ଓଡ଼ିଶାରେ ଚାଲିଛି ୬୨ ହଜାର କୋଟିର ୩୯ଟି ରେଳ ପ୍ରକଳ୍ପ, ପୁଣି ମାଗିଲେ ୩୭୦୦ କୋଟିର ନୂଆ ପ୍ରକଳ୍ପ

ଭୁବନେଶ୍ୱର(ପ୍ରକାଶ ସେଠୀ): ଆଉ ଦୁଇଦିନ ପରେ ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ୍ ଆଗତ ହେବାର ଥିବାବେଳେ ଓଡ଼ିଶା ସରକାର ୩୭୦୦କୋଟି ଟଙ୍କାର ନୂଆ ରେଳ ପ୍ରକଳ୍ପ ସମେତ ମୋଟ୍ ୭୨୦୦କୋଟି ଟଙ୍କା ଅର୍ଥବରାଦ ନିମନ୍ତେ ଦାବି କରିଛନ୍ତି। ତେବେ ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ରାଜ୍ୟରେ ୩୯ଟି ରେଳବାଇ ପ୍ରକଳ୍ପ ନିମନ୍ତେ କେନ୍ଦ୍ର ସରକାର ୬୧,୯୪୯କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି ଯାହାକି ଏବେ ଯୋଜନା-ଅନୁମୋଦନ ଓ କାର୍ଯ୍ୟକାରୀ ପର୍ଯ୍ୟାୟରେ ରହିଥିବା ଜଣାପଡ଼ିଛି। ଓଡ଼ିଶାରେ ରେଳବାଇ ବିକାଶ […]

train

train

Manoranjan Sial
  • Published: Friday, 29 January 2021
  • Updated: 29 January 2021, 08:53 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ଆଉ ଦୁଇଦିନ ପରେ ୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟ୍ ଆଗତ ହେବାର ଥିବାବେଳେ ଓଡ଼ିଶା ସରକାର ୩୭୦୦କୋଟି ଟଙ୍କାର ନୂଆ ରେଳ ପ୍ରକଳ୍ପ ସମେତ ମୋଟ୍ ୭୨୦୦କୋଟି ଟଙ୍କା ଅର୍ଥବରାଦ ନିମନ୍ତେ ଦାବି କରିଛନ୍ତି। ତେବେ ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ରାଜ୍ୟରେ ୩୯ଟି ରେଳବାଇ ପ୍ରକଳ୍ପ ନିମନ୍ତେ କେନ୍ଦ୍ର ସରକାର ୬୧,୯୪୯କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି ଯାହାକି ଏବେ ଯୋଜନା-ଅନୁମୋଦନ ଓ କାର୍ଯ୍ୟକାରୀ ପର୍ଯ୍ୟାୟରେ ରହିଥିବା ଜଣାପଡ଼ିଛି। ଓଡ଼ିଶାରେ ରେଳବାଇ ବିକାଶ ନିମନ୍ତେ କେନ୍ଦ୍ର ସରକାର ପ୍ରତିବର୍ଷ ବ୍ୟାପକ ଅର୍ଥ ଦେଉଥିଲେ ମଧ୍ୟ ଜମି ଅଧିଗ୍ରହଣ ସମେତ ବିଭିନ୍ନ କାରଣରୁ ଗତ ୩ବର୍ଷ ଧରି ମଞ୍ଜୁରୀ ଲାଭ କରିଥିବା ଜୟପୁର-ନବରଙ୍ଗପୁର ନୂଆ ରେଳଲାଇନ୍ କାର୍ଯ୍ୟ ଆରମ୍ଭ ହୋଇପାରିନି ଓ ୧୯୯୪-୯୫ ମସିହାରୁ ମଞ୍ଜୁରୀପ୍ରାପ୍ତ ୨୮୯ କିମି ବିଶିଷ୍ଟ ଖୋର୍ଦ୍ଧା-ବଲାଙ୍ଗୀର ରେଳମାର୍ଗ ଏବେବି ୧୦୦କିମି ପୂରଣ କରିପାରିନି। ତା’ଛଡ଼ା ଦେବଗଡ଼, ବୌଦ୍ଧ, ସୋନପୁର, କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲା ଏବେବି ରେଳ ନେଟୱାର୍କରେ ସାମିଲ ହୋଇପାରିନି।

ସୂଚନା ଅନୁସାରେ, ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟରେ ଚାଲିଥିବା ରେଳ ପ୍ରକଳ୍ପ ନିମନ୍ତେ ୩୫୦୦କୋଟି ଟଙ୍କା ଦେବାକୁ ଓଡ଼ିଶା ସରକାର ପ୍ରସ୍ତାବ ଦେଇଛନ୍ତି। ଏହାବ୍ୟତୀତ ୩୭୦୦କୋଟି ଟଙ୍କାର ନୂଆ ପ୍ରକଳ୍ପ ନିମନ୍ତେ ବ୍ୟୟବରାଦ ପାଇଁ ଦାବି କରିଛନ୍ତି। ଏଥିରେ ନୂଆପଡ଼ା-ଗୁଣୁପୁର ରେଳଲାଇନକୁ ଥେରୁଭାଲି ପର୍ଯ୍ୟନ୍ତ(୭୯କିମି) ସମ୍ପ୍ରସାରଣ ପାଇଁ ୩୦୦କୋଟି, ପୁରୀ-କୋଣାର୍କ ରେଳ ଲାଇନ(୩୮କିମି) ପାଇଁ ୧୦୦କୋଟି ଟଙ୍କା, ବାଂଶପାଣି-ବଡ଼ବିଲ(୧୮କିମି) ପାଇଁ ୫୦କୋଟି, କେନ୍ଦୁଝର ରୋଡ-ଧାମରା ବନ୍ଦର ଭାୟା ଯାଜପୁର/ଆରଡି(୯୫କିମି) ପାଇଁ ୧୦୦କୋଟି ଟଙ୍କା, ତାଳଚେର-ଗୋପାଳପୁର ରେଳ ମାର୍ଗ(୨୪୫କିମି) ପାଇଁ ୩୦୦କୋଟି, ପାରାଦୀପ-ଧାମରା ରେଳମାର୍ଗ(୮୦କିମି)କୁ ୫୦କୋଟି ଟଙ୍କା, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ରେଳଲାଇନ୍ ନିମନ୍ତେ ୧୦୦କୋଟି, ଖୋର୍ଦ୍ଧା-ବଲାଙ୍ଗିର ଏନବିଜି ରେଳ ଲାଇନ-ହଜାରେ କୋଟି ଟଙ୍କା, ତାଳଚେର-ବିମଳାଗଡ଼(୧୫୪କିମି) ପାଇଁ ୮୦୦କୋଟି ଟଙ୍କା, ଜଳେଶ୍ୱର-ଦୀଘା(୪୧କିମି) ପାଇଁ ୨୦୦କୋଟି ଟଙ୍କା, ଜୟପୁର-ନବରଙ୍ଗପୁର (୩୮କିମି) ପାଇଁ ୩୦୦କୋଟି ଟଙ୍କା, ଜୟପୁର-ମାଲକାନଗିର (୧୩୦କିମି) ପାଇଁ ୪୦୦କୋଟି ଟଙ୍କାର ପାଣ୍ଠି ୨୦୨୧-୨୨ ଆର୍ଥିକ ବଜେଟରେ ବ୍ୟୟବରାଦ ନିମନ୍ତେ ଓଡ଼ିଶା ସରକାର ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ସରକାର ଯୁକ୍ତି ବାଢ଼ିଛନ୍ତି ଯେ, ଭାରତୀୟ ରେଳବାଇ ପ୍ରତିବର୍ଷ ଓଡ଼ିଶାରୁ ୨୦ହଜାର କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରୁଥିବାବେଳେ ଓଡ଼ିଶାରେ ରେଳବାଇ ସାନ୍ଧ୍ରତା (୧୫.୦) ରହିଛି। ଯାହାକି ଜାତୀୟ ହାର(୧୯.୦) ତୁଳନାରେ ଖୁବ କମ୍। ରାଜ୍ୟରେ ରେଳବାଇ ଭିତ୍ତିଭୂମି ବିକାଶକୁ ଗତିଶୀଳ କରିବା ନିମନ୍ତେ ଓଡ଼ିଶା ସରକାର ଯୌଥ ଉଦ୍ୟୋଗ/ଏସପିଭି ମାଧ୍ୟମରେ ମନ୍ତ୍ରଣାଳୟ ସହ ମିଶି ମାଗଣା ଜମି ଓ ଖର୍ଚ୍ଚରେ ସହଯୋଗ କରି ନୂଆ ରେଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଚାହୁଁଛି।

ତେବେ କେନ୍ଦ୍ର ସରକାର ୨୦୧୮-୧୯ରୁ ଜୟପୁର ନବରଙ୍ଗପୁର ନୂଆ ରେଳମାର୍ଗ ପାଇଁ ୫.୪୦କୋଟି, ୨୦୧୯-୨୦ରେ ୧୦କୋଟି ଏବଂ ଜୟପୁର-ମାଲକାନଗିରି ନୂଆ ରେଳଲାଇନ ପାଇଁ ୨୦୧୮-୧୯ରେ ୦.୨୮କୋଟି ଓ ୨୦୧୯-୨୦ରେ ୭୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହି ଦୁଇଟି ଯାଜ ପ୍ରକଳ୍ପ ନିମନ୍ତେ ଏପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଆରମ୍ଭ କରିନଥିବା ରାଜ୍ୟ ସରକାର ଏବେ ବଜେଟକୁ ଦୃଷ୍ଟିରେ ରଖି ତତ୍ପରତା ଦେଖାଇଛନ୍ତି।

ସେହିପରି ବହୁଚର୍ଚ୍ଚିତ ୨୮୯କିମିର ଖୋର୍ଦ୍ଧ-ବଲାଙ୍ଗିର ରେଳମାର୍ଗକୁ କେନ୍ଦ୍ର ସରକାର ୩୭୯୮.୮୦କୋଟି ଟଙ୍କା ପ୍ରକଳ୍ପ ଅର୍ଥକୁ ୧୯୯୪-୯୫ ମସିହାରୁ ଅନୁମୋଦନ ଦେଇଛନ୍ତି। ୨୫ବର୍ଷ ପରେ ମଧ୍ୟ ଏହି ମାର୍ଗରେ ମାତ୍ର ୧୦୫୭କୋଟି ଟଙ୍କା ଖର୍ଚ୍ଚରେ ଦୁଇଟି ପର୍ଯ୍ୟାୟରେ ମାତ୍ର ୮୦କିମି ମାର୍ଗ କାର୍ଯ୍ୟ ସମ୍ଭବପର ହୋଇପାରିଛି । ଯଦିଓ ଏହି ମାର୍ଗ ପାଇଁ କେନ୍ଦ୍ର ସରକାର ପ୍ରତିବର୍ଷ ଅର୍ଥ ମଞ୍ଜୁର କରିଚାଲିଛନ୍ତି ଓ ଜମି ଅଧିଗ୍ରହଣ,ପରିବେଶ ମଞ୍ଜୁରୀ ଆଦି ପାଇଁ ପ୍ରକଳ୍ପ କାର୍ଯ୍ୟ ଅଧପନ୍ତରିଆ ହୋଇ ରହିଛି।

ରେଳବାଇ ମନ୍ତ୍ରଣାଳର ସୂଚନା ଅନୁସାରେ, ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ରାଜ୍ୟରେ ୬୧,୯୪୯କୋଟି ଟଙ୍କାର ୪୮୭୭କିମି ଲମ୍ବ ବିଶିଷ୍ଟ ୩୯ଟି ରେଳବାଇ ପ୍ରକଳ୍ପ କାର୍ଯ୍ୟ ଏବେ ପୂର୍ଣ୍ଣ ଅବା ଆଂଶିକ ଭାବେ ଯୋଜନା କିମ୍ବା ଅନୁମୋଦନ ଅବା କାର୍ଯ୍ୟକାରୀ ସ୍ଥିତିରେ ରହିଛି। ସେଥିରୁ ୨୦୨୦ ମାର୍ଚ୍ଚ ସୁଦ୍ଧା ୯୪୭କିମି ମାର୍ଗ ପାଇଁ ୧୬୨୬୪କୋଟି ଟଙ୍କା ବ୍ୟୟ ହୋଇଛି। ୧୫୪୨କିମିର ୧୨ଟି ନୂଆ ରେଳମାର୍ଗ ପାଇଁ ୨୭୦୭୨କୋଟି ଟଙ୍କା ଅନୁମୋଦନ ହୋଇଥିବାବେଳେ ୨୦୨୦ ମାର୍ଚ୍ଚ ସୁଦ୍ଧା ୫୦୮୯କୋଟିରେ ମାତ୍ର ୧୫୫କିମିର ରେଳମାର୍ଗ କାର୍ଯ୍ୟକ୍ଷମ ହୋଇଛି। ସେହିପରି ୩୧୭୬କିମିର ୨୬ଟି ରେଳମାର୍ଗର ଦୋହରୀକରଣ ନିମନ୍ତେ ୩୩୪୨୨କୋଟି ଟଙ୍କା ମଞ୍ଜୁରୀ ହୋଇଛି ଓ ମାର୍ଚ୍ଚ ସୁଦ୍ଧା ସେଥିରୁ ୧୦୯୯୧କୋଟି ଟଙ୍କାରେ ମାତ୍ର ୭୦୨କିମି କାର୍ଯ୍ୟକ୍ଷମ ହୋଇପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos