ବଲାଙ୍ଗିର(ଘଟେଶ୍ୱର ମିଶ୍ର): ରେକର୍ଡ ନିଶାରେ ୩୬ ଫୁଟ ଉଚ୍ଚର ବାଲୁକା ଭାସ୍କର୍ଯ୍ୟ ନିର୍ମାଣ କଲେ ଶିକ୍ଷକ। ସେ ହେଉଛନ୍ତି ବଲାଙ୍ଗିର ସହର ରାଜୀବନଗର ପଡାର ଓମପ୍ରକାଶ ସାହୁ। ଅନେକ ବାଲୁକା କଳା ନିର୍ମାଣ କରି ସେ ପାଳଟି ଯାଇଛନ୍ତି ଜଣେ ଆର୍ନ୍ତଜାତୀୟ ବାଲୁକା ଶିଳ୍ପୀ। ଦେଶ ତଥା ବିଦେଶରେ ନିଜର ବାଲୁକା କଳାର ଚମତ୍କାରିତା ଦେଖାଇଛନ୍ତି।
ଏଥର ଆଉ ଗୋଟିଏ ପାଦ ଆଗକୁ ଯାଇ, ଉଚ୍ଚ ବାଲୁକା ଭାସ୍କର୍ଯ୍ୟ କଳା ନିର୍ମାଣ କରି ରେକର୍ଡ କରିବାର ଚେଷ୍ଟା କରିଛନ୍ତି ଓମପ୍ରକାଶ । ତେଲ ନଦୀର ପେଣ୍ଡିମୁଣ୍ଡା ଘାଟ ନିକଟରେ ୩୬ ଫୁଟ ଉଚ୍ଚତା ବିଶିଷ୍ଟ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଭାସ୍କର୍ଯ୍ୟ କଳା ନିର୍ମାଣ କରିଛନ୍ତି। ନେତାଜୀଙ୍କ ୧୨୫ ତମ ଜନ୍ମବାର୍ଷିକୀ ଉପଲକ୍ଷେ ଏହି ବାଲୁକା ଶିଳ୍ପର ନିର୍ମାଣ କରିଛନ୍ତି ଓମପ୍ରକାଶ। ଉଚ୍ଚତମ ନେତାଜୀଙ୍କ ଭାଷ୍କର୍ଯ୍ୟ କଳା ଭାବରେ ଏହା ରେକର୍ଡ କରିବ ବୋଲି ଆଶା ରଖିଛନ୍ତି ଓମ ପ୍ରକାଶ ।
ଆଜି ଗୁଡଭେଲା ବି.ଡି.ଓ ଗୁରେଶ୍ୱର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବାଲୁକା କଳାର ଉଦଘାଟନ କରିଛନ୍ତି। ଉଦଘାଟନୀ ସଭାରେ ମୁଖ୍ୟବକ୍ତା ଭାବରେ ନେତାଜୀ ଜନ୍ମବାର୍ଷିକୀ କମିଟି ଓଡ଼ିଶାର ସଂପାଦକ ବିଶ୍ୱାବସୁ ଦାସ ଯୋଗଦେଇଥିଲେ। ଏହି ଉଚ୍ଚତମ ବାଲୁକା ଭାସ୍କର୍ଯ୍ୟକୁ ଦେଖିବା ପାଇଁ ତୁଷୁରା ନିକଟରେ ଥିବା ପେଣ୍ଡିଘାଟ ଘାଟରେ ଲାଗିଛି ଲୋକଙ୍କ ଭିଡ଼।