Advertisment

Gujarat: ଗୁଜରାଟରେ ସବୁ ମନ୍ତ୍ରୀଙ୍କ ଇସ୍ତଫା

ଗୁଜରାଟରେ ଆଜି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଛାଡ଼ି ସବୁ ମନ୍ତ୍ରୀଙ୍କ ଇସ୍ତଫା ଦେଇଛନ୍ତି। ସମସ୍ତ ମନ୍ତ୍ରୀଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ରାଜ୍ୟପାଳ। ଆଜି ରାତିରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

CM

Gujarat Chief Minister Bhupendra Patel Photograph: (ଫାଇଲ)

Advertisment

ଗୁଜରାଟରେ ଆଜି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଛାଡ଼ି ସବୁ ମନ୍ତ୍ରୀଙ୍କ ଇସ୍ତଫା ଦେଇଛନ୍ତି। ଆସନ୍ତାକାଲି ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାକୁ ଥିବାରୁ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିବା ସୂଚନା ମିଳିଛି।

Advertisment

ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ବାସଭବନରେ ଏକ ବୈଠକ ବସିଥିଲା। ଏଥିରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ (ସଂଗଠନ) ସୁନୀଲ ବଂଶଲ ଯୋଗ ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ବଂଶଲ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟେଲ ପ୍ରତ୍ୟେକ ମନ୍ତ୍ରୀଙ୍କ ସହିତ ବ୍ୟକ୍ତିଗତ ଭାବେ କଥା ହୋଇଥିଲେ ଏବଂ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି ସଂପର୍କରେ କହି ସେମାନଙ୍କୁ ଇସ୍ତଫା ଦେବାକୁ କହିଥିଲେ। 

ଦଳୀୟ ନେତାମାନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ କ୍ୟାବିନେଟକୁ ନୂଆରୂପ ଦେବା ପାଇଁ ନିଷ୍ପତ୍ତି ହୋଇଥିବାରୁ ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ଇସ୍ତଫା ଦେଇଥିବା ଏହି ମନ୍ତ୍ରୀଙ୍କ ମଧ୍ୟରୁ ୫/୬ ଜଣ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି। କିନ୍ତୁ ଅନ୍ୟ ପଦଗୁଡ଼ିକରେ ନୂଆ ମୁହଁଙ୍କୁ ନିଯୁକ୍ତ କରାଯିବ। ଯେଉଁ ମନ୍ତ୍ରୀମାନଙ୍କୁ ପୁଣି ଥରେ ମନ୍ତ୍ରୀ କରାଯିବ, ସେମାନଙ୍କ ଇସ୍ତଫାପତ୍ରକୁ ରାଜ୍ୟପାଳଙ୍କ ନିକଟକୁ ପଠାଯିବ ନାହିଁ।

Advertisment

ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଆଜି ରାତିରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେହି ସାକ୍ଷାତ ସମୟରେ ସେ ମନ୍ତ୍ରୀମାନଙ୍କ ଇସ୍ତଫାପତ୍ରଗୁଡ଼ିକୁ ତାଙ୍କୁ ପ୍ରଦାନ କରିବେ। 

ଆସନ୍ତାକାଲି ସାଢ଼େ ୧୧ଟାରେ ନୂଆ ମନ୍ତ୍ରୀମାନେ ଶପଥ ନେବେ। ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ଆୟୋଜିତ ହେବାକୁ ଥିବା ଏହି ଶପଥଗ୍ରହଣ ଉତ୍ସବରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

ଦଳୀୟ ନେତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପୂରା ଇସ୍ତଫା ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଗୁଜରାଟ ବିଜେପି ସଭାପତି ଜଗଦୀଶ ବିଶ୍ୱକର୍ମା। ସେ ଏହି ପ୍ରକ୍ରିୟାର ସଂଯୋଜକ ସାଜିଥିଲେ। ମନ୍ତ୍ରୀମାନଙ୍କୁ କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି ସଂପର୍କରେ ଅବଗତ କରାଇଥିଲେ। ଆସନ୍ତା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ଜାତି ଓ ଅଞ୍ଚଳକୁ ସନ୍ତୁଳିତ କରି ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବା ଉପରେ ଜୋର ଦେଇଛି ବିଜେପି।        

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe