ହୀରାକୁଦ ଡ୍ୟାମ ବିସ୍ଥାପିତଙ୍କ ଭିତରୁ ୨୦୦୦ଙ୍କୁ ମିଳିବ ଘରଡ଼ିହ, ବାକିଙ୍କୁ କେବେ?

ସମ୍ୱଲପୁର/ଝାରସୁଗୁଡ଼ା (ସଞ୍ଜୟ/ଭାଗିରଥୀ): ରାଜ୍ୟ ସରକାରଙ୍କର ମନେ ପଡ଼ିଛି ହୀରାକୁଦ ଡ୍ୟାମ୍‌ ବିସ୍ଥାପିତଙ୍କ କଥା। ଡ୍ୟାମ୍‌ ପାଇଁ ଭିଟାମାଟି ହରାଇଥିବା ଝାରସୁଗୁଡ଼ା ଜିଲ୍ଲାର ୨୦୦୦ ବିସ୍ଥାପିତଙ୍କୁ ମିଳିବ ଘରଡ଼ିହ। ଏନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଅନ୍ୟ ବିସ୍ଥାପିତଙ୍କ ମଧ୍ୟରେ ଆଶା ସଞ୍ଚାରିତ ହୋଇଛି। ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠୁଛି, ବାକି ବିସ୍ଥାପିତଙ୍କୁ କେବେ ଘରଡ଼ିହ ମିଳିବ? ହୀରାକୁଦ ଡ୍ୟାମ ନିର୍ମାଣ କାର୍ଯ୍ୟ ୧୯୪୭ ମସିହାରେ ଆରମ୍ଭ ହୋଇଥିଲା। ୧୯୫୭ ମସିହା ଜାନୁଆରୀରେ […]

Herakud Dam

Herakud Dam

Manoranjan Sial
  • Published: Tuesday, 16 November 2021
  • Updated: 16 November 2021, 09:39 PM IST

Sports

Latest News

ସମ୍ୱଲପୁର/ଝାରସୁଗୁଡ଼ା (ସଞ୍ଜୟ/ଭାଗିରଥୀ): ରାଜ୍ୟ ସରକାରଙ୍କର ମନେ ପଡ଼ିଛି ହୀରାକୁଦ ଡ୍ୟାମ୍‌ ବିସ୍ଥାପିତଙ୍କ କଥା। ଡ୍ୟାମ୍‌ ପାଇଁ ଭିଟାମାଟି ହରାଇଥିବା ଝାରସୁଗୁଡ଼ା ଜିଲ୍ଲାର ୨୦୦୦ ବିସ୍ଥାପିତଙ୍କୁ ମିଳିବ ଘରଡ଼ିହ। ଏନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଅନ୍ୟ ବିସ୍ଥାପିତଙ୍କ ମଧ୍ୟରେ ଆଶା ସଞ୍ଚାରିତ ହୋଇଛି। ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠୁଛି, ବାକି ବିସ୍ଥାପିତଙ୍କୁ କେବେ ଘରଡ଼ିହ ମିଳିବ?

ହୀରାକୁଦ ଡ୍ୟାମ ନିର୍ମାଣ କାର୍ଯ୍ୟ ୧୯୪୭ ମସିହାରେ ଆରମ୍ଭ ହୋଇଥିଲା। ୧୯୫୭ ମସିହା ଜାନୁଆରୀରେ ଲୋକାର୍ପିତ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ୍‌ ନେହେରୁ ହୀରାକୁଦ ଡ୍ୟାମକୁ ଉଦ୍‌ଘାଟନ କରିଥିଲେ। ସେହି ଡ୍ୟାମରୁ ଉତ୍ପାଦିତ ହେଉଥିବା ବିଜୁଳିରେ ସାରା ରାଜ୍ୟ ଆଲୋକିତ ହେଉଛି। ହେଲେ ଡ୍ୟାମ ପାଇଁ ବିସ୍ଥାପିତ ହୋଇଥିବା ପ୍ରବାସୀ ଏବେ ମଧ୍ୟ ଦୁଃଖ ଓ ଯନ୍ତ୍ରଣାରେ ଜୀବନ ଅତିବାହିତ କରୁଛନ୍ତି।

ଭାତହାଣ୍ଡିରେ ଗୋଟିଏ ଚାଉଳ ଚିପିଲା ପରି ବିସ୍ଥାପିତଙ୍କ ଭିତରେ ଜଣେ ହେଉଛନ୍ତି ଋକ୍ମିଣୀ ଭୁଏ। ହୀରାକୁଦ ଡ୍ୟାମ୍‌ର ନୀଳ ଜଳରାଶି ଭିତରେ ଥିବା ତିହୁରା ଗାଁରେ ଥିଲା ତାଙ୍କ ଘର। ଜମି ବଦଳରେ ଜମି ମିଳିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଛାଡ଼ିଥିଲେ ସାତ ପୁରୁଷର ଭିଟାମାଟି। ଆଉ ଡ୍ୟାମ କାମରେ ନିଜେ ନିୟୋଜିତ ହୋଇଥିଲେ। ଏପରିକି ତାଙ୍କ ସ୍ୱାମୀ ମଧ୍ୟ ଡ୍ୟାମରେ ନିୟୋଜିତ ଗାଡ଼ିର ଡ୍ରାଇଭର ଭାବେ କାମ କରିଥିଲେ। ଡ୍ୟାମ ନିର୍ମାଣ ହେଲା। ହେଲେ ଡ୍ୟାମ ପାଇଁ ଭିଟାମାଟି ଛାଡ଼ିଥିବା ବିସ୍ଥାପିତଙ୍କ କଥା ଭୁଲିଗଲେ ରାଜ୍ୟ ସରକାର। ପ୍ରତିଶ୍ରୁତି ମୁତାବକ ସରକାର ଜମି ଖଣ୍ଡିଏ ଦେଲେନାହିଁ। ଯେଉଁଥିପାଇଁ ଦୁଃଖ କଷ୍ଟରେ ସୋନୁଟିକ୍ରା ଗାଁରେ ସରପରିବାରେ ରହୁଛନ୍ତି ଋକ୍ମଣୀ। ଆଜି ୬୫ ବର୍ଷ ତଳର କଥା ମନେ ପକାଇଲା ବେଳେ ଛଳ ଛଳ ହୋଇଯାଉଛି ତାଙ୍କ ଆଖି ଓ ରୁଦ୍ଧ ହୋଇଯାଉଛି କଣ୍ଠ। କାରଣ ସେ ନିଜ ଆଖିରେ ଦେଖିଥିଲେ ହୀରାକୁଦ ଡ୍ୟାମ୍‌ରେ ଅଥଳ ଜଳରାଶିରେ ଭିଟାମାଟି ବୁଡ଼ିବାର ଦୃଶ୍ୟ।

ହୀରାକୁଦ ଡ୍ୟାମ୍‌ ପାଇଁ କେବଳ ଋକ୍ମଣୀଙ୍କ ପରିବାର ବିସ୍ଥାପିତ ହୋଇନାହାନ୍ତି। ସମାନ ଦୁଃଖ ଦେଇ ଗତି କରିଛନ୍ତି ଶ୍ରୀକାନ୍ତ ଭୋଇଙ୍କ ପରିବାର। ଡ୍ୟାମରେ ଗାଁ ବୁଡ଼ିବା ପୂର୍ବରୁ ବାପା-ଜେଜେଙ୍କ କୁଳ ବେଉସା ଥିଲା ଚାଷ। ହେଲେ ବିସ୍ଥାପନ ପରେ ବଦଳିଗଲା ଜୀବନର ଗତିପଥ। ଡ୍ୟାମ୍‌ରୁ ମାଛ ଧରି ପରିବାର ପ୍ରତିପୋଷଣ କରୁଛନ୍ତି। ଗତ ତିନି ପିଢ଼ି ଧରି ଚାଲିଛି ମାଛ ଧରା ବେଉସା। ଆଜି ପର୍ଯ୍ୟନ୍ତ ମିଳିନି କ୍ଷତିପୂରଣ। ମୁଣ୍ଡଗୁଞ୍ଜିବାକୁ ଖଣ୍ଡେ ଜମି ମଧ୍ୟ ତାଙ୍କୁ ମିଳିନି। ଋକ୍ମଣୀ ଓ ଶ୍ରୀକାନ୍ତଙ୍କ ପରି ଡ୍ୟାମ୍‌ ନିର୍ମାଣ ବେଳେ ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ହଜାର ହଜାର ପରିବାର ହରାଇଛନ୍ତି ଭିଟାମାଟି।

ଦୀର୍ଘ ୬୫ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମନେ ପଡ଼ିଛି ହୀରାକୁଦ ଡ୍ୟାମ୍‌ ବିସ୍ଥାପିତଙ୍କ କଥା। ସୋମବାର ସେ ଝାରସୁଗୁଡ଼ା ଜିଲ୍ଲାର ୨୦୦୦ ବିସ୍ଥାପିତଙ୍କ ପରିବାରକୁ ଘରଡିହ ଯୋଗାଇବାକୁ ଘୋଷଣା କରିଛନ୍ତି। ହୁଏତ ସେହି ତାଲିକାରେ ସ୍ଥାନ ପାଇପାରନ୍ତି ଲଖନପୁର ବ୍ଲକ୍‌ ସୁନାରୀ ପଞ୍ଚୟତର ଲମ୍ପାଲୁଗା ଗାଁ। ଦିନେ ଏହି ଗାଁର ବାସିନ୍ଦା ଚାଷ କରି ଚଳୁଥିଲେ। ଗାଁଟି ହୀରାକୁଦ ଜଳଭଣ୍ଡାରରେ ବୁଡିଗଲା। ଭିଟା ମାଟି ଛାଡ଼ି ସମସ୍ତେ ଅନ୍ୟତ୍ର ପଳାଇଗଲେ। ସେଠାରେ ଏକ ବସ୍ତିରେ ରହିଲେ। ନାଁ ଦେଲେ ଲମ୍ପାଲୁଗା। ଏବେ ସେମାନେ ଧୀବର ହୋଇ ଜୀବନ ନିର୍ବାହ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏବେ ଏମାନଙ୍କୁ ଘରଡିହ ମିଳିପାରେ।

ହୀରାକୁଦ ଡ୍ୟାମ୍‌ ପାଇଁ ଭିଟାମାଟି ହରାଇବା ପରଠୁ ଆଜି ଯାଏଁ କଦର୍ଯ୍ୟ ଭାବେ ଜୀବନ ଅତିବାହିତ କରୁଛନ୍ତି ବିସ୍ଥାପିତ। ଥଇଥାନ ପାଇଁ ସେମାନେ ସରକାରଙ୍କ ପାଖରେ କେତେ କାକୁତି ମିନତି ହୋଇଛନ୍ତି। ଆନ୍ଦୋଳନ ମଧ୍ୟ କରିଛନ୍ତି। ମାତ୍ର ସବୁଥିରେ ଫେଲ୍‌ ମାରିଛନ୍ତି ବିସ୍ଥାପିତ। ଏମିତିକି ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ମଧ୍ୟ ଅଭିଯୋଗ ହୋଇଛି। ହେଲେ ବିସ୍ଥାପିତଙ୍କ ସମ୍ପର୍କରେ ଭୁଲ୍‌ ତଥ୍ୟ ଯୋଗୁ ସେଠି ମଧ୍ୟ ବାଟବଣା ହୋଇଛି ନ୍ୟାୟ। ଏପଟେ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ବିସ୍ଥାପିତଙ୍କ କଥା ମନେ ପଡ଼ିଛି। ତେବେ ଖାଲି ୨୦୦୦ ନୁହଁନ୍ତି, ବାସ ହରାଇଥିବା ପାଖାପାଖି ୨୦,୦୦୦ରୁ ଅଧିକ ପରିବାରଙ୍କୁ ଘର ଡିହ ଯୋଗାଇବାକୁ ଦାବି କରିଛନ୍ତି ହୀରାକୁଦ ବୁଡ଼ି ଅଞ୍ଚଳ ସଂଗ୍ରାମ ସମିତିର ଆବାହକ ଗୋପୀନାଥ ମାଝି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos