କରୋନାରେ ପ୍ରାଣ ହରାଇଥିବା ଦ୍ୱିତୀୟ ବ୍ୟକ୍ତି ବି ଭୁବନେଶ୍ୱରର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏଯାବତ୍ ୧୭୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଥମ ବ୍ୟକ୍ତି ଏପ୍ରିଲ୍‌ ୬ ତାରିଖରେ ପ୍ରାଣ ହରାଇଥିଲେ। ଆଉ ଏହାର ପାଖାପାଖି ମାସେ ପରେ ଗତକାଲି ଆଉ ଜଣେ ବ୍ୟକ୍ତି କରୋନାରେ ଜୀବନ ହରାଇଛନ୍ତି। ଏହି ଦୁଇ ମୃତକ ଭୁବନେଶ୍ୱରର। ଦୁହିଁଙ୍କ ବୟସ ୭୦ ଟପି ସାରିଥିଲା। ପ୍ରଥମ ବୃଦ୍ଧଙ୍କୁ ମୃତ୍ୟୁ ବେଳକୁ ୭୨ ବର୍ଷ ହୋଇଥିଲା। ସେ ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳର ବାସିନ୍ଦା […]

Coronavirus-

Jitendra Garnayak
  • Published: Wednesday, 06 May 2020
  • , Updated: 06 May 2020, 11:27 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏଯାବତ୍ ୧୭୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଥମ ବ୍ୟକ୍ତି ଏପ୍ରିଲ୍‌ ୬ ତାରିଖରେ ପ୍ରାଣ ହରାଇଥିଲେ। ଆଉ ଏହାର ପାଖାପାଖି ମାସେ ପରେ ଗତକାଲି ଆଉ ଜଣେ ବ୍ୟକ୍ତି କରୋନାରେ ଜୀବନ ହରାଇଛନ୍ତି।

ଏହି ଦୁଇ ମୃତକ ଭୁବନେଶ୍ୱରର। ଦୁହିଁଙ୍କ ବୟସ ୭୦ ଟପି ସାରିଥିଲା। ପ୍ରଥମ ବୃଦ୍ଧଙ୍କୁ ମୃତ୍ୟୁ ବେଳକୁ ୭୨ ବର୍ଷ ହୋଇଥିଲା। ସେ ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳର ବାସିନ୍ଦା ଥିଲେ। ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ତାଙ୍କୁ ଏପ୍ରିଲ୍ ୪ ତାରିଖରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡ଼ିତ ଥିଲେ। ତାଙ୍କଠାରେ କରୋନା ପଜିଟିଭ୍ ମିଳିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଏପ୍ରିଲ୍ ୬ ତାରିଖରେ ସେ ପ୍ରାଣ ହରାଇଥିଲେ।

ସେହିପରି କରୋନାରେ ପ୍ରାଣ ହରାଇଥିବା ଦ୍ୱିତୀୟ ବୃଦ୍ଧ ଭୁବନେଶ୍ୱରର ମଧୁସୂଦନ ନଗରର ବାସିନ୍ଦା ଥିଲେ। ତାଙ୍କୁ ୭୭ ବର୍ଷ ହୋଇଥିଲା। ଗତକାଲି ଭୁବନେଶ୍ୱର କିମ୍‌ସ କୋଭିଡ୍ ହସ୍‌ପିଟାଲ୍‌ରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଉଚ୍ଚ ରକ୍ତଚାପ, ଡାଇବେଟିସ୍ ଓ କିଡ୍‌ନୀ ରୋଗରେ ମଧ୍ୟ ପୀଡ଼ିତ ଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବ୍‌ସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ବ୍ୟକ୍ତି ଜଣଙ୍କ ତାଙ୍କର ନିକଟ ସଂପର୍କୀୟ ତଥା ୪୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏପ୍ରିଲ୍‌ ୭ ତାରିଖରେ ୪୧ ନମ୍ବର ଆକ୍ରାନ୍ତଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଏପ୍ରିଲ୍ ୯ ତାରିଖରେ ଏହି ବ୍ୟକ୍ତିଙ୍କର ମଧ୍ୟ ସାମ୍ପଲ ଟେଷ୍ଟ କରାଯାଇଥିଲା। ତେବେ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହା ପରେ ସେ ଏପ୍ରିଲ୍‌ ୧୧ରୁ ୨୦ ପର୍ଯ୍ୟନ୍ତ ପୁଣି ସରକାରୀ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ତା’ପରେ ୨୦ରୁ ୨୭ ରିଖ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ଏପ୍ରିଲ୍ ୨୮ ତାରିଖରେ ପୁଣି ତାଙ୍କର ସାମ୍ପଲ ଟେଷ୍ଟ କରାଯାଇଥିଲା ଓ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହା ପରେ ସେହିଦିନ ତାଙ୍କୁ କିମ୍‌ସ କୋଭିଡ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାରେ ମୋଟ ୪୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ୩୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୪ ଜଣ ଚିକିତ୍ସାଧୀନ ରହିଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏବେ ରାଜ୍ୟରେ ମୋଟ ୧୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୫ ଜଣ ଚିକିତ୍ସାଧୀନ ଅଛନ୍ତି। ୬୦ ଜଣ ସୁସ୍ଥ ହୋଇସାରିଛନ୍ତି। ଯାଜପୁର ଜିଲ୍ଲାରେ ସବୁଠୁ ଅଧିକ ୫୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏଠାରେ ମାତ୍ର ଜଣେ ସୁସ୍ଥ ହୋଇଥିବା ବେଳେ ୫୨ ଜଣ ଚିକିତ୍ସାଧୀନ ରହିଛନ୍ତି।

Related story