୍ତର ପ୍ରଦେଶରେ ଅପରାଧୀ ଖୁଲମଖୁଲା ବୁଲୁଛନ୍ତି। ପୀଡ଼ିତାଙ୍କ ପରିବାରକୁ ବର୍ଷେ ହେବ ପ୍ରତାଡିତ କରାଯାଇଛି। ପୀଡିତାଙ୍କୁ ସୁରକ୍ଷା ଦେବାରେ ଯୋଗୀ ସରକାର ବିଫଳ। ଅଭିଯୁକ୍ତ ଜଣଙ୍କ ବିଜେପି ସହ ଲିଙ୍କରେ ରହିଛି ବୋଧହୁଏ ସେଇଥିପାଇଁ ତା' ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିନି ବୋଲି ପ୍ରିୟଙ୍କା କହିଛନ୍ତି। ରାଜ୍ୟ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ କହିଛନ୍ତି, ଉନ୍ନାଓ ପୀଡ଼ିତାଙ୍କ ସହ ଯାହା ହୋଇଛି ସେଥୁରୁ ଅନୁମେୟ ରାଜ୍ୟରେ ଅପରାଧୀଙ୍କ ପତିଆରା ବୃଦ୍ଧି ପାଇଛି। ଆଉ ଏହି ଅପରାଧୀଙ୍କୁ ରାଜନୀତିକ ସଂରକ୍ଷଣ ଦେଉଛନ୍ତି ସରକାର। ମୁଖ୍ୟମନ୍ତ୍ରୀ ନିଜେ କହୁଛନ୍ତି ଏହି ଘଟଣା ପାଇଁ ସେ ଦୁଃଖିତ। ଏହାର ଅର୍ଥ ନିଜ ସରକାରର କାର୍ଯ୍ୟକଳାପରେ ମୁଖ୍ୟମନ୍ତ୍ରୀ ଲଜ୍ଜିତ।

ସେହିପରି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଉନ୍ନାଓ ପୀଡ଼ିତା ଘଟଣାରେ ବିଧାନସଭାର ଫାଟକ ନମ୍ୱର ୨ ସାମ୍ନାରେ ଧାରଣାରେ ବସିଥିଲେ। ଚଳିତ ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ ଅପରାଧୀଙ୍କୁ ଠୁକି ଦେବୁ, ହେଲେ ଏବେ କାହିଁକି ନରମ ପଡ଼ିଗଲେ ବୋଲି ସେ କହିଛନ୍ତି। ଗୋଟିଏ ଝିଅର ଜୀବନ ବଞ୍ଚାଇବାରେ ଯୋଗୀ ସରକାର ବିଫଳ ହୋଇଥିବାରୁ ମୁଖ୍ୟମନ୍ତ୍ରୀ, ଡିଜିପି, ଗୃହ ସଚିବ ଇସ୍ତଫା ଦେବା ଦରକାର ବୋଲି ସେ କହିଛନ୍ତି। ଆସନ୍ତାକାଲି ଉନ୍ନାଓ ପୀଡ଼ିତାଙ୍କ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ସମାଜବାଦୀ ପାର୍ଟି ପକ୍ଷରୁ ଶୋକ ସଭାର ଆୟୋଜନ କରାଯିବ ବୋଲି ସେ କହିଛନ୍ତି।

ବିଏସପି ସୁପ୍ରିମୋ ସୁଶ୍ରୀ ମାୟାବତୀ ମଧ୍ୟ ଏହି ପ୍ରସଙ୍ଗରେ ନିଜର ସ୍ୱର ଶାଣିତ କରିଛନ୍ତି। ଯୋଗୀ ସରକାରକୁ ଟାର୍ଗେଟ କରିବାକୁ ଯାଇ କହିଛନ୍ତି, ବିଜେପି ସରକାରରେ ମହିଳା ଅସୁରକ୍ଷିତ। ଏମିତି ଗୋଟିଏ ଦିନ ନାହିଁ ଯେଉଁଦିନ ମହିଳାଙ୍କ ବିରୋଧରେ ଅପରାଧ ହୋଇନି। ଯଦି ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତେ ତାହେଲେ ଅପରାଧୀ ଏଭଳି କାଣ୍ଡ ଭିଆଇନଥାନ୍ତେ ବୋଲି ସେ କହିଛନ୍ତି। ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କୁ ଭେଟି ମାୟାବତୀ ରାଜ୍ୟରେ ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ ବାବଦରେ ମଧ୍ୟ ଆଲୋଚନା କରିଛନ୍ତି।

Related story