ହସ୍ପିଟାଲରେ ଆଇସୋଲେସନରେ ୧୦୪ ଜଣ ଅଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣର ହଟସ୍ପଟ୍ ପାଲଟିଥିବା ରାଜଧାନୀ ଭୁବନେଶ୍ୱରରେ ଆଗାମୀ ଦିନରେ ବ୍ୟାପକ ନମୂନା ପରୀକ୍ଷା ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେଉଥିବାବେଳେ ମୋଟ ୧୦୪ଜଣ କରୋନା ସନ୍ଦିଗ୍ଧ ଏବେ ହସ୍ପିଟାଲ ଆଇସୋଲେସନରେ ଅଛନ୍ତି। ଗତ ୩ଦିନ ଧରି ରାଜ୍ୟରେ କୌଣସି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ଓ ଏବେ ମାତ୍ର ୪୦ଜଣ ସଂକ୍ରମିତ ରୋଗୀ ଚିକିତ୍ସାଧୀନ ଅଛନ୍ତି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି […]

covid-hospital

Manoranjan Sial
  • Published: Friday, 17 April 2020
  • , Updated: 17 April 2020, 07:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣର ହଟସ୍ପଟ୍ ପାଲଟିଥିବା ରାଜଧାନୀ ଭୁବନେଶ୍ୱରରେ ଆଗାମୀ ଦିନରେ ବ୍ୟାପକ ନମୂନା ପରୀକ୍ଷା ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେଉଥିବାବେଳେ ମୋଟ ୧୦୪ଜଣ କରୋନା ସନ୍ଦିଗ୍ଧ ଏବେ ହସ୍ପିଟାଲ ଆଇସୋଲେସନରେ ଅଛନ୍ତି। ଗତ ୩ଦିନ ଧରି ରାଜ୍ୟରେ କୌଣସି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ଓ ଏବେ ମାତ୍ର ୪୦ଜଣ ସଂକ୍ରମିତ ରୋଗୀ ଚିକିତ୍ସାଧୀନ ଅଛନ୍ତି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ, ଗତକାଲି ମଧ୍ୟରାତ୍ରି ସୁଦ୍ଧା ରାଜ୍ୟରେ ମୋଟ ୭୫୭୭ଟି ନମୂନା ପରୀକ୍ଷା ହୋଇଥିଲା। ଏବେସୁଦ୍ଧା ମୋଟ ୬୦ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି। ୧୯ଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ସଂକ୍ରମିତଙ୍କ ମଧ୍ୟରୁ ୪୦ଜଣ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଭୁବନେଶ୍ୱରରେ କୋଭିଡ-୧୯ ପରିସ୍ଥିତିକୁ ଅନୁଧ୍ୟାନ କରି ରାଜ୍ୟ ସରକାର ଭୁବନେଶ୍ୱରକୁ କରୋନା ମୁକ୍ତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଆଗାମୀ ସପ୍ତାହକ ମଧ୍ୟରେ ୫ହଜାର ନମୂନା ପରୀକ୍ଷା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏହି ଲକ୍ଷ୍ୟ ହାସଲ କରିବା ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି। ସ୍ୱେଚ୍ଛାକୃତ ନମୂନା ପରୀକ୍ଷା ନିମନ୍ତେ ଲୋକେ ଆଗେଇ ଆସିବାକୁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ବିଭିନ୍ନ ନାଗରିକ କଲ୍ୟାଣ କମିଟି, ପୂଜା କମିଟି, ସାହିବସ୍ତିର ମୁଖିଆ ଓ ନେତୃବୃନ୍ଦଙ୍କୁ ସହଯୋଗ କରିବା ଅନୁରୋଧ କରିଛନ୍ତି ବୋଲି ଶ୍ରୀ ବାଗଚୀ କହିଛନ୍ତି।

ରାଜ୍ୟରେ କୋଭିଡ-୧୯ ନିୟମ ଓ ଗାଇଡଲାଇନ୍ ଉଲ୍ଲଘଂନ କରିଥିବା ଅଭିଯୋଗରେ ଏପ୍ରିଲ ୧୬ରୁ ୧୭ତାରିଖ ସକାଳ ପର୍ଯ୍ୟନ୍ତ ୨୪ଘଣ୍ଟା ମଧ୍ୟରେ ୧୨୨ଟି ମାମଲା ଦାଏର କରାଯାଇଛି। ସେଥିରୁ ୧୧୭ଟି ମାମଲା ଲକଡାଉନ୍ ସମ୍ପର୍କିତ,ଗୋଟିଏ ଗୁଜବ ସୃଷ୍ଟି ପାଇଁ ଓ ୪ଟି ଅନ୍ୟ କାରଣ ସହ ଜଡ଼ିତ ଥିବା ମାମଲା। ବିଭିନ୍ନ ଅଭିଯୋଗରେ ୨୫୨ଜଣଙ୍କୁ ଗିରଫ କରାଯାଇଛି ବୋଲି ଶ୍ରୀ ବାଗଚୀ କହିଛନ୍ତି।

Related story