ସମ୍ବଲପୁର (ସଞ୍ଜୟ ଜେନା): ଆଜି ଖୋଲାଯିବ ହୀରାକୁଦ ଡ୍ୟାମ୍ର ୧୬ଟି ଗେଟ୍ । ମହାନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥିବାରୁ ପୂର୍ବାହ୍ନ ୧୧ଟା ୩୦ ପରେ ଗେଟ୍ ଖୋଲିବା ଆରମ୍ଭ ହେବ ବୋଲି ଜଣାଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ। ଏଥିଯୋଗୁ ମହାନଦୀ ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି।
ଗତ କାଲି ହୀରାକୁଦ ଡ୍ୟାମ୍ର ଗୋଟିଏ ଗେଟ୍ ଖୋଲାଯାଇଥିଲା । ଗତ କାଲି ପୂର୍ବାହ୍ନ ୧୧ଟା ୩୦ରେ ୭ ନମ୍ବର ଗେଟ୍ ଖୋଲାଯାଇଥିବା ବେଳେ ଅପରାହ୍ନ ୨ଟାରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ହେଲେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପର୍ଯ୍ୟାୟ କ୍ରମେ ଆଜି ୧୬ଟି ଗେଟ୍ ଖୋଲାଯାଇ ମହାନଦୀକୁ ବନ୍ୟାଜଳ ଛଡ଼ାଯିବ।
ହୀରାକୁଦ କଣ୍ଟ୍ରୋଲ୍ ରୁମ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇ ଗତକାଲି ରାତି ସୁଦ୍ଧା ୬୨୧.୨୩ ଫୁଟ୍ରେ ପହଞ୍ଚିଛି । ଜଳଭଣ୍ଡାରକୁ ୨ ଲକ୍ଷ ୫୭ ହଜାର ୬୫୯ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ମାତ୍ର ୧୪ ହଜାର ୬୩୯ କ୍ୟୁସେକ୍ ଜଳ । ତେଣୁ ଜଳପତ୍ତନ ବଢ଼ି ଚାଲିଥିବାରୁ ଅଧିକ ଗେଟ୍ ଖୋଲାଯିବାର ଆଶଙ୍କା ସୃଷ୍ଟି ହୋଇଛି ।
ଗତକାଲି ସାଂକେତିକ ଭାବେ କିଛି ସମୟ ପାଇଁ ହୀରାକୁଦ୍ର ଗୋଟିଏ ଗେଟ୍ ଖୋଲାଯାଇ ମହାନଦୀକୁ ଛଡ଼ାଯାଇଥିଲା ବୋଲି ଜଣାଇଛନ୍ତି କର୍ତ୍ତୃପକ୍ଷ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।