ସୀମାନ୍ତ ଜିଲ୍ଲାରେ ୧୨ଟି ଚେକ୍ ପଏଣ୍ଟ, ଏସ୍‌ଓପି ଜାରି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକଡାଉନ୍ ଯୋଗୁ ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆ ଲୋକମାନଙ୍କ ଘରବାହୁଡ଼ା ଓ କରୋନା ସଂକ୍ରମଣ ଆଶଙ୍କାକୁ ହ୍ରାସ କରିବାକୁ ନେଇ ରାଜ୍ୟ ସରକାର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୧୨ଟି ଚେକ ପଏଣ୍ଟ ସ୍ଥାପନ କରିଛନ୍ତି। ଏହି ଚେକ୍ ପଏଣ୍ଟଗୁଡ଼ିକ ପୁଲିସ୍ ବିଭାଗ ଦ୍ୱାରା ପରିଚାଳିତ ହେବ ଓ ଏଥିପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଗାଇଡଲାଇନ୍ (ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର) ଜାରି ହୋଇଛି। ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନେ କେବଳ […]

boarder-district

Manoranjan Sial
  • Published: Saturday, 02 May 2020
  • , Updated: 02 May 2020, 07:56 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକଡାଉନ୍ ଯୋଗୁ ଅନ୍ୟ ରାଜ୍ୟରେ ଅଟକି ରହିଥିବା ଓଡ଼ିଆ ଲୋକମାନଙ୍କ ଘରବାହୁଡ଼ା ଓ କରୋନା ସଂକ୍ରମଣ ଆଶଙ୍କାକୁ ହ୍ରାସ କରିବାକୁ ନେଇ ରାଜ୍ୟ ସରକାର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ୧୨ଟି ଚେକ ପଏଣ୍ଟ ସ୍ଥାପନ କରିଛନ୍ତି। ଏହି ଚେକ୍ ପଏଣ୍ଟଗୁଡ଼ିକ ପୁଲିସ୍ ବିଭାଗ ଦ୍ୱାରା ପରିଚାଳିତ ହେବ ଓ ଏଥିପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଗାଇଡଲାଇନ୍ (ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର) ଜାରି ହୋଇଛି।

ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନେ କେବଳ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ଏହି ୧୨ଟି ବର୍ଡର ଚେକ୍ ପଏଣ୍ଟ ଦେଇ ରାଜ୍ୟ ଭିତରକୁ ପ୍ରବେଶ କରିପାରିବେ। ରାଜ୍ୟର ସୀମାବର୍ତ୍ତୀ ୧୧ଟି ଜିଲ୍ଲାରେ ସ୍ଥାପିତ ହୋଇଥିବା ଏହି ସୀମା ଚେକ୍ ପଏଣ୍ଟଗୁଡ଼ିକୁ ସମନ୍ୱିତ ଭାବେ ପରିଚାଳନା କରିବାକୁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ପୁଲିସ, ସ୍ୱାସ୍ଥ୍ୟ ଓ ପରିବହନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ମଧ୍ୟ ଏହି ଏସଓପିକୁ ସମସ୍ତ ଜିଲ୍ଲାପାଳ, ଏସପି, ପୌରାଂଚଳ କମିଶନର, ଆଂଚଳିକ ପରିବହନ ଅଧିକାରୀ ଓ ପରିବହନ କମିଶନରଙ୍କ ନିକଟକୁ ପଠାଇ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କହିଛନ୍ତି।

ଏସଓପି ଅନୁସାରେ ଅତିକମରେ ଇନ୍ସପେକ୍ଟର ପାହ୍ୟାର ଅଧିକାରୀମାନେ ସୀମା ଚେକ ପଏଣ୍ଟ ଦାୟିତ୍ୱରେ ରହିବେ। ଆଂଚଳିକ ପରିବହନ ଅଧିକାରୀ ଚେକପଏଣ୍ଟର ବିଭିନ୍ନ କାର୍ଯ୍ୟ ପାଇଁ ମାନବସମ୍ବଳ, କମ୍ପ୍ୟୁଟର, ପ୍ରିଣ୍ଟର, ଡାଟା ଏଣ୍ଟ୍ରି ଅପରେଟର ଯୋଗାଇ ଦେବେ। ପ୍ରତି ଚେକ ପଏଣ୍ଟରେ ଗୋଟିଏ ସ୍ୱାସ୍ଥ୍ୟ ସେବା ଟିମକୁ ସମ୍ପୃକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମୁତୟନ କରାଇବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଶୌଚାଳୟ, ପାନୀୟ ଜଳ ବ୍ୟବସ୍ଥା ରହିବ।

ପୂର୍ବ ନିର୍ଦ୍ଧାରିତ ନିୟମ ଅନୁସାରେ ଚେକ ପଏଣ୍ଟରେ ଓଡ଼ିଶାକୁ ଆସୁଥିବା ସମସ୍ତ ଗାଡ଼ିର ପଞ୍ଜିକୃତ ତଥ୍ୟ ଯାଂଚ କରାଯିବ। ଓଡ଼ିଶା ଫେରୁଥିବା ସମସ୍ତ ବ୍ୟକ୍ତିଙ୍କ ଡାହାଣ ହାତର କହୁଣୀ ତଳେ ଅଲିଭା କାଳିରେ ଏକ ଷ୍ଟାମ୍ପ ଲଗାଯିବ। ସେହି ଷ୍ଟାମ୍ପରେ ଫେରିବା ତାରିଖ ଉଲ୍ଲେଖ ରହିବ। ଯାହାକି କ୍ୱାରେଣ୍ଟାଇନ ଅବଧି ନିର୍ଦ୍ଧାରଣ ସମୟରେ କାର୍ଯ୍ୟରେ ଆସିବ। ଫେରୁଥିବା ପ୍ରବାସୀ ଓଡ଼ିଆମାନେ ଚେକିଂ ପଏଣ୍ଟରେ ନିଜର ପରିଚୟ ପତ୍ର ଦେଖାଇବେ। ପଞ୍ଜିକୃତ ଡାଟା ସହ ପ୍ରବାସୀଙ୍କ ପରିଚୟପତ୍ର ମେଳ କରାଯିବାପରେ ସେମାନଙ୍କୁ ରାଜ୍ୟ ଭିତରକୁ ଆସିବାକୁ ଅନୁମତି ମିଳିବ। ସୂଚନାଯୋଗ୍ୟ ଓଡ଼ିଶା ଭିତରକୁ ପ୍ରବେଶ କରିବା ନିମନ୍ତେ ସୁନ୍ଦରଗଡ଼, କେନ୍ଦୁଝର, କୋରାପୁଟ, ଗଞ୍ଜାମ, ମୟୂରଭଞ୍ଜ, ଝାରସୁଗୁଡ଼ା, ରାୟଗଡ଼ା, ନୂଆପଡ଼ା, ବାଲେଶ୍ୱର, ବରଗଡ଼ ଓ ମାଲକାନଗିରି ଜିଲ୍ଲାର ୧୨ଟି ସ୍ଥାନରେ ଚେକ ପଏଣ୍ଟ ସ୍ଥାପନ କରାଯାଇଛି।

Related story