ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତ ସରକାର ପ୍ରଚଳିତ କରିଥିବା କଏନ ଗୁଡ଼ିକ ଅଚଳ ନା ସଚଳ? ଏହାକୁ ନେଇ ଗୁଜବ ପ୍ରକାଶ ପାଇବା ପରେ ଆଜି ସ୍ପଷ୍ଟୀକରଣ ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆର୍ବିଆଇ)। କଏନ ସମ୍ପର୍କରେ କୌଣସି ବିଭ୍ରାନ୍ତିକର ସୂଚନା ବା ଗୁଜବକୁ ବିଶ୍ଵାସ କରନ୍ତୁ ନାହିଁ ବୋଲି ଆର୍ବିଆଇ ପକ୍ଷରୁ କୁହାଯାଇଛି।
ଆର୍ବିଆଇ ସ୍ପଷ୍ଟ କରିଛି, ୫୦ ପଇସାରୁ ଊର୍ଦ୍ଧ୍ୱ ସମସ୍ତ କଏନ ଲିଗାଲ ଟେଣ୍ଡର ବା ଆଇନଗତ ବୈଧ। ଭାରତ ସରକାର ସମୟ ସମୟରେ ବିଭିନ୍ନ ଆକାର, ଥିମ୍ ଓ ଡିଜାଇନର ୫୦ ପଇସା, ୧ ଟଙ୍କା, ୨ ଟଙ୍କା, ୫ ଟଙ୍କା, ୧୦ ଟଙ୍କା ଓ ୨୦ ଟଙ୍କା ମୂଲ୍ୟର କଏନ ପ୍ରଚଳନ କରିଛନ୍ତି। ଏ ସମସ୍ତ କଏନ ଆଇନଗତ ବୈଧ। RBI କେବଳ କଏନର ବିତରଣ କରିଥାଏ। କଏନ ବୈଧତା ନେଇ RBI ପକ୍ଷରୁ ବାରମ୍ବାର ସଚେତନତା ମେଳା ଆୟୋଜନ କରାଯାଉଛି। କଏନେଜ୍ ଆକ୍ଟ ୨୦୧୧ ଅନୁସାରେ, ନେଣ ଦେଣ ସମୟରେ ଜଣେ ଏକକାଳୀନ ୧ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ୧ ହଜାର ଟଙ୍କା ଯାଏଁ କଏନ ଦେଇପାରିବେ। ୫୦ ପଇସା କ୍ଷେତ୍ରରେ ଜଣେ ଏକକାଳୀନ ୧୦ ଟଙ୍କା ଯାଏଁ ପେମେଣ୍ଟ କରିପାରିବ। ସମସ୍ତ ବ୍ୟାଙ୍କକୁ ନେଣଦେଣ ବେଳେ କଏନ ଗ୍ରହଣ କରିବା ଓ ଏହାର ଶାଖାରେ ଏହାର ବିନିମୟ ଲାଗି ନିୟମ ଓ ସର୍ତ୍ତାବଳୀ ସହ ନିର୍ଦ୍ଦେଶ ଦିଆଯାଇଛି। ଏହାର ଉଲ୍ଲଂଘନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି ବୋଲି RBI ପକ୍ଷରୁ ସ୍ପଷ୍ଟ କରାଯାଇଛି।
ବ୍ରହ୍ମପୁରରେ ଚଳୁନି ୧୦ ଟଙ୍କିଆ କଏନ୍। କେବଳ ୧୦ ଟଙ୍କିଆ କଏନ୍ ନୁହେଁ, ଛୋଟ ଏକ ଟଙ୍କିଆ କଏନ ମଧ୍ୟ ନେଉନାହାନ୍ତି ବ୍ୟବସାୟୀ। ଖାଲି ବ୍ୟବସାୟୀ ନୁହନ୍ତି, କେତେକ ସ୍ଥଳେ ବ୍ୟାଙ୍କ ବି ଗ୍ରାହକଙ୍କଠାରୁ କଏନ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଲୋକଙ୍କ ଭିତରେ ବଢ଼ୁଛି ଅସନ୍ତୋଷ। ବ୍ୟବସାୟୀ କଏନ ଗ୍ରହଣ କରୁ ନଥିବାରୁ ନିକଟରେ ବ୍ରହ୍ମପୁର ସହରତଳି ଅଞ୍ଚଳ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। କେବଳ ବ୍ରହ୍ମପୁର ନୁହେଁ, ଦକ୍ଷିଣ ଓଡ଼ିଶାର କୋରାପୁଟ, ରାୟଗଡ଼ା ସମେତ ରାଜ୍ୟର ଅନେକ ଅଞ୍ଚଳରୁ ଆସିଛି ସମାନ ଅଭିଯୋଗ। ଏହା ପରେ ଆଜି ସ୍ପଷ୍ଟୀକରଣ ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।