/odisha-reporter/media/media_files/2025/10/12/nitish-and-modi-2025-10-12-19-14-31.jpg)
ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବିହାର ବିଧାନସଭା ନିର୍ବାଚନ ପାଇଁ ରବିବାର NDAର ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପିର ନିର୍ବାଚନ ପ୍ରଭାରୀ ନିଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ‘ଏକ୍ସ’ରେ ସୂଚନା ଦେଇଛନ୍ତି।
ବିହାର ବିଧାନସଭାରେ ୨୪୩ଟି ଆସନ ଥିବା ବେଳେ ବିଜେପି ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ‘ଜନତା ଦଳ ୟୁନାଇଟେଡ୍’ (JDU) ୧୦୧ଟି ଲେଖାଏ ଆସନରେ ଲଢ଼ିବେ।
ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)କୁ ୨୯ଟି ଆସନ ମିଳିଛି। ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (RLM)କୁ ୬ଟି ଆସନ ମିଳିଛି। ସେହିପରି ଜୀତନ ରାମ ମାଝୀଙ୍କ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (HAM) ମଧ୍ୟ ୬ଟି ଆସନ ପାଇଛି।
ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି ଯେ ସୌହାର୍ଦ୍ଦପୂର୍ଣ୍ଣ ବାତବରଣ ମଧ୍ୟରେ ଏନ୍ଡିଏର ଦଳଗୁଡ଼ିକ ମଧ୍ୟରେ ଆସନ ବଣ୍ଟନ ସଂପନ୍ନ ହୋଇଛି। ଏନ୍ଡିଏର ସମସ୍ତ ଦଳ, ସମସ୍ତ କର୍ମୀ ଓ ନେତା ଏହାକୁ ସ୍ୱାଗତ କରିଛନ୍ତି। ବିହାର ପ୍ରସ୍ତୁତ ଅଛି। ଏଠାରେ ପୁଣି ଏନ୍ଡିଏ ସରକାର ଗଠନ ହେବ।
ଏହି ଘୋଷଣା ସହିତ ଆସନ ଭାଗବଣ୍ଟାକୁ ନେଇ ଏନ୍ଡିଏରେ ଚାଲିଥିବା ଟଣାଓଟରାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା କୁହାଯାଉଛି। ବିଶେଷ କରି ଦୁଇ ଦଳ - ଜୀତନ ରାମ ମାଝୀଙ୍କ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (HAM) ଓ ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (RLM) ଏକକ ଭାବେ ନିର୍ବାଚନ ଲଢ଼ିବା ଭଳି ଚେତାବନୀ ଦେଇଥିବା ଶୁଣିବାକୁ ମିଳିଥିଲା।
ସୂଚନା ଅନୁଯାୟୀ, ଜୀତନ ରାମ ମାଝୀ ୧୫ଟି ଆସନ ମାଗୁଥିଲେ। ତାଙ୍କୁ ୭/୮ଟି ଆସନ ନେବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେ ରାଜି ହୋଇନଥିଲେ ଓ ଅସନ୍ତୋଷ ଜାହିର କରିଥିଲେ। ଆଜି ସକାଳେ ଦିଲ୍ଲୀରେ ବିଜେପିର ଶୀର୍ଷ ନେତୃତ୍ୱଙ୍କ ସହିତ ଆଲୋଚନା ପରେ ସେ ୬ଟି ଆସନରେ ରାଜି ହୋଇଥିଲେ। ଏହା ବି ସୂଚନା ମିଳିଛି ଯେ ଡିଲ୍ ଅନୁଯାୟୀ, ଭବିଷ୍ୟତରେ ତାଙ୍କ ଦଳକୁ ବିହାର ଏମ୍ଏଲ୍ସି ନିର୍ବାଚନରେ ଗୋଟିଏ ଆସନ ଦିଆଯିବ। ଏହି ସର୍ତ୍ତରେ ସେ ୬ଟି ଆସନରେ ରାଜି ହୋଇଥିବା କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
