ଉଛୁଳା କୁଶଭଦ୍ରା ନଦୀକୁ ଡେଇଁଲେ ଯୁବତୀ

ପିପିଲି(ସଞ୍ଜୟ ପତି): ଲଗାଣ ବର୍ଷାରେ ଉଛୁଳୁଛି କୁଶଭଦ୍ରା ନଦୀ। ଆଉ ଏପରି ସମୟରେ ନଦୀକୁ ଡେଇଁ ପଡ଼ିଲେ ଜଣେ ଯୁବତୀ। ଆଜି ସନ୍ଧ୍ୟା ବେଳେ ଏପରି ଖବର ଆସିଛି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରୁ। ତେବେ ଯୁବତୀ ଜଣକ କଣ ପାଇଁ ଡେଇଁ ପଡ଼ିଲେ, ତାହା ଜଣାପଡ଼ି ନାହିଁ।

୨୦ ବର୍ଷୀୟ ଯୁବତୀ ତାଙ୍କ ସମ୍ପର୍କୀୟଙ୍କ ସହିତ ବାଇକ୍‌ରେ ନିମାପଡ଼ା ବଜାରକୁ ଆସୁଥିଲେ। ତେବେ ହଠାତ୍‌ କଣ ହେଲା, ଯୁବତୀ ଜଣକ କୁଶଭଦ୍ରା ନଦୀ ବ୍ରିଜରୁ ଉଛୁଳା ନଦୀକୁ ଡେଇଁ ପଡ଼ିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ମଧ୍ୟରେ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା। ଯୁବତୀ ଜଣ କିଏ? କଣ ପାଇଁ ନଦୀକୁ ଡେଇଁଲା?

ଯୁବତୀ ଜଣକ କୁଶଭଦ୍ରା ନଦୀକୁ ଡେଇଁବାର କିଛି ସମୟ ପରେ ଆସିଲା ଭଲ ଖବର। ନଦୀର ପ୍ରଖର ସ୍ରୋତରେ ଭାସି ଯାଇ ଯୁବତୀ ଜଣକ ଧିରପୁର କୂଳରେ ଲାଗି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପରିଚୟ ପଚାରିଥିଲେ। ଏହା ପରେ ଯୁବତୀ ଜଣକ ନିଜ ପରିଚୟ ଦେଇଥିଲେ। ତା’ପରେ ଗାଁ ଲୋକେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ପହଞ୍ଚିବା ପରେ ଗାଁ ଲୋକେ, ଯୁବତୀଙ୍କୁ ହସ୍ତାନ୍ତର କରିଥିଲେ।

ତେବେ ଯୁବତୀ ଜଣକ କଣ ପାଇଁ ନଦୀ ଗର୍ଭକୁ ଡେଇଁଥିଲେ? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ଏନେଇ ଯୁବତୀଙ୍କ ପରିବାର ଲୋକ ମଧ୍ୟ ମୁହଁ ଖୋଲୁ ନାହାନ୍ତି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।