ଅନୁଗୋଳ (ବିରଜା ପ୍ରସାଦ ଦାଶ): ନକଲି ଟଙ୍କା କାରବାର କରୁଥିବା ଏକ ଆନ୍ତଃଜିଲ୍ଲା ରାକେଟ୍ର ତିନି ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି ତାଳଚେର ପୁଲିସ୍। ସେମାନଙ୍କଠାରୁ ୩ ଲକ୍ଷ ୫୨ ହଜାର ୬ ଶହ ଟଙ୍କାର ନକଲି ନୋଟ୍ ଜବତ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ବ୍ରଜମୋହନ ସାହୁ ଓରଫ ପପୁ ଓରଫ ବବ୍ଲୁ, ପଦନ ମଲ୍ଲିକ ଓ ସଂଗ୍ରାମ କେଶରୀ ପଣ୍ଡା।
ବ୍ରଜମୋହନର ଘର କଟକ ଜିଲ୍ଲା ଖୁଣ୍ଟୁଣୀ ଅଞ୍ଚଳରେ। ସେ ତାଳଚେରର ଷ୍ଟେସନ୍ ବଜାର ଅଞ୍ଚଳରେ ମାଛ ବ୍ୟବସାୟ କରେ। ସଦନର ଘର ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅଞ୍ଚଳରେ। ସେ ହେଉଛି ଅଟଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ। ସେହିପରି ସଂଗ୍ରାମର ଘର ଯାଜପୁରର କୁଆଖିଆ ଥାନା ଅନ୍ତର୍ଗତ ଗୋରଧା ଗାଁରେ।
ଏହି ଘଟଣାରେ ବ୍ୟବହୃତ କାର୍ଟି ଏକ ବ୍ୟାଙ୍କରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡ଼ିଛି।
ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନ୍ତୋଷ କୁମାର ମିଶ୍ର କହିଛନ୍ତି ଯେ, ଏହା ପୂର୍ବରୁ ମଧ୍ୟ ବ୍ରଜମୋହନ ୬୦ ହଜାର ଟଙ୍କାର ନକଲି ନୋଟ୍ ଆଣି ତାଳଚେରରେ ଛାଡ଼ିଥିବା ପୁଲିସ୍ ଜାଣିବାକୁ ପାଇଥିଲା। ଏବେ ମାଷ୍ଟରମାଇଣ୍ଡକୁ ଧରିବାକୁ ଉଦ୍ୟମ କରାଯାଉଛି।