ନିର୍ବାଚନ ପ୍ରକ୍ରିୟାରେ ଶୁଦ୍ଧତା ବା ପବିତ୍ରତା ରହିବା ଦରକାର ବୋଲି ଆଜି ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ କହିଛନ୍ତି। ଏଥିସହ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ କମିଶନ କ’ଣ ସବୁ ପଦକ୍ଷେପ ଅନୁସରଣ କରୁଛନ୍ତି, ସେ ବିଷୟରେ ବିସ୍ତୃତ ତଥ୍ୟ ଦେବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି।
ଇଭିଏମ ବା ବୈଦ୍ୟୁତିକ ମତଦାନ ଯନ୍ତ୍ର ଦ୍ୱାରା ହେଉଥିବା ଭୋଟ ସହ ଭିଭିପ୍ୟାଟ ସିଷ୍ଟମ ଦ୍ୱାରା ଦୃଶ୍ୟମାନ ହେଉଥିବା କାଗଜ ଖଣ୍ଡର ପୁନଃ ଯାଞ୍ଚ କରି ନିର୍ବାଚନ ରେଜଲ୍ଟ ପ୍ରକାଶ କରିବା ପାଇଁ ହୋଇଥିବା ଏକାଧିକ ଆବେଦନର ଶୁଣାଣି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ କରିଛନ୍ତି।
ଖଣ୍ଡପୀଠ କହିଛନ୍ତି, “ଏହା ଏକ ନିର୍ବାଚନ ପ୍ରକ୍ରିୟା। ଏଥିରେ ନିଶ୍ଚିତ ଭାବେ ଶୁଦ୍ଧତା ବା ପବିତ୍ରତା ରହିବା ଦରକାର। ଆଶା ଅନୁସାରେ କିଛି ହେଉ ନାହିଁ ବୋଲି କୌଣସି ଆଶଙ୍କା ଯେପରି ନ ରହିବ, ତା’କୁ ନିଶ୍ଚିତ କରାଯାଉ।”
ଜଣେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ନିଜାମ ପାଶା କହିଛନ୍ତି, ମତଦାନ କରିବା ପରେ ଜଣେ ଭୋଟରଙ୍କୁ ଭିଭିପ୍ୟାଟ ସ୍ଲିପ ନେବାକୁ ଅନୁମତି ଦିଆଯାଉ। ସେ ଏହାକୁ ବାଲାଟ ବକ୍ସରେ ଜମା କରନ୍ତୁ। ଏହା ଶୁଣି ଜଷ୍ଟିସ ଖାନ୍ନା ପ୍ରଶ୍ନ କରିଥିଲେ ଯେ ଏହି ପ୍ରକ୍ରିୟା କ’ଣ ଭୋଟରଙ୍କ ଗୋପନୀୟତାକୁ ପ୍ରଭାବିତ କରିବ ନାହିଁ? ଏହାର ଜବାବରେ ପାଶା କହିଛନ୍ତି, “ଭୋଟର ଅଧିକାରକୁ ପରାସ୍ତ କରିବା ପାଇଁ ଭୋଟରଙ୍କ ଗୋପନୀୟତାକୁ ଆଳ କରାଯାଇ ପାରିବ ନାହିଁ।”
ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଥିଲେ, “ଭିଭିପ୍ୟାଟ ମେସିନର ଲାଇଟ ସବୁବେଳେ ଅନ ହୋଇ ରହିବା ଉଚିତ। ବର୍ତ୍ତମାନ ଏହା ମାତ୍ର ୭ ସେକେଣ୍ଡ ପାଇଁ ଅନ ରହୁଛି। ଯଦି ଏବେ ସେମାନେ ଗ୍ଲାସ ପରିବର୍ତ୍ତନ କରି ପାରିବେ ନାହିଁ, ତା’ହେଲେ ଲାଇଟ୍କୁ ପୂରା ଅନ ରଖନ୍ତୁ। ଏପରି ହେଲେ ଜଣେ ଭୋଟର ତାଙ୍କ ସ୍ଲିପ୍ କଟିବା ସହ ଉପଯୁକ୍ତ ସ୍ଥାନରେ ପଡ଼ୁଛି ବୋଲି ଜାଣିପାରିବେ। ଏଥିରେ କୌଣସି ପ୍ରକାରର ଗୋପନୀୟତାରେ ବୁଝାମଣା ମଧ୍ୟ ହେବନାହିଁ।”
ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ ଗଣତି ପ୍ରକ୍ରିୟାକୁ ଅଧିକ ଦାୟିତ୍ୱସଂପନ୍ନ କରିବା ପାଇଁ ଗୋଟିଏ ସ୍ୱତନ୍ତ୍ର ଅଡିଟ କରିବାକୁ ପ୍ରସ୍ତାବ ଦେଇଛନ୍ତି।
ଭୋଟିଂ ପ୍ରକ୍ରିୟା ଉପରେ ନିଜର ସ୍ପଷ୍ଟୀକରଣ ଦେଇ ନିର୍ବାଚନ କମିଶନ କହିଛନ୍ତି, ଇଭିଏମର କଣ୍ଟ୍ରୋଲ ୟୁନିଟ ହିଁ ଭିଭିପ୍ୟାଟ ୟୁନିଟକୁ କମାଣ୍ଡ ଦେଇ ଏହାର ପେପର ସ୍ଲିପକୁ ପ୍ରିଣ୍ଟ କରିଥାଏ। ଏହି ସ୍ଲିପ ବନ୍ଦ ବକ୍ସରେ ପଡ଼ିବା ପୂର୍ବରୁ ୭ ସେକେଣ୍ଡ ପାଇଁ ଭୋଟରଙ୍କୁ ଦୃଶ୍ୟମାନ ହୋଇଥାଏ। ନିର୍ବାଚନ ପୂର୍ବରୁ ଇଞ୍ଜିନିୟରିଂଙ୍କ ଉପସ୍ଥିତିରେ ଇଭିଏମକୁ ଭଲ ଭାବେ ଯାଞ୍ଚ କରାଯାଇ ଥାଏ ବୋଲି କମିଶନ ଯୁକ୍ତି ରଖିଛନ୍ତି।
କ’ଣ ଭିଭିପ୍ୟାଟ୍ ପ୍ରିଣ୍ଟର୍ରେ କିଛି ସଫ୍ଟୱେୟାର ରହିଛି କି ବୋଲି ଖଣ୍ଡପୀଠ ପଚାରିଥିବା ପ୍ରଶ୍ନରେ ନିର୍ବାଚନ କମିଶନ ନା କହିଛନ୍ତି। କମିଶନଙ୍କ ଓକିଲ କହିଛନ୍ତି, “ପ୍ରତଟି ପ୍ୟାଟ୍ରେ ୪ଟି ମେଗାବାଇଟ ଫ୍ଲାଶ ମେମୋରୀ ରହିଛି। ଏହା ଦଳୀୟ ଚିହ୍ନକୁ ସଂରକ୍ଷିତ କରି ରଖେ। ରିଟର୍ଣ୍ଣିଂ ଅଫିସର ବୈଦ୍ୟୁତ ବାଲାଟ ପ୍ରସ୍ତୁତ କରନ୍ତି। ଏହାକୁ ଦଳୀୟ ଚିହ୍ନ ଲୋଡିଂ ୟୁନିଟ୍ରେ ଲୋଡ୍ କରାଯାଏ। ଏହା କ୍ରମିକ ସଂଖ୍ୟା, ପ୍ରାର୍ଥୀଙ୍କ ନାଁ ଓ ଚିହ୍ନ ସାମ୍ନାକୁ ଆଣିଥାଏ। କିଛି ବି ଆଗକୁ ଲୋଡ କରାଯାଏ ନାହିଁ। ଏହା ତଥ୍ୟ ନୁହେଁ, ଛବି ଫର୍ମାଟ।”
ମତଦାନ ପାଇଁ କେତୋଟି ଚିହ୍ନ ଲୋଡିଂ ୟୁନିଟ ତିଆରି କରାଯାଏ ପ୍ରଶ୍ନରେ ଜଣେ ନିର୍ବାଚନ ଅଧିକାରୀ କହିଛନ୍ତି, “ସାଧାଣତଃ ଗୋଟିଏ ନିର୍ବାଚନ ମଣ୍ଡଳୀରେ ଗୋଟିଏ ୟୁନିଟ ରୁହେ। ନିର୍ବାଚନ ଶେଷ ହେବା ଯାଏ ଏହା ରିଟର୍ଣ୍ଣିଂ ଅଫିସରଙ୍କ ଦାୟିତ୍ୱରେ ରହିଥାଏ।”
କ’ଣ ଟ୍ୟାମ୍ପରିଂକୁ ରୋକିବା ପାଇଁ ୟୁନିଟ ସିଲ୍ଡ କରିବାକୁ ପଡ଼େ ପ୍ରଶ୍ନରେ ନିର୍ବାଚନ କମିଶନ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ସେମିତି କିଛି ପ୍ରକ୍ରିୟା ନାହିଁ।
ନିର୍ବାଚନ କମିଶନ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସମସ୍ତ ଭୋଟିଂ ମେସିନ ମକ୍ ପୋଲ୍ ଦ୍ୱାରା ପାସ୍ ହୋଇଥାଏ। ପ୍ରାର୍ଥୀମାନଙ୍କୁ ସେମାନଙ୍କ ଇଚ୍ଛାରେ ୫% ମେସିନକୁ ବାଛିବାକୁ କୁହାଯାଏ। ଏହି ପ୍ରକ୍ରିୟା ମତଦାନ ଦିନ ମଧ୍ୟ ଆପଣା ଯାଏ। ଭିଭିପ୍ୟାଟ ସ୍ଲିପ୍ ବାହାର କରାଯାଏ, ଗଣିତ ହୁଏ ଓ ଏହାକୁ ଇଭିଏମ ଭୋଟ ସହ ମିଶାଯାଏ। ସବୁ ମେସିନରେ ଭିନ୍ନଭିନ୍ନ ପ୍ରକାରର ପେପର ସିଲ୍ସ ରହିଛି। ଯେତେବେଳେ ଗଣତି ପାଇଁ ମେସିନ ଆସେ ସେତେବେଳେ କ୍ରମିକ ସଂଖ୍ୟରକୁ ଯାଞ୍ଚ କରଯାଏ।
ଜଣେ ଭୋଟର କେମିତି ତାଙ୍କର ମତଦାନ ଠିକ ଭାବେ ହୋଇଛି କି ନାହିଁ ଜାଣିବେ? ଏହାର ଉତ୍ତରରେ କମିଶନ କହିଛନ୍ତି, ନିର୍ବାଚନ କମିଶନ ଏହାର ଡେମୋ ଦେଖାଇଛନ୍ତି ଓ ବିଭିନ୍ନ ପ୍ରକାରର ସଚେତନା କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି। ଭୋଟିଂ ମେସିନ firmwareରେ ପରିଚାଳିତ ଓ ଏହାର ପ୍ରୋଗ୍ରାମକୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ। ମେସିନ ଗୁଡ଼ିକ ଷ୍ଟ୍ରଙ୍ଗରୁମରେ ରୁହେ। ପ୍ରାର୍ଥୀଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗରୁମରେ ତାଲା ପଡ଼େ ଓ ପ୍ରାର୍ଥୀଙ୍କ ଉପସ୍ଥିତିରେ ଏହାର ଚାବି ଖୋଲାଯାଏ।
କୋର୍ଟ ପୁଣି ପ୍ରଶ୍ନ କରିଥିଲେ ଯେ ଭୋଟିଂ ପରେ ଜଣେ ଭୋଟର ସ୍ଲିପ ନେଇ ପାରିବେ କି? ଏହା ଭୋଟର ଗୁପ୍ତତାକୁ କ୍ଷତି ପହଞ୍ଚାଇବ ଓ ବୁଥ ବାହାରେ ଏହାର ଅପବ୍ୟବହାର ମଧ୍ୟ ହୋଇପାରେ ବୋଲି ନିର୍ବାଚନ କମିଶନ କହିଛନ୍ତି।
ସୁପ୍ରିମକୋର୍ଟ ସବୁ ଶୁଣିବା ପରେ କହିଛନ୍ତି, ଗୋଟିଏ ବିଶ୍ୱାସର ପ୍ରସଙ୍ଗ ଏଠାରେ ରହିଛି। ଆପଣ ଆମକୁ ଯାହା କହୁଛନ୍ତି ଓ ପବ୍ଲିକ ଡୋମେନ୍ରେ ଯାହା ଅଛି, ସେଥିରେ ପାର୍ଥକ୍ୟ ଦେଖାଯାଉଛି। ଏହା ମଧ୍ୟରେ ସମନ୍ୱୟ ରହିବା ଦରକାର। ଏହାର ଜବାବରେ ନିର୍ବାଚନ କମିଶନର କହିଛନ୍ତ, ଆମର କିଛି ବି ଲୁଚାଇବାର ନାହିଁ।