ଲତା ଖାଉ ଖାଉ ୨ ହାତୀ ଆଖି ବୁଜିବା ଘଟଣା; ନିଲମ୍ବିତ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ସଦର ରେଞ୍ଜର କୃଷି ବିଜ୍ଞାନ କେନ୍ଦ୍ରରେ ଏକ ଫାର୍ମ ହାଉସରେ ଗଛ ଲତା ଟାଣି ଖାଉଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗତ ୨୪ ତାରିଖ ରାତିରେ ଆଖି ବୁଜିଥିଲେ ୨ ମାଈ ହାତୀ । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ୨ ଜଣ ହେଲେ ଫରେଷ୍ଟର ପ୍ରଦୀପ ବାରିକ ଓ ଗାର୍ଡ ମିତ୍ରଭାନୁ ନାୟକ ।  […]

elephant

  • Published: Tuesday, 30 August 2022
  • , Updated: 30 August 2022, 12:18 PM IST

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ସଦର ରେଞ୍ଜର କୃଷି ବିଜ୍ଞାନ କେନ୍ଦ୍ରରେ ଏକ ଫାର୍ମ ହାଉସରେ ଗଛ ଲତା ଟାଣି ଖାଉଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗତ ୨୪ ତାରିଖ ରାତିରେ ଆଖି ବୁଜିଥିଲେ ୨ ମାଈ ହାତୀ । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି ।

ନିଲମ୍ବିତ ୨ ଜଣ ହେଲେ ଫରେଷ୍ଟର ପ୍ରଦୀପ ବାରିକ ଓ ଗାର୍ଡ ମିତ୍ରଭାନୁ ନାୟକ ।  କାର୍ଯ୍ୟରେ ଅବହେଳା ଅଭିଯୋଗରେ ଉଭୟଙ୍କୁ RCCF  ନିଲମ୍ବନ କରିଥିବା ନେଇ ଡିଏଫ୍ଓ ସୂଚନା ଦେଇଛନ୍ତି । ଏହାସହ ବିଦ୍ୟୁତ୍‌  ବିଭାଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି  ।

କେନ୍ଦୁଝର ସଦର ରେଞ୍ଜର କୃଷି ବିଜ୍ଞାନ କେନ୍ଦ୍ରରେ ଥିବା ଫାର୍ମ ହାଉସକୁ ଗତ ୨୪ ତାରିଖ ରାତିରେ  ଏକ ହାତୀ ପଲ ଲତା ଖାଇବାକୁ ଆସିଥିଲେ।  ଲତା ଟାଣି ଖାଉଥିବା ବେଳେ ଅଳ୍ପ ଉଚ୍ଚତାରେ ଥିବା  ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇ ମାଈ ହାତୀ ସେଠାରେ ଆଖି ବୁଜି ଦେଇଥିଲେ।

କୃଷି ବିଜ୍ଞାନ କେନ୍ଦ୍ରର ନିକଟରେ ଥିବା ଛାତ୍ରୀ ନିବାସର କିଛି ପିଲା ଏହା ଦେଖି ୨୫ ତାରିଖ ସକାଳେ ବନ ବିଭାଗକୁ ଖବର କରିଥିଲେ। ଖବର ପାଇ କେନ୍ଦୁଝର ରେଞ୍ଜର,ଏସିଏଫ୍‌, ଫରେଷ୍ଟ ଗାର୍ଡ ଓ କିଛି ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ସେହି ଲାଇନରେ ଯାଇଥିବା ବିଦ୍ୟୁତ୍‌ କାଟି  ହାତୀ ୨ଟିର ମୃତଦେହ ଉଦ୍ଧାର କରିଥିଲେ।

ହାତୀମାନଙ୍କ ସୁରକ୍ଷା ପାଇଁ ଆଇନକୁ କଡ଼ାକଡ଼ି ଯାଉଥିଲେ ମଧ୍ୟ କିଛି ଫଳପଦ ହେଉନାହିଁ। କେଉଁଠି ଶିକାରୀଙ୍କୁ ଗୁଳିରେ ହାତୀମାନଙ୍କ ଜୀବନ ଯାଉଛି ତ ଆଉ କେଉଁଠି ଶକ୍ତି ବିଭାଗର ଦାୟିତ୍ୱରେ ଅବହେଳା ଯୋଗୁ  ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀମାନଙ୍କ ଜୀବନ ଯାଉଛି।

ଅପରପକ୍ଷେ, ଅଧିକାଂଶ ସମୟରେ ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁ ଅକାଳରେ ବହୁ ହାତୀ ଆଖି ବୁଜୁଛନ୍ତି। ଏପରି କ୍ଷେତ୍ରରେ କିନ୍ତୁ ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରି ସେମାନଙ୍କ ବିରୋଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯାଉ ନ ଥିବା ଅଭିଯୋଗ ହେଉଛି।

Related story