ଟ୍ୟୁସନ୍‌ ସାରି ଫେରୁଥିଲେ, ଘରକୁ ଯାଇ ପାରିଲେନି

ଜଳେଶ୍ୱର(ଓଡ଼ିଶା ରିପୋର୍ଟର):ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଭେଲୋରା ଠାରେ ୨ ଛାତ୍ରୀଙ୍କ ଉପରକୁ ମାଡ଼ିଗଲା ଟ୍ରକ୍‌। ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଛି। ଏହି ଦୁଇ ଛାତ୍ରୀ ଟ୍ୟୁସନ୍‌ ସାରି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ବାଲେଶ୍ୱରରୁ ପଶ୍ଚିମବଙ୍ଗ ପଟକୁ ଯାଉଥିବା ଏକ ଟ୍ରକ୍‌ ଦୁଇ ଛାତ୍ରୀଙ୍କୁ ଧକ୍କା ଦେବା ପୂର୍ବରୁ ଏକ ମୋଟର ସାଇକେଲକୁ ଧକ୍କା ଦେଇଥିଲା। ବାଇକକୁ ଧକ୍କା ଦେବା ପରେ ଯିବାକୁ ଚେଷ୍ଟା କରିବା ବେଳେ ୨ ଛାତ୍ରୀଙ୍କ ଉପରେ ମାଡି ଯାଇଥିଲା।

ମୋଟର ସାଇକେଲରେ ଥିବା ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।  ଦୁର୍ଘଟଣାର ପ୍ରତିବାଦ କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି।