ପାଟଣାଗଡ଼ (କରୁଣାକର ବୁଡ଼େକ): ପ୍ରେମ କରୁଥିଲେ ବୋଲି ପରିବାର ଲୋକେ ବାହାହେବା ପାଇଁ ସ୍ୱୀକୃତି ଦେଇଥିଲେ। ହେଲେ ସବାରୀ ଉଠିବା ଆଗରୁ ଉଠିଲା ଶବ। ଉଭୟ ହାତ ଧରାଧରି ହୋଇ ଚାଲିଗଲେ ଅଫେରା ରାସ୍ତାରେ। ଦୁର୍ଘଟଣାରେ ମୃତ୍ୟୁ ପରେ ଦୁଇ ପରିବାରରେ ଖେଳି ଯାଇଛି ଶୋକର ଛାୟା।
ପୂରା ଘଟଣା ଏମିତି। ଖଡ଼ିଆଳ ଗାଁର ରୁବି ଭୋଇ ଓ ସିନାପାଲି ହାତିବନ୍ଧ ଗ୍ରାମର କ୍ଷୀରସିନ୍ଧୁ କାଣ୍ଡ ପରସ୍ପରକୁ ଭଲ ପାଉଥିଲେ। ଦୁଇ ପ୍ରେମୀ ଯୁଗଳଙ୍କ ଭଲ ପାଇବାକୁ ସ୍ୱୀକୃତି ଦେଇଥିଲେ ପରିବାର ଲୋକ। ଫେବୃଆରୀ ୨୫ ତାରିଖରେ ହୋଇଥିଲା ନିର୍ବନ୍ଧ। ଜୁନ୍ ମାସରେ ହୋଇଥାଆନ୍ତା ବାହାଘର। ବଧୂ ବେଶରେ ସଜେଇ ହୋଇ କ୍ଷୀରସିନ୍ଧୁଙ୍କୁ ଘରକୁ ଯାଇଥାଆନ୍ତେ ରୁବି। ହେଲେ ତା’ ପୂର୍ବରୁ ଏମିତି କିଛି ଘଟିବ ବୋଲି କେହି ସହଜରେ ବିଶ୍ୱାସ କରିପାରୁ ନାହାନ୍ତି।
[caption id="attachment_722590" align="aligncenter" width="650"]
ମୃତ ମାଆଙ୍କ ବୀମା ରାଶି ବିଷୟରେ ବୁଝିବା ପାଇଁ ରୁବି ଭୋଇ ଆଜି ପ୍ରେମିକ କ୍ଷୀରସିନ୍ଧୁଙ୍କ ସହିତ ବାଇକ୍ରେ ବଲାଙ୍ଗିର ଯାଇଥିଲେ।ସେଠାରୁ ସେମାନେ ଫେରୁଥିବା ବେଳେ ଅଧା ରାସ୍ତାରେ ମାଡ଼ି ବସିଥିଲା ଯମ! ପାଟଣାଗଡ-କଣ୍ଟାବାଞ୍ଜି ରାସ୍ତାର ସାଲେପାଲି ଛକ ନିକଟରେ ସାମ୍ନା ପଟରୁ ଆସୁଥିବା ପିକ୍ଅପ୍ ଭ୍ୟାନ୍ ସେମାନଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ କ୍ଷୀରସିନ୍ଧୁଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ରୁବିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣାଗଡ଼ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।