ପଦୋନ୍ନତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଜଣେ କର୍ମଚାରୀ ଯଦି ଯୋଗ୍ୟତା ସର୍ତ୍ତ ପୂରଣ କରନ୍ତି, ତେବେ ତାଙ୍କର ପଦୋନ୍ନତି ପାଇବାର ଅଧିକାର ରହିଛି। ତାଙ୍କୁ ପଦୋନ୍ନତି ଦେବା ପାଇଁ ଉଚ୍ଚ ପଦସ୍ଥ ଅଧିକାରୀ ବିଚାରକୁ ନ ନେବା ମୌଳିକ ଅଧିକାରର ଉଲ୍ଲଙ୍ଘନ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ହିମା କୋହଲି ଏବଂ ଏହସାନଉଦ୍ଦିନ ଅମାନୁଲ୍ଲାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏକ ମାମଲା ଉପରେ ବିଚାର କରି ଏହି ଟିପ୍ପଣୀ ଦେଇଛନ୍ତି।
ଖଣ୍ଡପୀଠ ଆହୁରି କହିଛନ୍ତି ଯେ, ପଦୋନ୍ନତି ପାଇଁ ବିଚାର କରାଯିବାକୁ ଥିବା ଅଧିକାରକୁ କେବଳ ଆଇନଗତ ଅଧିକାର ନୁହେଁ, ବରଂ ଏକ ମୌଳିକ ଅଧିକାର ଭାବରେ ମଧ୍ୟ ବିଚାର କରାଯାଇଛି। ତଥାପି, ପଦୋନ୍ନତି ପାଇଁ ସେପରି କୌଣସି ମୌଳିକ ଅଧିକାର ନାହିଁ।
ଏହି ମାମଲା ଧର୍ମଦେଓ ଦାସଙ୍କ ପଦୋନ୍ନତି ସହ ଜଡ଼ିତ। ଧର୍ମଦେଓ ଦାସ ବିବହାର ବିଦ୍ୟୁତ ବୋର୍ଡର ଅନୁ ସଚିବ ଭାବେ କାର୍ଯ୍ୟ କରୁଥିଲେ। ସେ ନିର୍ଦ୍ଦିଷ୍ଟ ସମୟସୀମା ପାଇଁ କାର୍ଯ୍ୟ କରିବା ସହ ୧୯୯୭ରେ ଯୁଗ୍ମ ସଚିବ ଭାବେ ପଦୋନ୍ନତି ପାଇବାକୁ ଯୋଗ୍ୟତା ଅର୍ଜନ କରିଥିଲେ। କିନ୍ତୁ ଯୋଗ୍ୟତା ଅର୍ଜନ କରିବାର ୬ ବର୍ଷ ପରେ ତାଙ୍କୁ ପଦୋନ୍ନତି ମିଳିଥିଲା। ଏହା ଅନ୍ୟାୟ ଓ ବେଆଇନ ବୋଲି ସେ ଅଭିଯୋଗ କରିଥିଲେ।
ସେପଟେ ବୋର୍ଡ କହିଥିଲା ଯେ, ଯୁଗ୍ମ ସଚିନ ପଦବୀ ସଂଖ୍ୟା ପୂର୍ବରୁ ୬ ଥିବାବେଳେ ଏହା ୩କୁ ଖସି ଆସିଥିଲା। ତେଣୁ ଦାସଙ୍କୁ ୧୯୯୭ରେ ଯୁଗ୍ମ ସଚିବ ପଦକୁ ପଦୋନ୍ନତି ମିଳିନଥିଲା।
ଖଣ୍ଡପୀଠ ଏ ସଂକ୍ରାନ୍ତ ମାମଲାର ଶୁଣାଣି କରି କର୍ମଚାରୀଙ୍କ ପଦୋନ୍ନତି କରିବାରେ ବିଫଳ ହେବା ମୌଳିକ ଅଧିକାରର ଉଲ୍ଲଙ୍ଘନ ବୋଲି କହିଥିଲେ ମଧ୍ୟ ପଦବୀ ଖାଲି ହେବା ପରେ ହିଁ ଜଣେ ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତି ଦିଆଯାଇ ପାରିବ ବୋଲି ଦର୍ଶାଇଛନ୍ତି। କୋର୍ଟ କହିଛନ୍ତି, ସମସ୍ତ ପ୍ରକାରର ନିୟମକୁ ପାଳନ କରି ଜଣେ କର୍ମଚାରୀଙ୍କୁ ପଦୋନ୍ନତି ମିଳିପାରିବ। କର୍ମଚାରୀମାନେ ନିର୍ଦ୍ଦିଷ୍ଟ ସମୟସୀମା ଯାଏ କାମ କରିଦେବା ପରେ ବଳପୂର୍ବକ ପଦୋନ୍ନତି ପାଇଁ ଦାବି କରିପାରିବେ ନାହିଁ।
ଏଥିସହ ପଦୋନ୍ନତି ଯେବେ ହେବ, ସେହି ତାରିଖରୁ ଏହାକୁ ଗଣତି କରାଯିବ। ପଦବୀ ଖାଲି ହେବା ତାରିଖଠାରୁ ପଦୋନ୍ନତିକୁ ବିଚାର କରାଯିବ ନାହିଁ।
କୋର୍ଟ କହିଛନ୍ତି ଯେ, ପଦୋନ୍ନତି ପାଇଁ ବିବେଚନା କରାଯିବାର ଅଧିକାରକୁ ଏକ ମୌଳିକ ଅଧିକାର କୁହାଯିବାର କାରଣ ହେଉଛି, ସରକାରଙ୍କ ଅଧୀନରେ ଚାକିରି ଓ ନିଯୁକ୍ତି କ୍ଷେତ୍ରରେ ସମସ୍ତେ ସମାନ ସୁଯୋଗ ପାଇବାର ହକଦାର। ସମ୍ବିଧାନର ଧାରା ୧୪ ଓ ୧୬(୧)ରେ ଜଣେ ବ୍ୟକ୍ତିଙ୍କ ମୌଳିକ ଅଧିକାରକୁ ନିଶ୍ଚିତ କରାଯାଇଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଜଣେ କର୍ମଚାରୀଙ୍କୁ ପଦୋନ୍ନତି ମିଳିବା ଗୋଟିଏ ନ୍ୟାର୍ଯ୍ୟ ଅଧିକାର।