କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା କାକରିଗୁମ୍ମା ଗୌଡ଼ଗୁଡ଼ାରେ ଗତକାଲି ଏକ ଟିପ୍ପର ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଏଥିଯୋଗୁ ଦେଖାଦେଇଥିବା ଉତ୍ତେଜନା ଥମିବା ନାଁ ଧରୁନି। ପୁଲିସ୍କୁ ଠେଲାପେଲା ଅଭିଯୋଗରେ ଆଜି ୫ ଜଣ ଗିରଫ ହୋଇଥିବା ବେଳେ ପାଟ୍ରୋଲିଂକୁ ଜୋରଦାର କରିଛି ପୁଲିସ୍।
ସୂଚନାଯୋଗ୍ୟ, କାକିରିଗୁମା ଥାନା ଗୌଡଗୁଡା ଗ୍ରାମ ପଞ୍ଚାୟତ ମେରକା ଗ୍ରାମର ଯୁବକ ଲଳିତ ଗଲୋରୀ ଗତକାଲି ସନ୍ଧ୍ୟାରେ ଦାମନଯୋଡ଼ିରୁ ଘରକୁ ଫେରୁଥୁବାବେଳେ ବାରିଗାଁ ନିକଟରେ ଏକ ଟିପ୍ପର ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଲଳିତଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟାଇଥିବା ଟିପ୍ପର ଚାଳକ ଘଟଣାସ୍ଥଳରୁ ଖସିପଳାଇ ପୁଲିସ୍କୁ ସୂଚନା ଦେଇଥିଲା । ଗ୍ରାମବାସୀକୁ ନଜଣାଇ ପୁଲିସ୍ ଗତକାଲି ମୃତଦେହ ବ୍ୟବଚ୍ଛେଦ ପାଇଁ କୋରାପୁଟ ପଠାଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ସମ୍ପର୍କୀୟ।
ଏହା ପ୍ରତିବାଦରେ ଗତକାଲି ଉତ୍ତ୍ୟକ୍ତ ଲୋକେ ଗୌଡଗୌଡା- ଦାମନଯୋଡ଼ି ରାସ୍ତା ଅବରୋଧ କରିଥିଲେ। ଏହାପରେ ପୁଲିସ୍ ବୁଝାଶୁଝା କରିବାରୁ ସେମାନେ ଆନ୍ଦୋଳନରୁ ହଟିଥିଲେ।
ଏହାପରେ ଆଜି ସକାଳେ ପୁଣି ଥରେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ ରାୟଗଡ଼ା-କୋରାପୁଟ ୩୨୬ ନଂ ରାଜ୍ୟ ରାଜପଥ ଅବରୋଧ କରିଥିଲେ। ପୁଲିସ୍ ଘଟଣାସ୍ଥଳକୁ ଯାଇ ଅବରୋଧ ହଟାଇ ଆଲୋଚନା କଲାବେଳେ ପୁଲିସ୍ ଉପରକୁ ଆକ୍ରମଣ କରିଥିଲେ ଉତ୍ତ୍ୟକ୍ତ ଲୋକ । ସେମାନେ ଜଣେ ସବ୍ଇନ୍ସପେକ୍ଟରଙ୍କୁ ବାଡେଇଥିବା ବେଳେ ଆଇଆଇସିଙ୍କୁ ଠେଲାପେଲା କରିଛନ୍ତି। ପୁଲିସ୍କୁ ଆକ୍ରମଣ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।
ରିପୋର୍ଟ ଲେଖାହେବା ବେଳକୁ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।