ଶୋଇଥିବା ସମୟରେ ହଠାତ୍ ଖଟ ଉପରୁ ତଳକୁ ଖସି ପଡ଼ିଲେ ମହିଳା। ଏପରି ଦେଖି ପରିବାର ଲୋକେ ତୁରନ୍ତ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ କଲ୍ କଲେ। ଆଉ ଉଦ୍ଧାରକାରୀ ଟିମ୍ ପହଞ୍ଚି ଯୋଗାଇ ଦେଲେ ସହାୟତା। ମହିଳା ଜଣକ ଖଟରୁ ପଡ଼ିଯିବା ପରେ ଅଗ୍ନିଶମ କର୍ମଚାରୀଙ୍କୁ କାହିଁକି ଆସିବାକୁ ପଡ଼ିଲା ବୋଲି ଭାବୁଥିବେ ନିଶ୍ଚୟ!
ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସମ୍ପୃକ୍ତ ମହିଳାଙ୍କ ଓଜନ ଦେଢ଼ କ୍ୱିଣ୍ଟାଲରୁ ଅଧିକ। ଏଥିପାଇଁ ପରିବାର ଲୋକେ ଖଟ ଉପରୁ ତାଙ୍କୁ ଉଠାଇବାରେ ଅକ୍ଷମ ହେଲେ। ଏଥିସହ ତାଙ୍କର ମଧ୍ୟ ଏକ ରୋଗ ରହିଛି। ରିପୋର୍ଟ ମୁତାବକ, ସେ ସମ୍ପୂର୍ଣ୍ଣ ୧୬୦ କିଲୋଗ୍ରାମ ଓଜନର। ୬୨ ବର୍ଷିୟ ଏହି ମହିଳା ଜଣଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି। ତାଙ୍କର ମୋବିଲିଟି ସମସ୍ୟା ଥିବାରୁ ଶରୀରର ଅଙ୍ଗ ସହଜରେ ମୁଭ୍ ବା ଗତି କରିପାରୁ ନାହିଁ। ଫଳରେ ବସିବା ସ୍ଥାନରୁ ଉଠିବା, ଉଠିବା ସ୍ଥାନରୁ ବସିବା କଷ୍ଟକର ହୋଇପଡୁଛି।
ଆଜି ସକାଳ ପ୍ରାୟ ୮ଟା ସମୟରେ ସେ ମହାରାଷ୍ଟ୍ରର ଥାନେ ସହରରେ ଥିବା ତାଙ୍କ ଫ୍ଲାଟରେ ଶୋଇଥିବା ବେଳେ ଖଟରୁ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଫଳରେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଖବର ପାଇ ଉଦ୍ଧାରକାରୀ ଟିମ୍ ପହଞ୍ଚି ତାଙ୍କୁ ଖଟ ଉପରେ ଶୁଆଇଛନ୍ତି। ଏନେଇ ଥାନେ ମ୍ୟୁନିସିପାଲ କର୍ପୋରେସନର ଜଣେ କର୍ମଚାରୀ ସୂଚନା ଦେଇ ପୂରା ଘଟଣା ଉପରୁ ପରଦା ଉଠାଇଛନ୍ତି।