କ୍ୱାରେଣ୍ଟାଇନ ପାଇଁ ୫ ଲକ୍ଷ ବେଡ୍ ପ୍ରସ୍ତୁତ, ଓଡ଼ିଶା ଫେରିଲେଣି ୩୫୫୪୦

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ମେ’ ୩ ତାରିଖରୁ ଅନ୍ୟ ରାଜ୍ୟରେ ଥିବା ୩୫୫୪୦ଜଣ ଓଡ଼ିଆ ଘରକୁ ଫେରୁଛନ୍ତି। ରାଜ୍ୟ ସରକାର ଏବେ ୧୨ହଜାର ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପନ କରି ପ୍ରାୟ ୫ଲକ୍ଷ ବେଡ୍ ପ୍ରସ୍ତୁତ କରିଛନ୍ତି। ଯେଉଁମାନେ ରାଜ୍ୟ ବାହାରୁ ଫେରିବେ ସେମାନଙ୍କୁ ସମସ୍ତଙ୍କୁ ୧୪ଦିନିଆ କ୍ୱାରେଣ୍ଟାଇନରେ ରଖିବା ପାଇଁ ଏହି ବେଡ୍ ବ୍ୟବସ୍ଥା ହୋଇଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ରାଜ୍ୟ ପଞ୍ଚାୟତିରାଜ ସଚିବ ଦେଓରଞ୍ଜନ ସିଂ କହିଛନ୍ତି ଯେ ଗ୍ରାମାଂଚଳରେ […]

corona

Manoranjan Sial
  • Published: Wednesday, 06 May 2020
  • , Updated: 06 May 2020, 09:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ମେ’ ୩ ତାରିଖରୁ ଅନ୍ୟ ରାଜ୍ୟରେ ଥିବା ୩୫୫୪୦ଜଣ ଓଡ଼ିଆ ଘରକୁ ଫେରୁଛନ୍ତି। ରାଜ୍ୟ ସରକାର ଏବେ ୧୨ହଜାର ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପନ କରି ପ୍ରାୟ ୫ଲକ୍ଷ ବେଡ୍ ପ୍ରସ୍ତୁତ କରିଛନ୍ତି। ଯେଉଁମାନେ ରାଜ୍ୟ ବାହାରୁ ଫେରିବେ ସେମାନଙ୍କୁ ସମସ୍ତଙ୍କୁ ୧୪ଦିନିଆ କ୍ୱାରେଣ୍ଟାଇନରେ ରଖିବା ପାଇଁ ଏହି ବେଡ୍ ବ୍ୟବସ୍ଥା ହୋଇଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ରାଜ୍ୟ ପଞ୍ଚାୟତିରାଜ ସଚିବ ଦେଓରଞ୍ଜନ ସିଂ କହିଛନ୍ତି ଯେ ଗ୍ରାମାଂଚଳରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୬୭୯୮ଟି ଗ୍ରାମପଂଚାୟତରେ ପ୍ରାୟ ୧୨ହଜାର ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (କ୍ୱାରେଣ୍ଟାଇନ ସେଣ୍ଟର) ସ୍ଥାପନ କରାଯାଇଛି। ଏଥିରେ ପ୍ରାୟ ୫ଲକ୍ଷ ବେଡ୍ ବ୍ୟବସ୍ଥା ହୋଇଛି। ସରପଞ୍ଚମାନଙ୍କ ନେତୃତ୍ୱରେ ୫ଜଣିଆ କମିଟି ଗଠନ କରାଯାଇ ଏହି କ୍ୱାରେଣ୍ଟାଇନ ସେଂଟରଗୁଡ଼ିକର ତଦାରଖ କରାଯାଉଛି। ଏସବୁ କ୍ୱାରେଣ୍ଟାଇନ ସେଂଟରଗୁଡ଼ିକରେ ସମସ୍ତ ମୌଳିକ ସୁବିଧାସୁଯୋଗ ଉପଲବ୍ଧ ହେବା ସହ ସଫେଇ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଛି। ଏହି କେନ୍ଦ୍ରଗୁଡ଼ିକରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ ସେବା ପ୍ରଦାନକାରୀ ବ୍ୟକ୍ତିମାନେ ପିପିଇ(ବ୍ୟକ୍ତିଗତ ସୁରକ୍ଷା ଉପକରଣ) ଉପଯୋଗ କରୁଛନ୍ତି ବୋଲି ସେ କହିଛନ୍ତି।

ସେହିପରି ଗତ ମେ’ ୩ତାରିଖରୁ ବିଭିନ୍ନ ରାଜ୍ୟରେ ଥିବା ଓଡ଼ିଆମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଆଜି ୭୪୫୧ଜଣ ଓଡ଼ିଶା ଫେରିଛନ୍ତି। ଏପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ଏପର୍ଯ୍ୟନ୍ତ ୩୫୫୪୦ଜଣ ଫେରିଛନ୍ତି। ସେମାନେ ବସ୍ , ଟ୍ରେନ ଓ ଅନ୍ୟ ଯାନବାହନରେ ଆସୁଛନ୍ତି। ଓଡ଼ିଶା ଫେରୁଥିବା ଲୋକମାନଙ୍କ ପାଇଁ ୧୪ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ। ସେହିପରି ସହରାଂଚଳକୁ ଫେରୁଥିବା ଲୋକମାନଙ୍କ ପାଇଁ ହୋମ୍ କ୍ୱାରେଣ୍ଟାଇନକୁ ପ୍ରାଥମିକତା ଦିଆଯାଇଛି । ଯେଉଁମାନଙ୍କର ହୋମ୍ କ୍ୱାରେଣ୍ଟାଇନ ସୁବିଧା ନାହିଁ ସେମାନଙ୍କ ପାଇଁ ପୌର କର୍ତ୍ତୃପକ୍ଷ ଆନୁଷ୍ଠାନିକ କ୍ୱାରେଣ୍ଟାଇନର ବ୍ୟବସ୍ଥା କରିବେ। ଆବଶ୍ୟକ ହେଲେ ସେମାନେ ନିଜ ଖର୍ଚ୍ଚରେ ନିର୍ଦ୍ଧାରିତ ହୋଟେଲ ଓ ଲଜରେ କ୍ୱାରେଣ୍ଟାଇନରେ ରହିପାରିବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଅନ୍ୟ ରାଜ୍ୟରୁ ପ୍ରାୟ ୫ଲକ୍ଷ ଓଡ଼ିଆଙ୍କ ଘରବାହୁଡ଼ା ହୋଇପାରେ ବୋଲି ରାଜ୍ୟ ସରକାର ଆକଳନ କରିଛନ୍ତି। ଏଥିପାଇଁ ରାଜ୍ୟ ବାହାରେ ଥିବା ଓଡ଼ିଆମାନେ ବହୁଳ ସଂଖ୍ୟାରେ ସରକାରଙ୍କ ୱେବସାଇଟରେ ପଞ୍ଜିକରଣ କରୁଛନ୍ତି।

Related story