କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ବହୁମତ ହାସଲ କରିଥିବା କଂଗ୍ରେସ ମଧ୍ୟପ୍ରଦେଶରେ ତାହାର ପୁନରାବୃତ୍ତି କରିବାକୁ ଅଣ୍ଟା ଭିଡିଛି। ଏଥିପାଇଁ କର୍ଣ୍ଣାଟକା ପରି ମଧ୍ୟପ୍ରଦେଶରେ ବି ଆରମ୍ଭ ହେଲାଣି ପୋଷ୍ଟର ୱାର । କର୍ଣ୍ଣାଟକାରେ କଂଗ୍ରେସ ଫୋନ ପେ ଲୋଗୋ ଥିବା ପୋଷ୍ଟରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସବରାଜ ବୋମଇଙ୍କ ଫଟୋ ଲଗାଇଥିବା ବେଳେ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ଫଟୋ ମାରିଛି। ମାତ୍ର ଫୋନ ପେ ଏହାକୁ ନେଇ ତୀବ୍ର ଆପତ୍ତି ଉଠାଇବା ସହ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ବି ଦେଇଛି।
ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ପୋଷ୍ଟର ୱାର। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ମଧ୍ୟପ୍ରଦେଶରେ ଦେଖିବାକୁ ମିଳୁଛି କ୍ୟୁଆର କୋଡ ଥିବା ମାଳ ମାଳ ପୋଷ୍ଟର ।
ମଧ୍ୟପ୍ରଦେଶରେ କଂଗ୍ରେସ ଅଧ୍ୟକ୍ଷ କମଳନାଥଙ୍କ କ୍ୟୁଆର କୋଡ ଥିବା ପୋଷ୍ଟର ମାଳ ମାଳ ଲଗାଯିବା ପରେ ରାଜଧାନୀ ଭୋପାଳରେ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପୋଷ୍ଟର। ଶିବରାଜ ସିଂ କାମ ବଦଳରେ ଟଙ୍କା ନେଉଥିବା ଅଭିଯୋଗ ଆଣି କଂଗ୍ରେସ ତାଙ୍କ ପୋଷ୍ଟର ସହର ସାରା ଲଗାଇଛି। ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଫଟୋ ସହ ଲାଗିଛି କ୍ୟୁଆର କୋଡ । ଉକ୍ତ ପୋଷ୍ଟରରେ ଲେଖା ହୋଇଛି ୫୦% ଆଣ, ଫୋନପେ ରେ କାମ କରାଅ ।
ଏହି ପୋଷ୍ଟର ଦେଖି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଫୋନପେ’। ଏପରିକି ତୁରନ୍ତ ସବୁ ପୋଷ୍ଟର ନ ହଟାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଧମକ ଦେଇଛି।
ଫୋନପେ’ ପକ୍ଷରୁ ଟ୍ୱିଟ କରି କୁହାଯାଇଛି, ଆମେ କୌଣସି ରାଜନୈତିକ ପାର୍ଟିରେ ସାମିଲ ନୁହଁ । ଫୋନପେ’ ଲୋଗୋ ଆମ କମ୍ପାନୀର ପଞ୍ଜୀକୃତ ଟ୍ରେଡମାର୍କ । କମ୍ପାନୀର ବିନା ଅନୁମତିରେ ତୃତୀୟ ପକ୍ଷ ଦ୍ୱାରା ଭବିଷ୍ୟତରେ ଏହାର ବେଆଇନ୍ ବ୍ୟବହାର ହେଲେ ତୁରନ୍ତ ଆଇନର ଆଶ୍ରୟ ନେବୁ । ତେଣୁ ଏବେ ତୁରନ୍ତ ସବୁ ପୋଷ୍ଟର ହଟାଇ ଦେବାକୁ କଂଗ୍ରେସକୁ ଅନୁରୋଧ କରୁଛୁ।
ଏହାକୁ ନେଇ କଂଗ୍ରେସ କିମ୍ବା ବିଜେପି କାହାର ପ୍ରତିକ୍ରିୟା ମିଳିପାରିନି।