Advertisment

କେନ୍ଦ୍ରର ଆପତ୍ତି ସତ୍ତ୍ୱେ ପୁଣିଥରେ ସମଲିଙ୍ଗୀ ଆଇନଜୀବୀଙ୍କୁ ପ୍ରମୋସନ ଦେବାକୁ କହିଲେ ସୁପ୍ରିମକୋର୍ଟ

୨୦୧୭ରେ ଦିଲ୍ଲୀ ହାଇକୋର୍ଟ କଲେଜିୟମର ମୁଖ୍ୟ ବିଚାରପତି ଜଷ୍ଟିସ ଗୀତା ମିତ୍ତଲ, ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ରବୀନ୍ଦ୍ର ଭଟ୍ଟ ମିଳିତ ଭାବେ ଆଇନଜୀବୀ ସୌରଭ କ୍ରିପାଲଙ୍କୁ ଦିଲ୍ଲୀ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ଦେବାକୁ ସୁପାରିସ କରିଥିଲେ।

Saurabh Kirpal

Saurabh Kirpal

Advertisment

ପ୍ରଥମଥର ପାଇଁ ସୁପ୍ରିମକୋର୍ଟ ସମଲିଙ୍ଗୀ ଆଇନଜୀବୀଙ୍କୁ ପଦୋନ୍ନତି ଦେବାକୁ କେନ୍ଦ୍ର କରୁଥିବା ଆପତ୍ତି ଓ ନିଜର ମତ ସାର୍ବଜନୀନ କରିଛନ୍ତି। ସୁପ୍ରିମକୋର୍ଟ କଲେଜିୟମ ୫ ବର୍ଷ ହେଲାଣି ସମଲିଙ୍ଗୀ ଆଇନଜୀବୀ ସୌରଭ କ୍ରିପାଲଙ୍କୁ ବିଚାରପତି ଭାବେ ପ୍ରମୋସନ ଦେବାକୁ ସୁପାରିସ କରିଛନ୍ତି। ହେଲେ ତାଙ୍କୁ ପଦୋନ୍ନତି ମିଳିନି।

Advertisment

ଏଥିପାଇଁ ସର୍ବୋଚ୍ଚ ଅଦାଲତ ତୃତୀୟ ଥର ପାଇଁ ସୌରଭ କ୍ରିପାଲଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଏ ସଂକ୍ରାନ୍ତ ଫାଇଲ ମଧ୍ୟ ସୁପ୍ରିମକୋର୍ଟ ଆଇନ ମନ୍ତ୍ରଣାଳୟ ପାଖକୁ ପଠାଇ ଦେଇଛନ୍ତି। ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ବାରମ୍ବାର ସ୍ୱଚ୍ଛତା କଥା କହୁଥିଲେ। ଏଥିସହ କଲେଜିୟମ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଏହି ବିବାଦ ଭିତରେ ହିଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଅସଲ ଚେହେରାର ପର୍ଦ୍ଦାଫାସ କରିଛନ୍ତି।

ସୌରଭଙ୍କୁ ବିଚାରପତି ଭାବେ ପଦୋନ୍ନତି ନ ଦେବା ପଛର ଦୁଇଟି କାରଣ କେନ୍ଦ୍ର ସରକାର କହିଥିଲେ। ଗୋଟିଏ ହେଲା ସେ ସମଲିଙ୍ଗୀ ଓ ଦ୍ୱିତୀୟ କାରଣ ହେଲା, ତାଙ୍କ ସମଲିଙ୍ଗୀ ପାର୍ଟନର ସ୍ୱିସ ନାଗରିକ। ତେଣୁ ତାଙ୍କୁ କୌଣସି ହାଇକୋର୍ଟର ବିଚାରପତି କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ। ହେଲେ ଏହାକୁ ସର୍ବୋଚ୍ଚ ଅଦାଲତ ଅଗ୍ରାହ୍ୟ କରି ଦେଇଛନ୍ତି।

Advertisment

କୋର୍ଟ ଲେଖିଥିବା ଚିଠିରେ କହିଛନ୍ତି, “ଜାତୀୟ ସୁରକ୍ଷା ପ୍ରତି ସୌରଭ କ୍ରିପାଲଙ୍କ ପାର୍ଟନର କୌଣସି ବିପଦ ସୃଷ୍ଟି କରିଥିବା କିମ୍ବା କରୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଇନାହିଁ। ସେ ଏପରି କୌଣସି ପ୍ରକାରର ବ୍ୟବହାର ମଧ୍ୟ କରି ନାହାନ୍ତି। ତେଣୁ ପଦୋନ୍ନତି ପାଇବାକୁ ଥିବା ବ୍ୟକ୍ତିଙ୍କ ପାର୍ଟନ ସ୍ୱିସ ନାଗରିକ ହୋଇଥିବାରୁ ସେ ପରବର୍ତ୍ତୀ ଅବସ୍ଥାରେ ଦେଶ ପାଇଁ ବିପଦ ସୃଷ୍ଟି କରିବେ ବୋଲି ଆକଳନ କରିବାର କୌଣସି କାରଣ ନାହିଁ। ଉକ୍ତ ବ୍ୟକ୍ତିଙ୍କ ଗୋଟିଏ ବନ୍ଧୁତ୍ୱ ଦେଶରୁ ଆସୁଛନ୍ତି।” ଉକ୍ତ ଚିଠିରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଏସକେ କୌଲ ଓ ଜଷ୍ଟିସ କେଏମ ଯୋଶେଫଙ୍କ ଦସ୍ତଖତ ରହିଛି।

ବିଚାରପତିମାନେ ଆହୁରି କହିଛନ୍ତି, ସାମ୍ବିଧାନିକ ସଂସ୍ଥାରେ ଥିବା ଅଧିକାରୀମାନଙ୍କ ସ୍ୱାମୀ କିମ୍ବା ସ୍ତ୍ରୀ ମଧ୍ୟ ବିଦେଶୀ ନାଗରିକ। ତେଣୁ କ୍ରିପାଲଙ୍କ ପାର୍ଥିତ୍ୱକୁ ଏହି କାରଣ ପାଇଁ ଖାରଜ କରାଯାଇ ପାରିବ ନାହିଁ। ସୌରଭ କ୍ରିପାଲ ସମଲିଙ୍ଗୀ ବୋଲି ଖୋଲା ଖୋଲିଭାବେ ସ୍ୱୀକାର କରିଛନ୍ତି। ସମ୍ବିଧାନରେ ତାଙ୍କର ମଧ୍ୟ ଅଧିକାର ରହିଛି। ସୌରଭ କ୍ରିପାଲ ଜଣେ ଦକ୍ଷ, ବୁଦ୍ଧିମତ ଓ ନିଷ୍ଠାପର ବ୍ୟକ୍ତି। ବିଚାରପତି ଭାବେ ତାଙ୍କର ନିଯୁକ୍ତି ଦିଲ୍ଲୀ ହାଇକୋର୍ଟ ବେଞ୍ଚର ମୂଲ୍ୟକୁ ଆହୁରି ବୃଦ୍ଧି କରିପାରିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ନ୍ୟାୟିକ ବ୍ୟବସ୍ଥାରେ ପ୍ରଥମଥର ପାଇଁ ଜଣେ ସମଲିଙ୍ଗୀଙ୍କୁ ବିଚାରପତି କରିବା ପାଇଁ ସର୍ବୋଚ୍ଚ ଅଦାଲତ ପ୍ରସ୍ତାବ ଦେଇଥିଲେ। ଯଦି କଲେଜିୟମଙ୍କ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିବ, ତା’ହେଲେ ସୌରଭ ଦେଶର ପ୍ରଥମ ସମଲିଙ୍ଗୀ ଭାବେ ବିଚାରପତି ଆସନରେ ବସିବେ।

୨୦୧୭ରେ ଦିଲ୍ଲୀ ହାଇକୋର୍ଟ କଲେଜିୟମର ମୁଖ୍ୟ ବିଚାରପତି ଜଷ୍ଟିସ ଗୀତା ମିତ୍ତଲ, ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ରବୀନ୍ଦ୍ର ଭଟ୍ଟ ମିଳିତ ଭାବେ ଆଇନଜୀବୀ ସୌରଭ କ୍ରିପାଲଙ୍କୁ ଦିଲ୍ଲୀ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ଦେବାକୁ ସୁପାରିସ କରିଥିଲେ।

ତେବେ ସୁପ୍ରିମକୋର୍ଟ କଲେଜିୟମ ୨୦୧୮ ସେପ୍ଟେମ୍ବର, ୨୦୧୯ ଜାନୁଆରୀ ଓ ୨୦୧୯ ଏପ୍ରିଲରେ ଏହି ପ୍ରସ୍ତାବରେ ଏକମତ ହୋଇ ନଥିଲେ। ଗତବର୍ଷ ଗୋଟିଏ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସୌରଭ କହିଥିଲେ ଯେ ସମ୍ଭବତଃ ସେ ଖୋଲାଖୋଲି ଭାବେ ନିଜର ସମଲିଙ୍ଗୀ ସମ୍ପର୍କ ବିଷୟରେ କହିଥିବାରୁ ତାଙ୍କୁ ପଦୋନ୍ନତି ମିଳୁନି।

ଦିଲ୍ଲୀର ସେଣ୍ଟ ଷ୍ଟେଫେନ୍ସ କଲେଜରୁ ଗ୍ରାଜ୍ୟୁଏଟ ହୋଇଥିବା ସୌରଭ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଆଇନ ପାଠ୍ୟକ୍ରମରେ ଅଣ୍ଡର ଗ୍ରାଜ୍ୟୁଏଟ ଡିଗ୍ରୀ ହାସଲ କରିଛନ୍ତି। ସେହିପରି କ୍ୟାମ୍ବ୍ରେଜ ବିଶ୍ୱବିଦ୍ୟାଳୟରୁ ସେ ମାଷ୍ଟର ଡିଗ୍ରୀ ପାଇଛନ୍ତି। ଖାଲି ସେତିକି ନୁହେଁ, ଆଇନଜୀବୀ ଭାବେ ସେ ସୁପ୍ରିମକୋର୍ଟରେ ଦୀର୍ଘ ଦୁଇ ଦଶନ୍ଧି ଧରି କାର୍ଯ୍ୟ କରିଛନ୍ତି।

୨୦୧୮ରେ ଧାରା ୩୭୭କୁ ଉଚ୍ଛେଦ କରିଥିବା ସାମ୍ବିଧାନିକ ବେଞ୍ଚ ନିକଟରେ ଦାଖଲ ହୋଇଥିବା ଆବେଦନ ପଛରେ ସୌରଭ କ୍ରିପାଲ ଥିଲେ। ନିକଟରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟର ସମସ୍ତ ୩୧ ଜଣ ବିଚାରପତି ମିଳିତ ଭାବେ ବରିଷ୍ଠ ଆଇନଜୀବୀର ମାନ୍ୟତା ଦେଇଥିଲେ।

Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe