କଟକ(ଓଡ଼ିଶା ରିପୋର୍ଟର): କଟକ ସହର ପାଲଟିଛି ଭେଜାଲ୍ ମାଲ୍ ତିଆରିର କୁଟୀର ଶିଳ୍ପ ? ଆଜି ଜଗତପୁର ଶିଳ୍ପାଞ୍ଚଳର ପୁଣି ଥରେ ଏକ ବ୍ରାଣ୍ଡ୍ର କାରଖାନାରୁ ଜବତ ହୋଇଛି ବିପୁଳ ପରିମାଣର ନକଲି ଘିଅ । ସିଏମ୍ସି ଓ କମିଶନରେଟ୍ ପୁଲିସର ମିଳିତ ଚଢାଉ ବେଳେ ସାମ୍ନାକୁ ଆସିଛି ଏକ ନାମୀ ବ୍ରାଣ୍ଡର ବେନାମି କାରବାର। ଜବତ ହୋଇଛି କୋଟିଏରୁ ଅଧିକ ଟଙ୍କାର ଭେଜାଲ ମାଲ୍। ଯେଉଁଠି ପ୍ରସ୍ତୁତ ହେଉଥିଲା ଶୁଦ୍ଧ ଓ ଅସଲି ନାଁରେ ଭେଜାଲ ଓ ନକଲି ମାଲ । ଚଢଉ ବେଳେ ପୁଲିସ ଜାଣିବାକୁ ପାଇଛି ଯେ, ୮୦୦ ଲିଟର ଘିଅ ପ୍ରସ୍ତୁତିରେ ବ୍ୟବହାର ହେଉଥିଲା ୬୦୦ ଶହ ଲିଟର ପାଲୋମିନ।
ଖାଲି ସେତିକି ନୁହେଁ, ଏକ୍ସପାରି ମାଲକୁ ଆଉଥରେ ପ୍ୟାକ୍ କରି ବଜାରକୁ ଛାଡ଼ିବା, ପ୍ୟାକେଟ୍ ଉପରେ ଏକ୍ପପାରି ଡେଟ୍ ୨ ମାସ ବଢ଼ାଇ ଗ୍ରାହକଙ୍କ ବିଶ୍ୱାସରେ ବିଷ ଦେବା ଭଳି କାମ ବି କରୁଥିଲା ଏ କମ୍ପାନୀ । ଭଲ ଘିଅର ଧାରଣା ପାଇଁ ମିଶାଯାଉଥିଲା ବିଭିନ୍ନ ରସାୟନିକ ଦ୍ରବ୍ୟ । ରେଡ୍ ବେଳେ କମ୍ପାନୀରୁ ସମାନ ଢଙ୍ଗରେ ପ୍ରସ୍ତୁତ ହେଉଥିବା ବହୁ ପରିମାଣର ଟମାଟୋ ଓ ଚିଲି ସସ୍ ବି ଜବତ ହୋଇଛି। ଜବତ ମାଲର ପରିମାଣ କୋଟିଏରୁ ଅଧିକ ହେବ ବୋଲି କହିଛି ପୁଲିସ। ଆଜିର ଚଢାଉ ବେଳେ କମ୍ପାନୀ ମାଲିକ ଫେରାର ହୋଇଥିବା ବେଳେ ଧରା ପଡ଼ିଛନ୍ତି ଦୁଇ କର୍ମଚାରୀ ।
ଅନ୍ୟପଟେ ଭେଜାଲ ମାଲର ଉକ୍ତ କମ୍ପାନୀ ଉପରେ ପୁଲିସର ଲଗାତାର ଚଢାଉ ପରେ ଖାଉଟି ଆତଙ୍କିତ ହୋଇପଡ଼ିଛନ୍ତି । ଗଲା ୩ ଦିନରେ ଚଢାଉ ପରେ ତିନି ତିନିଟି ବଡ଼ ଡୁପ୍ଲିକେଟ୍ କମ୍ପାନୀର ପର୍ଦ୍ଦାଫାସ କରିଛି ପୁଲିସ । ୨ ଦିନ ତଳେ ଗତିରାଉତ ପାଟଣା ଅଞ୍ଚଳରୁ ନକଲି ମସଲା କାରଖାନା ଓ ନୂଆ ବଜାର ଅଞ୍ଚଳରୁ ଏକ ନକଲି ଘିଅ କମ୍ପାନୀକୁ ବି ଠାବ କରାଯାଇଥିଲା । ଏହାର କିଛି ଦିନ ପୂର୍ବରୁ ମାଲଗୋଦାମ୍ ଅଞ୍ଚଳରୁ ବି ଜବତ ହୋଇଥିଲା କୁଇଣ୍ଟାଲ କୁଇଣ୍ଟାଲ ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ବସ୍ତା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।