ଭାଗବଣ୍ଟା ଛିଣ୍ଡିଲା: ସମାନ ସଂଖ୍ୟକ ଆସନରେ ଲଢ଼ିବେ କଂଗ୍ରେସ, ଶରଦ ପାୱାରଙ୍କ ଏନ୍‌ସିପି ଓ ଉଦ୍ଧବଙ୍କ ଶିବ ସେନା

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ନଭେମ୍ବର ୨୦ରେ ଭୋଟ୍ ଗ୍ରହଣ କରାଯିବ।

ରାହୁଲ ଗାନ୍ଧି, ଶରଦ ପାୱାର ଓ ଉଦ୍ଧବ ଠାକରେ

  • Published: Wednesday, 23 October 2024
  • , Updated: 23 October 2024, 09:35 PM IST

ମହାରାଷ୍ଟ୍ରର ବିରୋଧୀ ମେଣ୍ଟ ‘ମହା ବିକାଶ ଅଘାଡ଼ି’ (MVA) ବିଧାନସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ଚୂଡ଼ାନ୍ତ କରିଛି। ବୁଝାମଣା ଅନୁଯାୟୀ, କଂଗ୍ରେସ, ଶରଦ ପାୱାରଙ୍କ ଏନ୍‌ସିପି (NCP-SP) ଓ ଉଦ୍ଧବ ଠାକରେଙ୍କ ଶିବ ସେନା (UBT) ୮୫ଟି ଲେଖାଏଁ ଆସନରେ ନିର୍ବାଚନ ଲଢ଼ିବେ। ଆଜି ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଶିବ ସେନା (UBT) ନେତା ସଞ୍ଜୟ ରାଉତ ଓ ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲେ ଏହି ଘୋଷଣା କରିଛନ୍ତି।

ମହାରାଷ୍ଟ୍ର ବିଧାନସଭାରେ ୨୮୮ଟି ଆସନ ଥିବା ବେଳେ ଏହି ତିନିଟି ଦଳ ମିଶି ୨୫୫ଟି ଆସନରେ ଲଢ଼ିବେ। ବାକି ୩୩ଟି ଆସନ ସେମାନେ ମେଣ୍ଟରେ ଥିବା ଅନ୍ୟାନ୍ୟ ଛୋଟ ଦଳଗୁଡ଼ିକୁ ଦେବେ। ତା’ ସତ୍ତ୍ୱେ କିଛି ଆସନ ବଳିଲେ, ସେଗୁଡ଼ିକୁ ସେମାନେ ନିଜ ନିଜ ମଧ୍ୟରେ ବାଣ୍ଟି ନେବେ ବୋଲି କୁହାଯାଇଛି।

ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ ରାଉତ ଓ ନାନା ପାଟୋଲେ କହିଥିଲେ, ପାୱାର ସାହେବଙ୍କ ସହିତ ଆମର ଅନ୍ତିମ ବୈଠକ ଶେଷ ହୋଇଯାଇଛି। ମହା ବିକାଶ ଅଘାଡ଼ିର ଆସନ ବୁଝାମଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେବାକୁ ସେ ଆମକୁ କହିଥିଲେ। ଆମେ ଏହାକୁ ୮୫-୮୫-୮୫ରେ ଚୂଡ଼ାନ୍ତ କରିଛୁ। ଫଳରେ ଆମେ ଏକାଠି ୨୭୦ଟି ଆସନରେ ଲଢ଼ିବାକୁ ଯାଉଛୁ। ବାକି ୧୮ଟି ଆସନ ଆମର ଅନ୍ୟ ସହଯୋଗୀ ଦଳଗୁଡ଼ିକୁ ଦିଆଯିବ।

ପରେ ଯେତେବେଳେ ଗଣମାଧ୍ୟମ ପ୍ରତିନିଧିମାନେ କହିଥିଲେ ଯେ ୮୫ ଫର୍ମୁଲାରେ ସେମାନେ ୨୭୦ ନୁହେଁ, ୨୫୫ଟି ଆସନରେ ଲଢ଼ିବେ, ସେତେବେଳେ ସେଠାରେ ଉପସ୍ଥିତ ଶିବ ସେନା (UBT) ନେତା ଅନୀଲ ଦେଶାଇ କହିଥିଲେ, ୮୫-୮୫-୮୫ରେ ବୁଝାମଣା ହୋଇଛି। ବାକି ଆସନ ଆମର ଛୋଟ ଛୋଟ ସହଯୋଗୀମାନଙ୍କୁ ଦିଆଯିବ। ଏନେଇ ଆଲୋଚନା ହେବା ପରେ ସେହି ଆସନଗୁଡ଼ିକୁ ସେମାନଙ୍କୁ ଦିଆଯିବ। ଯଦି କିଛି ବଳି ଯିବ, ତା’ହେଲେ ସେଗୁଡ଼ିକୁ ଆମ ମଧ୍ୟ ଭାଗ କରି ଦିଆଯିବ।

ଆସନ ବୁଝାମଣା ନେଇ ଗତକାଲି ମହା ବିକାଶ ଅଘାଡ଼ି ମେଣ୍ଟର ୬ ଘଣ୍ଟା ଧରି ବୈଠକ ହୋଇଥିଲା। ଏହି ବୈଠକ ପ୍ରାୟ ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲିଥିଲା। ଆଜି ସକାଳେ ପୁଣି ବୈଠକ ବସିଥିଲା। ଆଜି ସକାଳେ ବସିଥିବା ବୈଠକରେ ଶରଦ ପାୱାର ଯୋଗ ଦେଇଥିଲେ। ଆସନ ବୁଝାମଣାକୁ ନେଇ କଂଗ୍ରେସ ଓ ଶିବ ସେନା (UBT) ମଧ୍ୟରେ ଚାଲିଥିବା ଟଣାଓଟରାରେ ସେ ମଧ୍ୟସ୍ଥି ସାଜି ତା’ର ସମାଧାନ କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ମହାରାଷ୍ଟ୍ର, ବିଦର୍ଭ ଓ ମୁମ୍ବାଇର ୧୫ଟି ଆସନକୁ ନେଇ ମହା ବିକାଶ ଅଘାଡ଼ି ମେଣ୍ଟରେ ସହମତି ପ୍ରକାଶ ପାଇପାରି ନାହିଁ। ଶିବ ସେନା (UBT) ୧୦୦ଟି ଆସନରେ ଲଢ଼ିବାକୁ ଚାହୁଁଥିଲା। ସେହିପରି ରାଜ୍ୟରେ ଲୋକସଭା ନିର୍ବାଚନ ପରେ ବେଶ୍ ଖୁସି ଥିବା କଂଗ୍ରେସ ୧୨୫ଟି ଆସନରେ ଲଢ଼ିବାକୁ ଚାହୁଁଥିଲା। ତେଣୁ ଟଣାଓଟରା ସ୍ଥିତି ଉତ୍ପନ୍ନ ହୋଇଥିଲା।

ଗତ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ମେଣ୍ଟ ୪୮ଟି ଆସନରୁ ୩୦ଟିରେ ବିଜୟୀ ହୋଇଥିଲା। ସେହି ୩୦ଟିରୁ କେବଳ କଂଗ୍ରେସ ୧୩ଟିରେ ଜିତିଥିଲା।

ସୂଚନାଯୋଗ୍ୟ, ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ନଭେମ୍ବର ୨୦ରେ ଭୋଟ୍ ଗ୍ରହଣ କରାଯିବ। ନଭେମ୍ବର ୨୩ ତାରିଖରେ ଭୋଟ୍ ଗଣତି ହେବ।

Related story