ବ୍ରହ୍ମପୁର(ଜଗନ୍ନାଥ ସାହୁ): ବିଦେଶରେ ପୁଣି ଥରେ ଫସି ରହିଛନ୍ତି ଓଡ଼ିଆ ଶ୍ରମିକ। କାମ କରିବାକୁ ଯାଇ ଓଡ଼ିଶାର ୧୭ ଜଣ ଶ୍ରମିକ ଓମାନ୍ରେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣ ଗଞ୍ଜାମ ଜିଲ୍ଲାର ଆସିକା, କୋଦଳା ଓ ଛତ୍ରପୁରରୁ ହୋଇଥିବା ବେଳେ ଆଉ ୯ ଜଣ ଭୁବନେଶ୍ୱର ଓ ବାଲେଶ୍ୱରର ବୋଲି ଜଣାପଡ଼ିଛି।
ଏହି ଶ୍ରମିକମାନେ ଭୁବନେଶ୍ୱରର ଏକ ଘରୋଇ ସଂସ୍ଥାର ସହଯୋଗରେ ସେଠାକୁ କାମ କରିବାକୁ ଯାଇଥିଲେ। ସେଠାରେ ସେମାନେ ଜେ ଆଣ୍ଡ ପି କମ୍ପାନୀରେ କାମ କରୁଥିଲେ। ହେଲେ କିଛି ମାସ ହେବ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକମାନଙ୍କୁ ଭଲ ଭାବେ ଖାଇବାକୁ ଦେଉ ନଥିବା ବେଳେ ଚିକିତ୍ସା ସୁବିଧା ବି ଦେଉ ନାହାନ୍ତି। ଏମିତିକି କମ୍ପାନୀ ୫ ମାସ ହେବ ଶ୍ରମିକଙ୍କୁ ଦରମା ଦେଇ ନାହିଁ। ଏଥିସହ ସେମାନଙ୍କୁ ପାସପୋର୍ଟ ଓ ଭିସା ବି ଫେରାଉ ନାହାନ୍ତି। ତେଣୁ ସମସ୍ତ ଶ୍ରମିକ ଏକତ୍ରିତ ହୋଇ କମ୍ପାନୀ ସମ୍ମୁଖରେ ଧାରଣା ଦେଇଥିଲେ। ମସ୍କଟ୍ ପୁଲିସ୍ ଶ୍ରମିକମାନଙ୍କୁ ବୁଝାସୁଝା କରିଛି।
କେବଳ ଓଡ଼ିଶା ଶ୍ରମିକ ନୁହନ୍ତି, ସେଠାରେ ଉତ୍ତରପ୍ରଦେଶ, ବିହାର, ପଞ୍ଜାବ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ୱେଷ୍ଟବେଙ୍ଗଲର ୧୨ ଶହ ଶ୍ରମିକ ଫସି ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।