ବଣାଇ(ଓଡ଼ିଶା ରିପୋର୍ଟର): ହାଟ ସାରି ଅଟୋରେ ଗାଁକୁ ଫେରୁଥିଲେ। ଅଳ୍ପ କିଛି ସମୟ ପରେ ଘରେ ପହଞ୍ଚି ଥାନ୍ତେ। ହେଲେ ବାଟରେ ଏକ ଆମ୍ବୁଲାନ୍ସ ସହ ଅଟୋର ମୁହାଁମୁହିଁ ଧକ୍କା ହେଲା। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍ ଲହୁଣୀପଡ଼ା ଥାନାର ପୋଇଗା ବ୍ରିଜ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ମୃତକମାନେ ହେଲେ ମାଳତୀ କିସାନ(୫୫) ଓ ପ୍ରିୟଙ୍କା ସାହୁ(୧୮)। ସେମାନେ ବଣାଇରେ ହାଟ ସାରି ନିଜ ଗ୍ରାମ ପୋଇ ଓ ରାଇକଲା ପୋଷକୁ ଫେରୁଥିଲେ।
[caption id="attachment_739504" align="aligncenter" width="650"]
ଏହି ଦୁର୍ଘଟଣା ଖୁବ୍ ଭୟଙ୍କର ଥିଲା। ଉଭୟ ଗାଡ଼ି ପରସ୍ପରକୁ ଧକ୍କା ଦେବା ପରେ ରାସ୍ତାରୁ ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲେ। ଦୁର୍ଘଟଣାରେ ଅଟୋଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି।
ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେମାନେ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଣାଇ ଡାକ୍ତରଖାନା ପଠାଇଥିଲେ। ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ। ବଣାଇ ଡାକ୍ତରଖାନାରେ ଗୁରୁତରମାନଙ୍କର ଚିକିତ୍ସା ଚାଲିଛି।