Advertisment

Taliban Minister in India: ପାକିସ୍ତାନ ଉପରେ ଆଖି: ତାଲିବାନ ସହ ସମ୍ପର୍କ ସୁଦୃଢ଼ କଲା ଭାରତ, କାବୁଲରେ ଖୋଲିବ ଦୂତାବାସ

୨୦୨୧ରେ ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ କାବୁଲରେ ଦୂତାବାସକୁ ଭାରତ ବନ୍ଦ କରି ଦେଇଥିଲା। ହେଲେ ଏବେ ପାକିସ୍ତାନ ପଟୁ ବିପଦ ବଢ଼ୁଥିବାରୁ ଭାରତ ସରକାର ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ସହ ସମ୍ପର୍କ ସୁଦୃଢ଼ କରିବା ମୁଡରେ ଥିବା କୁହାଯାଉଛି।

Taliban

ତାଲିବାନ ମନ୍ତ୍ରୀ ଓ ଜୟଶଙ୍କର

Advertisment

ବନ୍ଧୁକ ମୁନରେ ଆଫଗାନିସ୍ତାନ(Taliban Recapture Afghanistan)କୁ ଦଖଲ କରିଥିବା ତାଲିବାନ ସହ ସମ୍ପର୍କ ସୁଦୃଢ଼ କରିଛି ଭାରତ। ଆଫଗାନିସ୍ତାନକୁ ଦଖଲ କରିବା ପରେ ତାଲିବାନର କୌଣସି ମନ୍ତ୍ରୀ ପ୍ରଥମଥର ଭାରତ ଗସ୍ତରେ ଆସି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଭାରତ ଗସ୍ତରେ ଆସିଥିବା ତାଲିବାର ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁତାକୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ଏସ ଜୟଶଙ୍କର।

Advertisment

ଏହି ସମୟରେ କାବୁଲରେ ଭାରତ ତା’ର ଟେକିକାଲ ମିଶନକୁ ଅପଗ୍ରେଡ କରି ଦୂତାବାସକୁ ପୁଣି ଖୋଲିବ ବୋଲି ଜୟଶଙ୍କର କହିଛନ୍ତି। ତେବେ ଏଯାଏ ଭାରତ ପକ୍ଷରୁ ତାଲିବାନ ଶାସନକୁ ବିଧିବଦ୍ଧ ସ୍ୱୀକୃତି ମିଳିନାହିଁ। ଖାସ ସେଥିପାଇଁ ଦ୍ୱିପାକ୍ଷିକ ଆଲୋଚନା ବେଳେ କୌଣସି ଦେଶର ଜାତୀୟ ପତାକା ଦେଖିବାକୁ ମିଳିନାହିଁ। 

ଆମୀର ଖାନ ମୁତାକୀଙ୍କ ସହ ବୈଠକ କରିବା ବେଳେ ଜୟଶଙ୍କର କହିଛନ୍ତି, “ବର୍ତ୍ତମାନ କାବୁଲରେ ଭାରତର ଟେକିକାଲ ମିଶନ ରହିଛି। ଏହାକୁ ଅପଗ୍ରେଡ କରି ପୂର୍ଣ୍ଣକାଳୀନ ଦୂତାବାସ କରାଯିବ। ଭାରତ ସଂପୂର୍ଣ୍ଣ ଭାବେ ଆଫାଗନିସ୍ତାନର ସାର୍ବଭୌମତ୍ୱ, ଆଞ୍ଚଳିକ ଅଖଣ୍ଡତା ଓ ସ୍ୱାଧୀନତା ପ୍ରତି ପ୍ରତିଶ୍ରୁତିବଦ୍ଧ।”

Advertisment

୨୦୨୧ରେ ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ କାବୁଲରେ ଦୂତାବାସକୁ ଭାରତ ବନ୍ଦ କରି ଦେଇଥିଲା। ହେଲେ ଏବେ ପାକିସ୍ତାନ(Pakistan) ପଟୁ ବିପଦ ବଢ଼ୁଥିବାରୁ ଭାରତ ସରକାର ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ସହ ସମ୍ପର୍କ ସୁଦୃଢ଼ କରିବା ମୁଡରେ ଥିବା କୁହାଯାଉଛି। 

ତାଲିବାନ ଓ ପାକିସ୍ତାନ ମଧ୍ୟରେ ଏବେ ତିକ୍ତତା ଚାଲିଛି। ସୀମା ପାର ଆତଙ୍କବାଦ ଓ ପାକିସ୍ତାନ ହଜାର ହଜାର ଆଫଗାନ ଶରଣାର୍ଥୀଙ୍କୁ କାବୁଲ ପଠାଇ ଦେଉଥିବାରୁ ତାଲିବାନ ଏହାକୁ ନେଇ ଖପ୍ପା ହୋଇଛି। ଏପରି ସ୍ଥିତିରେ ଭାରତ ସରକାର ତାଲିବାନକୁ ନିଜ ପାଖକୁ ଆଣିବାକୁ ଉଦ୍ୟମ କରିଛନ୍ତି। 

ଉଭୟ ଦେଶ ସୀମା ପାର ଆତଙ୍କବାଦକୁ ନେଇ ଚିନ୍ତା ପ୍ରକଟ କରିଥିବା କଥା କହି ପାକିସ୍ତାନକୁ କଟାକ୍ଷ କରିଛନ୍ତି ଜୟଶଙ୍କର। ସେ କହିଛନ୍ତି, “ଆମ ମଧ୍ୟରେ ବ୍ୟକ୍ତିଗତ ସ୍ତରରେ ହୋଇଥିବା ଆଲୋଚନାର ବିଶେଷ ମହତ୍ତ୍ୱ ରହିଛି। କାରଣ ଏହି ବୈଠକରେ ଆମେ ପରସ୍ପର ସହ ବିଭିନ୍ନ ତଥ୍ୟର ଆଦାନ ପ୍ରଦାନ, ସାମୁହିକ ସ୍ୱାର୍ଥକୁ ଚିହ୍ନଟ କରିବା ଓ ପରସ୍ପର ସହଭାଗିତାକୁ ସୁଦୃଢ଼ କରିବାକୁ ସୁଯୋଗ ପାଇଛୁ। ବିକାଶ ଓ ସମୃଦ୍ଧି ପ୍ରତି ଆମେ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ସୀମା ପାର ଆତଙ୍କବାଦ ଯୋଗୁ ଏହା ପ୍ରତି ବିପଦ ସୃଷ୍ଟି ହୋଇଛି। ଆମକୁ ଆତଙ୍କବାଦର ସବୁ ରୂପକୁ ମାତ ଦେବା ପାଇଁ ସମନ୍ୱିତ ପ୍ରୟାସ କରିବାକୁ ହେବ। ଆମେ ଭାରତର ସୁରକ୍ଷା ପ୍ରତି ଆପଣଙ୍କ ସମ୍ବେଦନଶୀଳତାକୁ କୃତଜ୍ଞତା ଜଣାଉଛି।”

ମାଇନିଂ ସୁଯୋଗ ଓ ପାକିସ୍ତାନକୁ କଟାକ୍ଷ 

ଭାରତ କାବୁଲରେ ଦୂତାବାସ ଖୋଲିବାକୁ ଯାଉଥିବାରୁ ଏହାକୁ ସ୍ୱାଗତ କରିଛନ୍ତି ତାଲିବାନର ବୈଦେଶିକ ମନ୍ତ୍ରୀ। ଏଥିସହ ଉଭୟ ଦେଶ ପରସ୍ପର ସହ ଥିବା ସମ୍ପର୍କକୁ ଅଧିକ ବୃଦ୍ଧି କରିବା ଦିଗରେ ଆହ୍ୱାନ ଦେଇଛନ୍ତି। ବିଦେଶ ରାଷ୍ଟ୍ର ବିରୋଧରେ କାହାକୁ ବି ଆଫଗାନିସ୍ତାନର ମାଟି ବ୍ୟବହାର କରିବାକୁ ଦିଆଯିବ ନାହିଁ ବୋଲି ମୁତାକୀ ମତ ରଖି ପାକିସ୍ତାନକୁ କଟାକ୍ଷ କରିଛନ୍ତି। 

ସେ କହିଛନ୍ତି, “ଆଫଗାନିସ୍ତାନ ସବୁବେଳେ ଭାରତକୁ ଘନିଷ୍ଠ ବନ୍ଧୁ ଭାବେ ଦେଖି ଆସିଛି। ଆମେ କୌଣସି ସଂଗଠନକୁ ଆମ ଅଞ୍ଚଳକୁ ଆଉ କାହା ବିରୋଧରେ ବ୍ୟବହାର କରିବାକୁ ଅନୁମତି ଦେଇପାରିବୁ ନାହିଁ। ପାରସ୍ପରିକ ସମ୍ମାନ, ବାଣିଜ୍ୟ ଓ ଲୋକ ସମ୍ପର୍କ ଆଧାରରେ ଦୁଇ ଦେଶର ସମ୍ପର୍କ ସୁଦୃଢ଼ କରିବାକୁ ଆଫଗାନିସ୍ତାନ ଚାହୁଁଛି।”

ଭାରତୀୟ କମ୍ପାନୀଗୁଡ଼ିକୁ ଆଫଗାନିସ୍ତାନରେ ଥିବା ଖଣି ସୁଯୋଗକୁ ବ୍ୟବହାର କରିବା ପାଇଁ ତାଲିବାନ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ପାକିସ୍ତାନ ପକ୍ଷରୁ ଆମେରିକାକୁ ନିଜ ଦେଶର ଖଣିଜ ସମ୍ପଦ ଦିଆଯାଉଥିବା ବେଳେ ଏବେ ଆଫଗାନିସ୍ତାନ ମନ୍ତ୍ରୀ ଭାରତକୁ ସେଠାରେ ଥିବା ମୂଲ୍ୟବାନ ଧାତୁର ବ୍ୟବହାର କରିବାକୁ କହିଛନ୍ତି। 

ଏହାକୁ ବେଶ ଉତ୍ସାହିତ ଭାବେ ଗ୍ରହଣ କରିଛନ୍ତି ଜୟଶଙ୍କର। ସେ କହିଛନ୍ତି, ଭାରତୀୟ କମ୍ପାନୀଗୁଡ଼ିକୁ ଖଣି ସୁଯୋଗ ପାଇଁ ଆପଣ ନିମନ୍ତ୍ରଣ କରିଥିବାରୁ ବହୁତ ବହୁତ ଧନ୍ୟବାଦ। 

Pakistan Taliban Recapture Afghanistan Taliban
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe