ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜକୁ ଠିକ୍ ୨୧ ବର୍ଷ ତଳେ ତାଣ୍ଡବ ରଚିଥିଲା ମହାବାତ୍ୟା। ସେହି ମହାବାତ୍ୟାକୁ ଯିଏ ଆଖିରେ ଦେଖିଛି, ଏବେ ସେ କଥା ମନେ ପଡ଼ିଲେ ଶିହରି ଉଠୁଛି ଦେହ, ଡରିଯାଉଛି ମନ। ୧୯୯୯ ମସିହା ଆଜିର ଦିନରେ ହିଁ ରାଜ୍ୟ ପାଇଁ ଆସିଥିଲା ମହା ବିପତ୍ତି। ଉଜାଡ଼ି ଦେଇଥିଲା ଶହ ଶହ ଲୋକଙ୍କ ଜୀବନ ଓ ସୁନାର ସଂସାର। କ୍ୟାଲେଣ୍ଡରରେ ପୃଷ୍ଠା ଲେଉଟିଲା ଭଳି ୯୯ ମସିହାରେ ମହାକାଳରୂପୀ ମହାବାତ୍ୟାକୁ ୟା ଭିତରେ ବିତି ଗଲାଣି ୨୧ ବର୍ଷ। ହେଲେ ଏବେ ବି ଅନୁଭବିଙ୍କ ସ୍ମୃତିରେ ଅପାଶୋରା ପ୍ରକୃତିର ସେହି ଭୟଙ୍କର ରୂପ।
ମହାବାତ୍ୟାର ମହା ଆଁରେ ସେତେବେଳେ ଚିହ୍ନବର୍ଣ୍ଣ ଶୂନ୍ୟ ହୋଇଥିଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ବାଲେଶ୍ୱର, ଯାଜପୁର ଭଳି ଏକାଧିକ ଜିଲ୍ଲା। ଉପକୂଳବର୍ତ୍ତି ଜିଲ୍ଲାର ଗାଁ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଜଗତସିଂହପୁରର ଏରସମା ଓ କୁଜଙ୍ଗ। ୯ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ନିଖୋଜ ହୋଇଥିଲେ। ମଣିଷ, ପଶୁଙ୍କ ମୃତଦେହ ଏଣେ ତେଣେ ବିକ୍ଷୀପ୍ତ ହୋଇପଡ଼ି ରହିଥିଲା। ଯାହା ସୃଷ୍ଟି କରିଥିଲା ଏକ ଭୟଙ୍କର ପରିସ୍ଥିତି।
ଜଗତସିଂହପୁରରେ ଦେଖିବାକୁ ମିଳିଥିଲା ପ୍ରକୃତିର ତାଣ୍ଡବଲୀଳା। ଏରସମା, କୁଜଙ୍ଗ ସମେତ ପାରାଦୀପ ଏବଂ ଜିଲ୍ଲାର ହଜାର ହଜାର ଗାଁକୁ ଦାଉ ସାଧିଥିଲା ମହାବାତ୍ୟା। ପାରାଦୀପ ଷଣ୍ଢକୁଦ ବସ୍ତି ବି ବିଶେଷ ଭାବରେ ପ୍ରଭାବିତ ହୋଇଥିଲା। ସମୁଦ୍ର କୂଳରେ ଜୀବନ ଯାପନ କରୁଥିବା ଲୋକେ ସେ ଦିନ ଦେଖିଥିଲେ ସେହି ପ୍ରକୃତିର କରାଳ ରୂପ। ହେଲେ ୨୧ ବର୍ଷ ପରେ ବି ଅଞ୍ଚଳରେ ବାତ୍ୟାକୁ ମୁକାବିଲା କରିବା ଭଳି ବ୍ୟବସ୍ଥା ନାହିଁ। ନା ଅଛି ଆଶ୍ରୟସ୍ଥଳୀ ନା ରହିଛି କୌଣସି ଅନୁସଙ୍ଗିକ ସୁବିଧା। ୨୦୦୮ରୁ ବାତ୍ୟା ଆଶ୍ରୟସ୍ଥଳୀ ନେଇ ଫଳକ ଲାଗିଛି, ହେଲେ ତାହା ଏବେ ଯାଏ ସମ୍ପୂର୍ଣ୍ଣ ହୋଇପାରିଲାନି। ଏବେ ବି ଲୋକଙ୍କ ପାଖରେ ପକ୍କା ଘର ବି ନାହିଁ। ବାତ୍ୟା କିମ୍ବା ବନ୍ୟା ଆସିଲେ ୨ କିଲୋମିଟର୍ ଦୂରରେ ଥିବା ଆଶ୍ରୟସ୍ଥଳୀକୁ ଯାଆନ୍ତି।
ସେହି ବିଧ୍ବଂସକାରୀ ମହାବାତ୍ୟା କବଳରୁ କେନ୍ଦ୍ରାପଡ଼ା ବି ବର୍ତ୍ତି ପାରିନଥିଲା। କେନ୍ଦ୍ରାପଡ଼ା ଜିଲ୍ଲାର ଏକାଧିକ ଗାଁରେ ଘଟିଯାଇଥିଲା ଭୟଙ୍କର ତାଣ୍ଡବ। ଆଜି ବି ସେ କଥା ମନେ ପକାଇ ଭୟଭୀତ ହେଉଯାଉଛନ୍ତି କେନ୍ଦ୍ରାପଡ଼ାବାସୀ। ଜିଲ୍ଲାର ସମସ୍ତ ବ୍ଲକ କ୍ଷତିଗସ୍ତ ହୋଇଥିବା ବେଳେ ସମୁଦ୍ର କୂଳରେ ଥିବା ରାଜନଗର ଓ ମହାକାଳପଡ଼ା ଅଧିକ କ୍ଷତି ସହିଥିଲା। କିଏ ନିଜ ପ୍ରିୟ ପରିଜନଙ୍କୁ ହରାଇଥିଲା ତ, କିଏ ବାପା, ମାଆ, ଭାଇ ତ କିଏ ନିଜ ପଡ଼ୋଶୀକୁ ହରାଇଥିଲା।
୯୯ ମହାବାତ୍ୟାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ଅନେକ ଗାଁ ପ୍ରଭାବିତ ହୋଇଥିଲା। ବିଶେଷ କରି ବ୍ଲକର ନୂଆଗଡ଼ ଗାଁ ମହାବାତ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ମହାବାତ୍ୟାରେ ପୁରୀ ଜିଲ୍ଲାରେ ସମୁଦାୟ ୩ଶହ ଜଣ ମୃତ୍ଯୁବରଣ କରିଥିବା ବେଳେ କେବଳ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ୨୧୬ ଜଣଙ୍କ ମୃତ୍ୟୁ ହୋଇଥିଲା। ମହାବାତ୍ୟା ପର ଠାରୁ ହୁଡ ହୁଡ, ଫାଇଲିନ, ତିତିଲି, ଫନି ଭଳି ସାମୁଦ୍ରିକ ବାତ୍ୟାକୁ ଏ ଅଞ୍ଚଳ ଲୋକେ ବାରମ୍ବାର ସମ୍ମୁଖୀନ ହେଉଛନ୍ତି।
ସମୁଦ୍ର ଉପକୂଳରେ ଅବସ୍ଥିତ ଦାଳୁଅକଣି, ଛେନୁ, କୋରଣା, ସୁଧିଶ୍ୱେର, ନାନପଡ଼ା, ନୂଆଗଡ଼ ନଗର ଭଳି ଗ୍ରାମ ଗୁଡିକରେ ଶତାଧିକ ବାତ୍ୟା ଆଶ୍ରୟସ୍ଥଳୀ ବେସରକାରୀ ଉଦ୍ୟମରେ ନିର୍ମାଣ ହୋଇଛି। କିନ୍ତୁ ସେଗୁଡିକର ରକ୍ଷଣା ବେକ୍ଷଣା ପାଇଁ କୌଣସି ପଦକ୍ଷେପ ନନେବାରୁ ଏହି ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ଜରାଜୀର୍ଣ୍ଣ ଓ ଭୁତ କୋଠରୀରେ ପରିଣତ ହୋଇ ଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।